ମୁଁ ବାହାର ଲୋକ ନୁହେଁ, ୧୫ ବର୍ଷ ହେଲା ସ୍ୱାମୀ ଲୋକଙ୍କ ସହ ଅଛନ୍ତି: ସିମୁଳିଆ ପ୍ରାର୍ଥିନୀ - Odisha Assembly Election 2024

By ETV Bharat Odisha Team

Published : May 1, 2024, 9:53 AM IST

thumbnail

ବାଲେଶ୍ୱର: ନିର୍ବାଚନ ତାରିଖ ପାଖଉଥିବା ବେଳେ ବାଲେଶ୍ୱର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ଦୁଇ ଥର ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଉପରେ ଚଳିତ ବର୍ଷ ବିଜେଡି ଆସ୍ଥା ପ୍ରକଟ ନକରି ମହିଳା କାର୍ଡ ଖେଳିଛି । ସମାଜସେବୀ ଶଶୀକୁମାର ସାହୁଙ୍କ ପତ୍ନୀ ସୁବାସିନୀ ସାହୁଙ୍କୁ ପ୍ରାର୍ଥୀ କରିଛି ଦଳ । ସୁବାସୀନିଙ୍କ ନାମ ଘୋଷଣା ପରେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସମର୍ଥକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ପ୍ରାର୍ଥୀ ବଦଳାଇବା ପାଇଁ ଜ୍ୟୋତିଙ୍କ ସମର୍ଥକମାନେ ମେଳି ବାନ୍ଧିଥିବା ବେଳେ ପୁଣି ସେମାନଙ୍କ ମଧ୍ୟରେ କିଛି ନେତା ଓ କର୍ମୀ ମନ ବୁଝେଇ ନେଇଥିବା ଧୋବାଗଡ଼ିଆ ନିର୍ବାଚନୀ ସଭାରେ ଦେଖାଯାଇଥିଲା । ତେବେ ଦଳୀୟ ନେତାଙ୍କ ଅସନ୍ତୋଷ ମଧ୍ୟରେ ଜଣେ ମହିଳା ପ୍ରାର୍ଥୀ ଭାବେ କେମିତି ନିର୍ବାଚନୀ ବୈତରଣୀ ପାର୍ ହେବେ ଏବଂ କ'ଣ ରଣନୀତି ରହିବ, ସେନେଇ ଇଟିଭି ଭାରତ ପ୍ରତିନିଧି ସୁବାସିନୀ ସାହୁଙ୍କ ସହ ଆଲୋଚନା କରିଛନ୍ତି । ଗାଁ ଗହଳିରେ ଲୁଚି ଯାଉଥିବା ପ୍ରତିଭାମାନଙ୍କ ବିକାଶ ପାଇଁ ଚେଷ୍ଟା କରିବେ ଏବଂ ବିଧାୟିକା ହେଲେ ସିଧାସଳଖ ଗ୍ରାଉଣ୍ଡ ଜିରୋରେ ଲୋକମାନଙ୍କ ସମସ୍ୟା ବୁଝିବେ ବୋଲି ପ୍ରକାଶ କରିଛନ୍ତି ବିଜେଡି ପ୍ରାର୍ଥିନୀ । 

ଏହା ମଧ୍ୟ ପଢନ୍ତୁ: ପ୍ରଚାର ଆରମ୍ଭ କଲେ ସୁବାସିନୀ, କହିଲେ ଅସନ୍ତୋଷ ନୁହେଁ ଅଭିମାନ କରିଛନ୍ତି ନେତା - Simulia Assembly Constituency

ଅନ୍ୟପଟେ ବିରୋଧୀମାନେ ତାଙ୍କୁ ସିମୁଳିଆ ନିର୍ବାଚନ ମଣ୍ଡଳୀର ଲୋକ ନୁହଁନ୍ତି ବୋଲି ଆକ୍ଷେପ କରୁଥିବା ବେଳେ ସୁବାସିନୀ କହିଛନ୍ତି ଯେ, ଦୀର୍ଘ ୧୫ ବର୍ଷ ହେଲାଣି ତାଙ୍କ ସ୍ବାମୀ ଶଶୀକୁମାର ସିମୁଳିଆ ଏବଂ ଖଇରା ଅଞ୍ଚଳର ଲୋକମାନଙ୍କ ସହ ରହିଛନ୍ତି । ଜଣେ ସମାଜସେବୀ ଭାବେ ସବୁବେଳେ ସିମୁଳିଆ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସୁଖଦୁଃଖରେ ସାମିଲ ହୋଇଛନ୍ତି । ଏତେ ଦିନ ଯେଉଁ ବ୍ୟକ୍ତି ଲୋକମାନଙ୍କ ସହ ଅଛନ୍ତି ସେ କେମିତି ବାହାର ଲୋକ ହେଲେ ବୋଲି ପ୍ରଶ୍ନ କରିଛନ୍ତି ସୁବାସିନୀ । ଏଥିସହ ଅସନ୍ତୁଷ୍ଟ ଦଳୀୟ ନେତା ଓ କର୍ମୀମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟି ସେମାନଙ୍କ ହାତ ଧରି ନିର୍ବାଚନୀ ପ୍ରଚାର କରିବେ ବୋଲି କହିଛନ୍ତି  ।

ଇଟିଭି ଭାରତ, ବାଲେଶ୍ୱର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.