ସନାତନଙ୍କୁ ଜୋତାମାଳ ପିନ୍ଧାଇଲେ ଯୁବକ, ଭିଡିଓ ଭାଇରାଲ - Sanatan Mahakud faces opposition

By ETV Bharat Odisha Team

Published : May 15, 2024, 10:29 PM IST

thumbnail
Sanatan Mahakud faces opposition (ETV Bharat Odisha)

Sanatan Mahakud faces opposition: କେନ୍ଦୁଝର: ଜିଲ୍ଲାରେ ନିର୍ବାଚନକୁ ଆଉ କିଛିଦିନ ବାକି । ଏଥିପାଇଁ ନେତାଏ ଏବେ ଗାଁ ମୁହାଁ । ଗାଁକୁ ଗାଁ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ଏଭଳି ପ୍ରଚାରବେଳେ ବହୁ ସ୍ଥାନରେ ସମର୍ଥନ ମିଳୁଥିବାବେଳେ କିଛି ସ୍ଥାନରେ ନେତାମାନଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡୁଛି । କେଉଁଠି ନେତାଙ୍କୁ ଗାଁକୁ ପୁରାଇ ଦେଉନାହାନ୍ତି ତ କେଉଁଠି ରିପୋର୍ଟ କାର୍ଡ ମାଗି ପ୍ରଶ୍ନ ପରେ ପ୍ରଶ୍ନ ପଚାରୁଛନ୍ତି ଜନତା । ତେବେ ଏହାରି ଭିତରେ ବହୁଚର୍ଚ୍ଚିତ ନେତା ତଥା ଚମ୍ପୁଆରୁ ବିଜେଡି ପ୍ରାର୍ଥୀ ହୋଇଥିବା ସନାତନ ମହାକୁଡ଼ ଏବେ ଘୋର ବିରୋଧର ସମ୍ମୁଖୀନ ହୋଇଛନ୍ତି । ଯାହାର ଭିଡିଓ ଏବେ ବେଶ ଭାଇରାଲ ହେଉଛି । ଯେଉଁଥିରେ ଜଣେ ଯୁବକ ସନାତନଙ୍କୁ ଜୋତାମାଳ ପିନ୍ଧାଉଥିବା ଦେଖିବାକୁ ମିଳୁଛି ।

କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ସନାତନ ମହାକୁଡ଼ ଏବେ ଗାଁକୁ ଗାଁ ବୁଲି ଭୋଟ ଭିକ୍ଷା କରୁଛନ୍ତି । ଗତକାଲି (ମଙ୍ଗଳବାର) ରାତିରେ ମିରିଗିସିଙ୍ଘା ଗ୍ରାମରେ ଭୋଟ ଭିକ୍ଷା କରିଥିଲେ । ଭାଇରାଲ ଭିଡିଓଟି ଏହି ଗାଁର । ମିରିଗିସିଙ୍ଘାରେ ସନାତନ ପ୍ରଚାର କରୁଥିବାବେଳେ ଗ୍ରାମର ମହିଳାମାନେ ତାଙ୍କୁ ବନ୍ଦାପନା କରିଥିଲେ । ଏହି ବନ୍ଦାପନା ପରେ ଗ୍ରାମର ଜଣେ ଯୁବକ ତାଙ୍କୁ ଜୋତା ମାଳ ପିନ୍ଧାଇଥିଲେ । ଏତିକିବେଳେ ସନାତନଙ୍କ ସମର୍ଥକମାନେ ଉକ୍ତ ଯୁବକଙ୍କଠାରୁ ମାଳ ଛଡାଇ ଆଣୁଥିବା ଦେଖିବାକୁ ମିଳୁଛି । ପରେ କର୍ମୀମାନେ ଉକ୍ତ ଯୁବକକୁ ମାଡ଼ ମଧ୍ୟ ମାରିଥିବା ଜଣାପଡିଛି । ଏପରିକି ଗ୍ରାମର ଜଣେ ମହିଳା ଏହି ସମୟରେ ୫ ହଜାର ଲେଖାଏଁ ଦେଲେ ଶଙ୍ଖ ଚିହ୍ନକୁ ଭୋଟ ଦେବେ ବୋଲି ସର୍ବସମ୍ମୁଖରେ ଦାବି କରୁଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳୁଛି । ସନାତନ ମହାକୁଡ଼ ତୃତୀୟ ଥର ବିଧାୟକ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବାବେଳେ ଚଳିତ ଥର ତାଙ୍କୁ ବହୁ ବିରୋଧର ସମ୍ମୁଖୀନ ହେବାକୁ ପଡୁଥିବା ଦେଖାଯାଉଛି । ତେବେ ଏହି ଘଟଣା ନେଇ ସନାତନ ମହକୁଡଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.