ଓଡିଶା

odisha

କର୍କଟ ରୋଗରେ କଲବଲ ପଞ୍ଚାନନ, ସରକାରୀ ସହାୟତା ଅପେକ୍ଷାରେ ଅସହାୟ ଦମ୍ପତି

By

Published : Sep 21, 2022, 4:46 PM IST

cancer patient panchanan need govt help in kendrapara

କେନ୍ଦ୍ରାପଡା ଜିଲ୍ଲା ଡିହମୁଗୁବାଡି ଗ୍ରାମର ପଞ୍ଚାନନ ମଲ୍ଲିକ । ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଅଛନ୍ତି ପଞ୍ଚାନନ । ଅର୍ଥ ଅଭାବରୁ ଚିକିତ୍ସା ପରେ ବି ଶଯ୍ୟାଶାୟୀ ହୋଇ ରହିଛନ୍ତି । ରାଜ୍ୟ ସରକାର ଦେଇଥିବା ସ୍ଵାସ୍ଥ୍ୟବୀମା କାର୍ଡ ଥାଇ ମଧ୍ୟ କାମରେ ଆସୁନି । ଅଧିକ ପଢ଼ନ୍ତୁ

କେନ୍ଦ୍ରାପଡା:ପରିଣତ ବୟସରେ ବାଧକ ସାଜିଛି ରୋଗ । ଅସହାୟ ଅବସ୍ଥାରେ ବିଛଣାରେ ଯନ୍ତ୍ରଣାରେ ଆଉଟୁପାଉଟୁ ହୋଇ ସତେ ଯେପରି ମୃତ୍ୟୁକୁ ଅପେକ୍ଷା କରିଛନ୍ତି ! ଦାରିଦ୍ରତାର କଷାଘାତରେ ନିଷ୍ପେସିତ ମଣିଷଟି ଆଜି ସରକାରଙ୍କ ପାଖରେ ନିଜ ଜୀବନ ଭିକ୍ଷା କରୁଛି। ଏ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା କୁତୁରଙ୍ଗ ଗ୍ରାମପଞ୍ଚାୟତ ଡିହମୁଗୁବାଡି ଗ୍ରାମର ପଞ୍ଚାନନ ମଲ୍ଲିକ । ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଅଛନ୍ତି ପଞ୍ଚାନନ। ଅର୍ଥ ଅଭାବରୁ ଚିକିତ୍ସା ପରେ ବି ଶଯ୍ୟାଶାୟୀ ହୋଇ ରହିଛନ୍ତି । ରାଜ୍ୟ ସରକାର ଦେଇଥିବା ସ୍ଵାସ୍ଥ୍ୟବୀମା କାର୍ଡ ଅଛି । ହେଲେ ତାହା କାମରେ ଆସୁନି ।

ଚିକିତ୍ସା ପରେ ବି ଶଯ୍ୟାଶାୟୀ

ପଞ୍ଚାନନଙ୍କ କୌଣସି ସନ୍ତାନ ନଥିଲେ ମଧ୍ୟ ଚାଷବାସ କରି ମୁଲ ଲାଗି ବେଶ ଖୁସିରେ ରହୁଥିଲେ। କିନ୍ତୁ ଦୀର୍ଘ ଏକ ବର୍ଷ ହେବ ତାଙ୍କୁ କର୍କଟ ରୋଗ ହେଲାପରେ ଯେପରି ପରିବାରରେ ଚୁଲି ଲାଗିବା ମୁସ୍କିଲ ହୋଇପଡିଛି। ସବୁ ଖୁସିକୁ ଗ୍ରହଣ ରୂପରେ ଗ୍ରାସ କରିଛି କର୍କଟ ରୂପକ ବ୍ୟାଧି । ରୋଗରେ ଆକ୍ରାନ୍ତ ହୋଇ ସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ହେଲେ ପଞ୍ଚାନନ। ହେଲେ ପରବର୍ତ୍ତୀ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ପୁଣି ବିଛଣାରେ ପଡ଼ି ଯନ୍ତ୍ରଣାରେ ଜୁଝି ହେଉଛନ୍ତି ପଞ୍ଚାନନ । ଏନେଇ ପତ୍ନୀ କହିଛନ୍ତି, "ପରବର୍ତ୍ତୀ ଚିକିତ୍ସା ପାଇଁ କୌଣସି ବେସରକାରୀ ଡାକ୍ତରଖାନା ଗଲେ ସ୍ଵାସ୍ଥ୍ୟବୀମା କାର୍ଡ ଫେରାଇ ଦେଉଛନ୍ତି ।" ସ୍ୱାମୀଙ୍କ ଚିକିତ୍ସା ନିମନ୍ତେ ଅର୍ଥ ଯୋଗାଡ଼ ପାଇଁ ସ୍ତ୍ରୀ ମାତାଦେଇ ଦିନରାତି ଏକ କରି ବାର ଦୁଆର ବୁଲି ହାତ ପାତୁଛନ୍ତି । କିନ୍ତୁ ଏତେ ବଡ଼ ରୋଗକୁ ମଜୁରୀ ଲାଗି ଅର୍ଥ ଯୋଗାଡ଼ କରିବା ତାଙ୍କ ପାଇଁ କାଠିକର ପାଠ ହୋଇଯାଇଛି । ଯେଉଁଠି ଯାହା ଟଙ୍କା ପଇସା ଥିଲା ସବୁ ଶେଷ ହୋଇଗଲାଣି । ହାତ ଉଧାରୀ କରି ମାଗିଯାଚି ଯାହା ଟଙ୍କା ହେଲା ସବୁ ଔଷଧ ଖର୍ଚ୍ଚରେ ଯାଉଛି ।

ଅସହାୟ ଦମ୍ପତିଙ୍କ ପାଇଁ ସରକାରୀ ଯୋଜନାରେ ମିଳୁଥିବା ରେସନକାର୍ଡର ଚାଉଳ ହେଉଛି ଗୁଜୁରାଣ ମେଣ୍ଟେଇବାର ଏକମାତ୍ର ପୁଞ୍ଜି । ଉଭୟ ପତିପତ୍ନୀ ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ଏସବୁ ପାଇବାରୁ ସେମାନେ ବଞ୍ଚିତ ହୋଇଛନ୍ତି । ଔଷଧ ପାଇଁ ଟଙ୍କା ଓ ପେଟକୁ ଦୁଇମୁଠା ଦାନା ଯୋଗାଡ଼ କରିବା ଏବେ ବୃଦ୍ଧ ଦମ୍ପତ୍ତିଙ୍କ କଷ୍ଟସାଧ୍ୟ ହୋଇପଡ଼ିଛି। ଗରିବ ଅସହାୟମାନଙ୍କ ଚିକିତ୍ସା ସୁବିଧା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା କାର୍ଯ୍ୟକରୁଛନ୍ତି। ହେଲେ ବାସ୍ତବରେ ଏତେସବୁ ଯୋଜନା ପରେବି ପଞ୍ଚାନନଙ୍କ ଭଳି ବହୁଲୋକ ଏଭଳି ଦୁର୍ଦ୍ଦିନ ଅବସ୍ଥାରେ ଦିନ କାଟୁଛନ୍ତି। ସରକାରଙ୍କ ଯୋଜନା ଦିଗହରା ହୋଇ ପଡିଛି ପଞ୍ଚାନନଙ୍କ ପରିବାର ପାଖରେ । ନିର୍ବାଚନ ସମୟରେ ପ୍ରତିଶୃତି ଦେଇଥିବା ନେତାଙ୍କ ସହଯୋଗର ହାତ ଏଯାଏଁ ଏହି ଦମ୍ପତିଙ୍କ ନିକଟରେ ପହଞ୍ଚି ପାରିଲାନାହିଁ । ବାଧ୍ୟ ହୋଇ କୋହଭରା କଣ୍ଠରେ ସରକାରଙ୍କୁ ସ୍ବାମୀଙ୍କ ଜୀବନ ଭିକ୍ଷା ମାଗିଛନ୍ତି ପତ୍ନୀ। ଏ ସମ୍ପର୍କରେ କେନ୍ଦ୍ରାପଡା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପଚାରିବାରୁ ସେ ଏହା ଉପରେ ଯଥାଶୀଘ୍ର ପଦକ୍ଷେପ ନେବେ ବୋଲି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ଭିତରକନିକାରେ ଦେଶୀୟ ପକ୍ଷୀ ସଂଖ୍ୟା ବୃଦ୍ଧି, ବଢ଼ିଛନ୍ତି 7431 ପକ୍ଷୀ

ଜନ୍ମଠାରୁ ମରଣ ଯାଏ ବିଭିନ୍ନ ଲୋକାଭିମୁଖୀ ଯୋଜନା କରିଛନ୍ତି ସରକାର। କିନ୍ତୁ ପଞ୍ଚାନନଙ୍କ ପରିବାର ପାଇଁ ସତେ ଯେପରି ଦିଗହରା ହୋଇପଡିଛି ସବୁ ଯୋଜନା । ସରକାର କିମ୍ବା କେହି ବଦାନ୍ୟ ବ୍ୟକ୍ତି ତାଙ୍କୁ ସହଯୋଗର ହାତ ବଢ଼ାଇଲେ ଆଉ କିଛି ଦିନ ରୋଗ ସହ ଲଢ଼ି ଜୀବନ ବଞ୍ଚାଇ ପାରନ୍ତେ ପଞ୍ଚାନନ ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details