ପ୍ରଥମାଷ୍ଟମୀରେ ପଢ଼ୁଆଁ ହେଲେ ଘରର ଜ୍ୟେଷ୍ଠ, ଘରେ ଘରେ ଏଣ୍ଡୁରୀ ମହକ

By ETV Bharat Odisha Team

Published : Dec 5, 2023, 10:11 AM IST

thumbnail

ଖୋର୍ଦ୍ଧା: ଆଜି(ମଙ୍ଗଳବାର) ପବିତ୍ର ପ୍ରଥମାଷ୍ଟମୀ । ପ୍ରଥମାଷ୍ଟମୀ ବା ପୋଢୁଆଁଷ୍ଟମୀ ମାର୍ଗଶୀର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ କରାଯାଏ । ଓଡ଼ିଶାର ଘରେ ଘରେ ପାଳନ ହେଉଛି ଏହି ଗଣପର୍ବ । ଏହି ପର୍ବରେ ଘରର ଜ୍ୟେଷ୍ଠ ସନ୍ତାନଙ୍କୁ ନୂଆ ପୋଷାକ ପରିଧାନ କରାଯିବା ସହ ବନ୍ଦାପନା କରାଯାଇଥାଏ । ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ପ୍ରଥମାଷ୍ଟମୀକୁ ବେଶ ଉତ୍ସାହର ସହ ପାଳନ କରାଯାଇଛି । ସକାଳୁ ଘରର ଗୃହିଣୀମାନେ ବୃନ୍ଦାବତୀ ଓ ଶୀଳ ନିକଟରେ ମୁରୁଜ ଆଉ ଝୋଟି ପକାଇ ସଜାଇଛନ୍ତି । ପୂଜା ଘରେ ଲକ୍ଷ୍ମୀ ଠାକୁରାଣୀ ଓ ନୂଆ ଡ୍ରେସକୁ ପୂଜା କରାଯାଇଛି । ଘରର ଜ୍ୟେଷ୍ଠ ସନ୍ତାନକୁ ବନ୍ଦାପନା କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. କାଲି ପ୍ରଥମାଷ୍ଟମୀ, ମାମୁଁ ଘରୁ ଆସି ଶ୍ରୀମନ୍ଦିରରେ ପହଞ୍ଚିଲା ପୋଢୁଆଁ ଭାର

ଏହି ଦିନ ଜ୍ୟେଷ୍ଠ ସନ୍ତାନର ଦୀର୍ଘଜୀବନ କାମନା କରି ଷଷ୍ଠୀଦେବୀଙ୍କର ପୂଜା କରାଯିବାର ବିଧି ରହିଛି । ମାମୁଁ ଘରୁ ଆସିଥିବା ନୂଆ ବିରି ଓ ଚାଉଳରେ ପିଠା କରାଯାଇ ପୂଜା କରାଯିବାର ପରମ୍ପରା ରହିଛି । ଘରେ ଘରେ ଆଜି ଏଣ୍ଡୁରୀ ପୀଠାରେ ମହକ ଛୁଟୁଛି ।  ଭାରତୀୟ ସଂସ୍କୃତିରେ ଗୋଟିଏ କଥା ଅଛି ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ । ସେହି କ୍ରମରେ ଓଡ଼ିଆ ଘରେ ଜ୍ୟେଷ୍ଠ ସନ୍ତାନର ଦୀର୍ଘ ଜୀବନ କାମନା କରି ଷଷ୍ଠୀଦେବୀଙ୍କର ପୂଜା କରାଯାଏ । ଏହା ଓଡ଼ିଶାର ଏକ ପାରମ୍ପରିକ ପର୍ବ । ଅତୀତରେ ମାର୍ଗଶୀର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷାରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଏ ।
 

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.