ହଜାର ହଜାର ସମର୍ଥକଙ୍କୁ ନେଇ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ମୀନା ମାଝୀ - Kendujhar Assembly Constituency

By ETV Bharat Odisha Team

Published : May 1, 2024, 4:38 PM IST

thumbnail

BJD MLA Candidate Mina Majhi File Nomination: କେନ୍ଦୁଝର: ଓଡିଶାରେ ତୃତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି କ୍ରମରେ କେନ୍ଦୁଝର ଲୋକସଭା ଓ ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଭରୁଛନ୍ତି ପ୍ରାର୍ଥୀମାନେ । ଆଜି କେନ୍ଦୁଝର ସଦର ଆସନ ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀ ମୀନା ମାଝୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସ୍ଥାନୀୟ କାଳୀ ପଡ଼ିଆରୁ ହଜାର ହଜାର ସମର୍ଥକଙ୍କ ଗହଣରେ ଆସି ମୀନା ମାଝୀ କେନ୍ଦୁଝର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଜିର ଏହି ନାମାଙ୍କନ ପତ୍ର ଦାଖଲ ଶୋଭାଯାତ୍ରାରେ ତେଲକୋଇ ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ, ରାଜ୍ୟ ଯୁବ ଜନତା ଦଳ ଉପ ସଭାପତି ସୌମ୍ୟ ଶଙ୍କର ଚକ୍ର, ବରିଷ୍ଠ ନେତା ଆଶିଷ ଚକ୍ରବର୍ତ୍ତୀ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସହ ବହୁ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । 

ଏହା ମଧ୍ୟ ପଢନ୍ତୁ...କେନ୍ଦୁଝରରେ ମୀନା-ମୋହନ-ମଞ୍ଜରୀ ଲଢେଇ, ୪୦ ବର୍ଷ ଧରି ଅଣ କଂଗ୍ରେସ ପାର୍ଟିର ରହିଛି ଦବଦବା - Kendujhar Assembly Constituency  

ପ୍ରକାଶ ଯେ ଏହି ଆସନ ସମ୍ମାନର ପ୍ରଶ୍ନ ହୋଇଥିବାରୁ ଗତ ନିର୍ବାଚନ ତ୍ରୁଟିକୁ ସୁଧରାଇବା ସହ ସଠିକ୍ ପରିଚାଳନା ପାଇଁ ବିଜେଡି ନୂଆ ରଣନୀତି ଆରମ୍ଭ କରିଛି । ମୀନା ରାଜନୀତିରେ ପୁରୁଣା ହୋଇଥିବା ବେଳେ ବିଧାୟକ ପ୍ରାର୍ଥୀ ଭାବେ ପ୍ରଥମ ଥର ନିର୍ବାଚନ ଲଢୁଛନ୍ତି । ମୀନା କେନ୍ଦୁଝରଗଡ଼ ପୌରପାଳିକାର ନଗରପାଳ ଭାବେ କାର୍ଯ୍ୟ କରିଥିବା ବେଳେ ୩ଟି ବିଧାନସଭା ଆସନରେ କର୍ମୀ ସାଜି ବିଜେଡି ପାଇଁ ପ୍ରଚାର କରି ଆଦିବାସୀ ସମ୍ପ୍ରଦାୟର ଭୋଟକୁ ବାନ୍ଧି ରଖିବାକୁ ବେଶ୍ ସଫଳ ହୋଇପାରିଥିଲେ । ୨୦୦୯ରେ ବିଜେଡି ପ୍ରାର୍ଥୀ ସୁବର୍ଣ୍ଣ ନାଏକ, ୨୦୧୪ରେ ବିଜେଡିର ଅଭିରାମ ନାଏକ ଓ ୨୦୧୯ରେ ମାଧବ ସର୍ଦ୍ଦାରଙ୍କ ପ୍ରଚାରର ମଙ୍ଗ ଧରିଥିବା ମୀନା ଏଥର ପ୍ରାର୍ଥୀ ହୋଇ ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟକୁ ପାଥେୟ କରି ଭୋଟ ଭିକ୍ଷା କରୁଛନ୍ତି ମୀନା ମାଝୀ । ପ୍ରକାଶ ଯେ କେନ୍ଦୁଝର ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ଥିବା ବେଳେ ମେ ମାସ ୬ ତାରିଖ ନାମାଙ୍କନ ପତ୍ର ଦାଖଲ ଶେଷ ଦିନ ଅଛି । ସେହିପରି ମେ ମାସ ୨୫ ରେ ଭୋଟଦାନ ଅଛି ।  

ଇଟିିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.