ଶିଶୁକନ୍ୟା ପିହୁ ଅପହରଣ ଘଟଣା, ୩ବର୍ଷ ପରେ ବି ଝିଅ ଫେରିବା ବାଟକୁ ଅନାଇ ବସିଛି ମା’

By

Published : Mar 14, 2023, 4:39 PM IST

thumbnail

ଭୁବନେଶ୍ବର: ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅଧୀନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ ଶିଶୁକନ୍ୟା ପିହୁ ୨୦୨୦ ମସିହାରୁ ନିଖୋଜ ଅଛି । ଗାଁ ଦାଣ୍ଡରେ ଖେଳୁଥିବା ସମୟରେ କେହି ଦୁର୍ବୃତ୍ତ ତାକୁ ଅପହରଣ କରିଛି । ଏହି ଅପହରଣ ଘଟଣାକୁ ନେଇ ପିହୁର ମାଆ ମୋନାଲିସା ନାୟକ ସେତେବେଳେ ବିଞ୍ଝାରପୁର ଥାନାରେ ଲିଖିତ ଏତଲା ଦେଇଥିଲେ । କିନ୍ତୁ ପ୍ରାୟ ୩ ବର୍ଷ ପରେ ମଧ୍ୟ ଫଳ ଶୂନ୍ । ଏହି ଘଟଣାକୁ ନେଇ ପିହୁର ମାଆ ଜିଲ୍ଲାସ୍ତରରୁ ଆରମ୍ଭ କରି ରାଜ୍ୟରେ ସମସ୍ତ ନ୍ୟାୟିକ ବ୍ୟବସ୍ଥାର ଦ୍ଵାରସ୍ତ ହେବାପରେ ବି ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନାହିଁ । ନା ମିଳୁଛି ପିହୁ ନା ପିହୁକୁ ଖୋଜିବାକୁ ଆଗ୍ରହ ଦେଖାଉଛନ୍ତି ସରକାର ।  

ତେବେ ଏହି ଘଟଣାକୁ ନେଇ ଆଜି 'ନ୍ୟାୟ ପାଇଁ ଲଢେଇ ପରିବାର' ସଂଗଠନର ଶତାଧିକ ସଦସ୍ୟ ଏକତ୍ରିତ ହୋଇ ଓଡିଶାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଅହୋରାତ୍ର ଧାରଣା ଦେଇଥିଲେ । ଏହି ସମୟରେ ଘଟଣାସ୍ଥଳରୁ ପୋଲିସ ସମସ୍ତଙ୍କୁ ଉଠାଇ ନେଇଥିଲା । ଏନେଇ ପିହୁର ମାଆ କହିଛନ୍ତି, "ଦୀର୍ଘ ୩ ବର୍ଷ ଧରି ପିହୁକୁ ଖୋଜି ଆଣିବାକୁ ଅନେକ ସମୟରେ ଦାବି କରି ଆସିଛୁ । ହେଲେ ଖୋଜି ଆଣିବାରେ ସରକାର ବିଫଳ ହୋଇଛନ୍ତି । ଏବେ ମଧ୍ୟ ଆଶା ରହିଛି ଯେ ମୋ ପିହୁ ଫେରି ଆସିବ । କିନ୍ତୁ ଏଥିରେ ସରକାର ପ୍ରଶାସନ ମଧ୍ୟ ଠିକ ଭାବରେ ଧ୍ୟାନ ଦେଉନାହାନ୍ତି । ଏନେଇ ବାରମ୍ବାର ମନ୍ତ୍ରୀଙ୍କ ଘର ଆଗରେ ଧାରଣାରେ ବସିଲିଣି । କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଯେ ପର୍ଯ୍ୟନ୍ତ ପିହୁକୁ ଠାବ କରିବା ସହ କେତେ ଦିନ ମଧ୍ୟରେ ଖୋଜି ଆଣିବାକୁ ପ୍ରତିଶ୍ରୁତି ମିଳିଲେ ଯାଇ ଧାରଣାରୁ ଉଠିବି ।" ନହେଲେ ଧାରଣାରେ ବସି ରହିବେ ବୋଲି କହିଛନ୍ତି ପିହୁର ମାଆ ମୋନାଲିସା ନାୟକ । ପ୍ରକାଶ ଥାଉକି, ପିହୁ ନିଖୋଜ ଘଟଣାକୁ ନେଇ ବାରମ୍ବାର ପୋଲିସ ଡିଜି, ଶିଶୁ ଆୟୋଗ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି ପିହୁର ପରିବାର । ହେଲେ କେଉଁଠାରେ ମଧ୍ୟ ନ୍ୟାୟ ମିଳିପାରି ନାହିଁ । ତେବେ ଏନେଇ କୁନି ଝିଅ ପିହୁର ଫଟୋକୁ ଧରି ଫେରିବା ବାଟକୁ ଅନେଇ ବସିଛି ମାଆ ।  

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.