ଓଡିଶା

odisha

ମହାପ୍ରଭୁଙ୍କ ପାଖରେ ଲାଗି ହେଲା ଅର୍ପଣ ରଥ ଚାଉଳରୁ ପ୍ରସ୍ତୁତ ଭୋଗ, ଭକ୍ତଙ୍କୁ ବଣ୍ଟାଗଲା ପ୍ରସାଦ

By ETV Bharat Odisha Team

Published : Feb 4, 2024, 9:39 PM IST

Mahaprasad Made From Arpana Rath Rice: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଅର୍ପଣ ରଥ ମାଧ୍ୟମରେ ସଂଗୃହିତ ଅରୁଆ ଚାଉଳରେ ପ୍ରସ୍ତୁତ ହେଲା ଭୋଗ । ଏହି ଭୋଗକୁ ଭକ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଇଛି । ଅଧିକ ପଢ଼ନ୍ତୁ

Etv Bharatମହାପ୍ରଭୁଙ୍କ ପାଖରେ ଲାଗି ହେଲା ଅର୍ପଣ ରଥରୁ ସଂଗୃହିତ ଚାଉଳରୁ ପ୍ରସ୍ତୁତ ଭୋଗ
ମହାପ୍ରଭୁଙ୍କ ପାଖରେ ଲାଗି ହେଲା ଅର୍ପଣ ରଥରୁ ସଂଗୃହିତ ଚାଉଳରୁ ପ୍ରସ୍ତୁତ ଭୋଗ

ମହାପ୍ରଭୁଙ୍କ ପାଖରେ ଲାଗି ହେଲା ଅର୍ପଣ ରଥରୁ ସଂଗୃହିତ ଚାଉଳରୁ ପ୍ରସ୍ତୁତ ଭୋଗ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଅର୍ପଣ ରଥ ମାଧ୍ୟମରେ ଭକ୍ତମାନେ ଦାନ କରିଥିବା ଅରୁଆ ଚାଉଳରେ ପ୍ରସ୍ତୁତ ହେଲା ଭୋଗ । ଏହି ଭୋଗକୁ ମହାପ୍ରଭୁଙ୍କଠାରେ ଲାଗି କରାଯାଇଛି । ଭୋଗ ଲାଗି ପରେ ଏହାକୁ ଭକ୍ତଙ୍କ ମଧ୍ୟରେ ବିତରଣ କରାଯାଇଛି । ସୁଆର ମହାସୁଆର ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଦ୍ୱାରରେ ଏହି ଖେଚୁଡ଼ି, କାନିକା ମହାପ୍ରସାଦକୁ ଭକ୍ତଙ୍କ ମଧ୍ୟରେ ବଣ୍ଟା ଯାଇଛି ।

ତେବେ ସୁଆର ମହାସୁଆର ନିଯୋଗ ସମ୍ପାଦକଙ୍କ ସୂଚନା ଅନୁସାରେ, ମହାପ୍ରଭୁଙ୍କର ଦୈନନ୍ଦିନ ବିଭିନ୍ନ ଧୂପ ନୀତି ଅନୁଷ୍ଠିତ ହେଉଥିବା ବେଳେ ପ୍ରତ୍ୟେକ ଧୂପରେ ଭକ୍ତ ଦାନ କରିଥିବା ଚାଉଳକୁ ଭୋଗ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କ ପାଖରେ ଲାଗି କରାଯିବ । ଖେଚୁଡ଼ି ଓ କାନିକା ପ୍ରସ୍ତୁତ କରାଯାଇ ଏହାକୁ ମହାପ୍ରସାଦ ଭାବରେ ଭକ୍ତଙ୍କୁ ଶ୍ରୀମନ୍ଦିର ସିଂହଦ୍ଵାର ଛାଡ଼ି ଅନ୍ୟ ତିନି ଦ୍ୱାରରେ ବଣ୍ଟାଯିବ । ମହାପ୍ରଭୁଙ୍କୁ ଚାଉଳ ଦାନ କରିଥିବା ଭକ୍ତଙ୍କ ଚାଉଳରେ ଖେଚୁଡ଼ି, କାନିକା ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି କରାଯାଇ ଏହାକୁ ବଣ୍ଟା ଯାଇଥିବାରୁ ନିଜକୁ ବେଶ ଭାଗ୍ୟବାନ ମନେ କରିଛନ୍ତି ଭକ୍ତ । ଅର୍ପଣ ରଥରୁ ସଂଗୃହିତ ହୋଇଥିବା ଚାଉଳକୁ ସୁରକ୍ଷିତ ଭାବେ ଗୁଣ୍ଡିଚା ମନ୍ଦିରରେ ରଖାଯାଇଛି । ମହାପ୍ରଭୁଙ୍କଠାରେ ଭୋଗ ଲାଗି ହେବା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଗଠିତ ହୋଇଥିବା ସ୍ୱତନ୍ତ୍ର କମିଟିର ସଦସ୍ୟମାନେ ପ୍ରଥମେ ଚାଉଳର ମାନ ଯାଞ୍ଚ କରି ଶ୍ରୀମନ୍ଦିର ରୋଷଶାଳାକୁ ଯୋଗାଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ବ୍ୟର୍ଥ ଯିବନି ଶ୍ରଦ୍ଧାଳୁଙ୍କ ଦାନ, ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା

ସେପଟେ ଭକ୍ତମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଚାଉଳ ଦାନ କରିଥିବାରୁ ଏହି ଚାଉଳ କିଭଳି ମହାପ୍ରଭୁଙ୍କ ଭୋଗରେ ଲାଗି ପାରିବ ସେଦିଗରେ ଶ୍ରୀମନ୍ଦିର ପ୍ରଶାସନ ବିଶେଷ ଗୁରୁତ୍ବ ଦେଇଛି । ସଂଗୃହିତ ଚାଉଳକୁ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି କରିବା ପାଇଁ ଯେଭଳି କୌଣସି ପ୍ରକାର ଅସୁବିଧା ସୃଷ୍ଟି ନହୁଏ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି । ନିୟମିତ ବ୍ୟବଧାନରେ ବୈଠକ ବସି ଏହି କାର୍ଯ୍ୟକୁ କିଭଳି ତ୍ବରାନ୍ବିତ କରାଯାଇପାରିବ ସେ ବିଷୟରେ କମିଟି ପକ୍ଷରୁ ଆଲୋଚନା କରାଯାଉଛି । ତେବେ ଅର୍ପଣ ରଥରୁ ସଂଗୃହିତ ହୋଇଥିବା ଚାଉଳରୁ ପ୍ରତିଦିନ ଶହେ ହାଣ୍ଡି ଖେଚୁଡ଼ି ଓ କାନିକା ପ୍ରସ୍ତୁତ କରାଯାଇ ଭକ୍ତଙ୍କ ମଧ୍ୟରେ ବଣ୍ଟାଯିବାର ବ୍ୟବସ୍ଥା କରାଯାଇଛି ବୋଲି ସୁଆର ମହାସୁଆର ନିଯୋଗ ସମ୍ପାଦକ ସୂଚନା ଦେଇଛନ୍ତି । ସେପଟେ ଏହି ପ୍ରସାଦକୁ ଖାଇ ନିଜର ଖୁସି ବ୍ୟକ୍ତ କରିଛନ୍ତି ଭକ୍ତ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details