ଓଡିଶା

odisha

ଭାରତୀୟ କୁସ୍ତି ମହାସଙ୍ଘରୁ ନିଜକୁ ଦୂରେଇଲେ ବୃଜଭୂଷଣ, ସହାୟକ ସଚିବ ବିନୋଦ ତୋମାର ନିଲମ୍ବିତ

By

Published : Jan 21, 2023, 10:59 PM IST

WFI ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂହ ଓ ସହାୟକ ସଚିବ ବିନୋଦ ତୋମାର
WFI ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂହ ଓ ସହାୟକ ସଚିବ ବିନୋଦ ତୋମାର ()

WFI ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଜାରି ରହିଥିବା କୁସ୍ତି ଯୋଦ୍ଧା କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛନ୍ତି । WFI ଅଧ୍ୟକ୍ଷ ନିଜକୁ ମହାସଙ୍ଘରୁ ଦୂରେଇ ରଖିବା ସହ ତଦନ୍ତରେ ସହଯୋଗ କରିବେ ବୋଲି କହିଥିଲେ କ୍ରୀଡ଼ାମନ୍ତ୍ରୀ । ସେପଟେ ଆଜି ଭାରତୀୟ କ୍ରୀଡ଼ା ମନ୍ତ୍ରାଳୟ WFI ସହାୟକ ସଚିବ ବିନୋଦ ତୋମାରଙ୍କୁ ନିଲମ୍ବିତ କରିଛି । ଅଧିକ ପଢ଼ନ୍ତୁ

ଲକ୍ଷ୍ନୌ: ଭାରତୀୟ କୁସ୍ତି ଫେଡେରେସନ (WFI) ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଜାରି ରହିଥିବା କୁସ୍ତି ଯୋଦ୍ଧାଙ୍କ ଧାରଣା ଶୁକ୍ରବାର ବିଳମ୍ବିତ ରାତିରେ ଶେଷ ହୋଇଛି । କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ଆଲୋଚନା ପରେ ସେମାନେ ଆନ୍ଦୋଳନରୁ ଓହରିଛନ୍ତି । ବୃଜଭୂଷଣ ଶରଣ ସିଂହ ନିଜେ ଅଧ୍ୟକ୍ଷ ପଦରୁ ଦୂରେଇ ଯାଇଥିବା ନେଇ ଶନିବାର ପ୍ରଥମେ WFI ସହାୟକ ସଚିବ ବିନୋଦ ତୋମାରଙ୍କର ଏକ ବିବୃତ୍ତି ସାମ୍ନାକୁ ଆସିଥିଲା । ତେବେ ଏହାରି ଭିତରେ ଭାରତୀୟ କ୍ରୀଡ଼ା ମନ୍ତ୍ରାଳୟ କୁସ୍ତି ମହାସଙ୍ଘର ସହାୟକ ସଚିବ ବିନୋଦ ତୋମାରଙ୍କୁ ଏହି ପଦରୁ ନିଲମ୍ବିତ କରିଛି ।

ଶନିବାର ପ୍ରଥମେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଭାରତୀୟ କୁସ୍ତି ମହାସଙ୍ଘର ସହାୟକ ସଚିବ ବିନୋଦ ତୋମାର କହିଥିଲେ, "WFI ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଅଭିଯୋଗରେ କୌଣସି ସତ୍ୟତା ନାହିଁ । ଆନ୍ଦୋଳନକାରୀ ମାନେ ୩-୪ ଦିନ ଭିତରେ କୌଣସି ପ୍ରମାଣ ଦେଇପାରିଲେ ନାହିଁ । ମୁଁ ଗତ ୧୨ ବର୍ଷ ଧରି ତାଙ୍କ ସହ କାର୍ଯ୍ୟ କରୁଛି । ଏହାରି ଭିତରେ ସେମିତି କିଛି ବି ଦେଖିନି । ବୃଜଭୂଷଣ ଶରଣ ସିଂହ ଇସ୍ତଫା ଦେଇନାହାନ୍ତି । କିନ୍ତୁ ତଦନ୍ତ ସରିବା ପର୍ଯ୍ୟନ୍ତ ସେ ନିଜକୁ ମହାସଂଘର ସମସ୍ତ କାର୍ଯ୍ୟରୁ ନିବୃତ୍ତ ରଖିବେ ।"

କ୍ରୀଡ଼ାମନ୍ତ୍ରୀଙ୍କ ସହ ବୈଠକ ପରେ ଧାରଣା ପ୍ରତ୍ୟାହୃତ:- ଦୀର୍ଘ ୩-୪ ଦିନର ଧାରଣା ପରେ ଶୁକ୍ରବାର ବିଳମ୍ବିତ ରାତିରେ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ବାସ ଭବନରେ ବୈଠକ କରିଥିଲେ ଧାରଣାରତ କୁସ୍ତି ଯୋଦ୍ଧା । ଏହାପରେ କ୍ରୀଡ଼ାମନ୍ତ୍ରୀଙ୍କ ସହ ଧାରଣାରତ କୁସ୍ତିଯୋଦ୍ଧାମାନେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ଏଥିରେ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ, "ଖେଳାଳିଙ୍କ ସହ ସବୁ ପ୍ରକାର କଥାବାର୍ତ୍ତା ହେଲି । ସବୁ ଖେଳାଳିମାନେ ଭାରତୀୟ କୁସ୍ତି ସଙ୍ଘ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ତେବେ ଏନେଇ ଏକ ତଦାରଖ କମିଟି ଗଠନ କରାଯିବ । ଆଗାମୀ ୪ ସପ୍ତାହ ମଧ୍ୟରେ ଏହି କମିଟି ତଦନ୍ତ କରିବେ । ତଦନ୍ତ ସରିବା ପର୍ଯ୍ୟନ୍ତ ଅନ୍ୟ ଏକ କମିଟି ଏହି ତଦାରଖ କମିଟିର ଗତିବିଧି ଉପରେ ନଜର ରଖିବେ । ସେପର୍ଯ୍ୟନ୍ତ ଭାରତୀୟ କୁସ୍ତି ମହାସଙ୍ଘର ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂହ ନିଜକୁ ମହାସଙ୍ଘରୁ ଦୂରେଇ ରଖିବା ସହ ତଦନ୍ତରେ ସହଯୋଗ କରିବେ ।" ତେବେ ଏହାପରେ ଆଜି ଭାରତୀୟ କ୍ରୀଡ଼ା ମନ୍ତ୍ରାଳୟ କୁସ୍ତି ମହାସଙ୍ଘର ସହାୟକ ସଚିବ ବିନୋଦ ତୋମାରଙ୍କୁ ଏହି ପଦରୁ ନିଲମ୍ବିତ କରିଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details