ବଲାଙ୍ଗୀର: ଅବ୍ୟବସ୍ଥାରେ ବଲାଙ୍ଗୀର ସ୍ବାସ୍ଥ୍ୟ ବ୍ୟବସ୍ଥା । ଜିଲ୍ଲା ଡାକ୍ତରଖାନା ସମତେ ବିଭିନ୍ନ ଚିକିତ୍ସାଳୟରେ ଡାକ୍ତର ଅଭାବ ରହିଛି । ରାଜ୍ୟରେ ସ୍ବାସ୍ଥ୍ୟ ସେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରି ନାହିଁ । ବଲାଙ୍ଗୀରରେ ଭଗବାନଙ୍କ ଭରସାରେ ଚାଲିଛି ସ୍ବାସ୍ଥ୍ୟସେବା । ଡାକ୍ତରଖାନା ଅବ୍ୟବସ୍ଥା ଦୂର କରିବା ଦାବି କରି ଅନିଶ୍ଚିତକାଳ ପାଇଁ ଧାରଣା ଦେଇଛି ଆପ୍ ।
ଜିଲ୍ଲାରେ ଛୋଟ ବଡ଼ ମିଶି ମୋଟ 60ଟି ଚିକିତ୍ସାଳୟ ରହିଛି । ଯେଉଁଥିରେ ନର୍ସ ଓ ଡାକ୍ତରଙ୍କ ପଦ ଖାଲି ପଡିଛି । ଚିକିତ୍ସା ପାଇଁ ବାହାର ଜିଲ୍ଲା ଓ ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି ରୋଗୀ । ପୂର୍ବରୁ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଡ଼ାକ୍ତର ସମସ୍ୟା ନେଇ ସରକାରଙ୍କୁ ଘେରିବା ସହ ଆଗକୁ ତୀବ୍ର ଆନ୍ଦୋଳନ ହେବ ବୋଲି ଧମକ ଦେଇଥିଲେ । ସେହିପରି ଏବେ ଅନ୍ୟ ରାଜନୈତିକ ଦଳମାନେ ମଧ୍ୟ ଏହାକୁ ଗୁରୁତର ସହ ନେଇ ସାମନାକୁ ଆସିଛନ୍ତି । ଯେଉଁଥିରେ ବଲାଙ୍ଗୀର ଆମ ଆଦମୀ ଦଳ ପକ୍ଷରୁ ବିଗତ ଚାରି ଦିନ ହେବ ଧାରଣା ଓ ଆନ୍ଦୋଳନ କରାଯାଉଛି । ଦଳର ଶତାଧିକ କର୍ମୀ ଚାରି ଦିନ ହେବ ଟିଟିଲାଗଡ ଡାକ୍ତରଖାନା ସମ୍ମୁଖରେ ଧାରଣା ଦେବା ସହ ଡ଼ାକ୍ତର ନିଯୁକ୍ତି ଦାବି କରିଛନ୍ତି ।