ହାଇଦ୍ରାବାଦ: ବ୍ୟାଙ୍କ ସମେତ ସମସ୍ତ ଆର୍ଥିକ ଅନୁଷ୍ଠାନଗୁଡିକ କ୍ରେଡିଟ୍ ସ୍କୋରକୁ ଖୁବ୍ ଗୁରୁତ୍ବ ଦିଅନ୍ତି । ଯଦି ବ୍ୟକ୍ତିବିଶେଷଙ୍କ କ୍ରେଡିଟ ସ୍କୋର ୭୫୦ ଅଟେ, ଏହା ତାଙ୍କ ସ୍ବପ୍ନ ପୂରଣ ପାଇଁ ସୁଯୋଗ ଦେଇଥାଏ । ଉପଯୁକ୍ତ ପ୍ଲାନିଂ ସହ ଏହି ସ୍ବପ୍ନକୁ ପୂରଣ କରାଯାଇପାରିବ । ଏଥିପାଇଁ ଆପଣଙ୍କୁ ଠିକ୍ ସମୟରେ କ୍ରେଡିଟ୍ କାର୍ଡ ବିଲ୍ ଭରିବାକୁ ହେବ । ଯଦିଓ ମହାମାରୀ ଭଳି ବିଭିନ୍ନ କାରଣ ଯୋଗୁଁ ଅନେକ ସମୟରେ ଇଏମଆଇ, କ୍ରେଡିଟ୍ କାର୍ଡ ବିଲ୍ ଭରିବାରେ ସମସ୍ୟା ହୋଇଥାଏ ।
କ୍ରେଡିଟ୍ ସ୍କୋର ଖରାପ ହେବା କାରଣରୁ କୌଣସି ବ୍ୟାଙ୍କ କିମ୍ବା ବିତ୍ତୀୟ କମ୍ପାନୀ ଠାରୁ ଋଣ ପାଇବା କଷ୍ଟକର ହୋଇପଡେ । ଏପରିକି କ୍ରେଡିଟ୍ କାର୍ଡ ନ ମିଳିବା ସଙ୍ଗେ ସଙ୍ଗେ ବୀମା କମ୍ପାନୀଗୁଡିକ ବୀମା ପଲିସି ଦେବାକୁ ମନା କରିପାରନ୍ତି । ସାଧାରଣତଃ ୭୫୦ କିମ୍ବା ଏହାଠୁ ଅଧିକ କ୍ରେଡିଟ୍ ସ୍କୋର ଜଣଙ୍କ ପାଇଁ ଭଲ ବୋଲି ବିବେଚନା କରାଯାଏ । ଯଦି ଆପଣଙ୍କ କ୍ରେଡିଟ୍ ସ୍କୋର ମାର୍କ ୭୦୦ ତଳେ ଅଟେ, ଏ କ୍ଷେତ୍ରରେ ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନଗୁଡିକ ଆପଣଙ୍କ ଲୋନ୍ ଆବଦେନ ନାମଞ୍ଜୁର କରିବାର ସମ୍ଭାବନା ଅଧିକ ।
ଯଦି ଲୋନ୍ ମଞ୍ଜୁର ବି ହୁଏ, ଏହା ଉପରେ ଅଧିକ ସୁଧ ଚାର୍ଜ କରିଥାନ୍ତି ବ୍ୟାଙ୍କ । ଯାହାକୁ ଉପେକ୍ଷା କରାଯାଇପାରିବ ନାହିଁ । ଋଣ ଫେରସ୍ତ ନ କରିବା କ୍ରେଡିଟ୍ ସ୍କୋରକୁ ପ୍ରଭାବିତ କରିଥାଏ । ଯଦି ଲଗାତର ତିନି ମାସ ଯାଏଁ ଆପଣ ଇଏମଆଇ ପଇଠ କରିନାହାନ୍ତି, ବ୍ୟାଙ୍କ ଆପଣଙ୍କ ଋଣକୁ ଏନପିଏ (Non-Performing Asset) ଭାବେ ବିବେଚନା କରିଥାଏ । ଯଦି ଋଣକର୍ତ୍ତା ଋଣ ସୁଝିବା ସମ୍ପୂର୍ଣ୍ଣ ବନ୍ଦ କରିଦିଅନ୍ତି ତେବେ ଏହି ଲୋନକୁ ଡିଫଲ୍ଟ ଏବଂ ଋଣକର୍ତ୍ତାକୁ ଦେବାଳିଆ ଘୋଷିତ କରାଯାଏ । ଏହାପରେ ଏକାସଙ୍ଗେ ଲୋନ୍ ରାଶି ବସୁଲ କରିବା ପ୍ରକ୍ରିୟା ଆରମ୍ଭ କରାଯାଏ । ବ୍ୟାଙ୍କିଙ୍ଗ ଭାଷାରେ ଏହାକୁ 'ସେଟେଲମେଣ୍ଟ' କୁହନ୍ତି ।
ଯଦି ସେଟେଲମେଣ୍ଟ ଅଧିନରେ ଋଣକର୍ତ୍ତା ସମସ୍ତ ଲୋନ ରାଶି ବ୍ୟାଙ୍କରେ ସୁଝି ଦିଅନ୍ତି , ଏହାସତ୍ତ୍ବେମଧ୍ୟ ସମ୍ପୃକ୍ତ ଆର୍ଥିକ କମ୍ପାନୀ କ୍ରେଡିଟ୍ ବୋର୍ଡକୁ ଏ ବାବଦରେ ଅବଗତ କରିଥାନ୍ତି । ଯେଉଁ କାରଣରୁ ପରବର୍ତ୍ତୀ ସମୟରେ ଯେତେବେଳେ ଲୋନ ଆବଶ୍ୟକ ପଡେ, ବ୍ୟାଙ୍କ କ୍ରେଡିଟ୍ ରିପୋର୍ଟରେ ସେଟେଲମେଣ୍ଟ ଦେଖିବା ପରେ ଲୋନ ମଞ୍ଜୁର କରିବାକୁ ପୂର୍ବରୁ ଦୁଇ ଥର ଚିନ୍ତା କରିଥାଏ । ଯଦି କୌଣସି ବ୍ୟକ୍ତି ପୂର୍ବରୁ ହିଁ ସେଟେଲମେଣ୍ଟ ବିକଳ୍ପ ଚୟନ କରିଛନ୍ତି, ଏପରିସ୍ଥଳେ ସମସ୍ତ ଲୋନ ରାଶି ଯଥାଶୀଘ୍ର ପରିଶୋଧ କରିବା ଉପରେ ଧ୍ୟାନ ଦେବା ଆବଶ୍ୟକ । ଏହାଦ୍ବାରା 'ସେଟେଲମେଣ୍ଟ' 'କ୍ଲୋଜ'ରେ ପରିବର୍ତ୍ତିତ ହୋଇଯାଇଥାଏ ଏବଂ କ୍ରେଡିଟ୍ ସ୍କୋର ମଧ୍ୟ ବୃଦ୍ଧି ପାଇଥାଏ ।