ତତଲା କଡେଇରେ କଳାହାଣ୍ଡି, ଦିନ ତାପମାତ୍ରା ୪୨ ଡିଗ୍ରୀ ପାର୍

By

Published : May 26, 2023, 6:20 PM IST

thumbnail

କଳାହାଣ୍ଡି: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ସମଗ୍ର ଓଡିଶାରେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ପ୍ରଚଣ୍ଡ ତାତିରେ ସିଝୁଛି କଳାହାଣ୍ଡି । ଝାଞ୍ଜି ପବନ ସାଙ୍ଗକୁ ଗୁଳଗୁଳିରେ ଅସ୍ତବ୍ୟସ୍ତ ଜନ ଜୀବନ। ସହରର ତାପମାତ୍ରା ଏବେ ୪୨ ଡିଗ୍ରୀରୁ ଅଧିକ ରହୁଥିବାବେଳେ ସତେ ଯେପରି ତତଲା କଡେଇରେ ଭାଜି ହେଉଥିବା ଭଳି ମନେ ହେଉଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ  ଜରୁରୀକାଳିନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଜିଲ୍ଳା ପ୍ରଶାସନ । 

ସୂର୍ଯ୍ୟଙ୍କ ପ୍ରଚଣ୍ଡ ରୌଦ୍ର ତାପରେ ଭୟଭୀତ ଜୀବଜଗତ । ଗତ କିଛି ଦିନ ହେଲା କଳାହାଣ୍ଡିରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି । ଖରାର ତାତିରୁ ରକ୍ଷା ପାଇବା ପାଇଁ କିଏ ମୁଣ୍ଡରେ ଟୋପି,ଗାମୁଛା ପିନ୍ଧିଛି ତ ଆଉ କିଏ କଳା ଚଷମା ବ୍ୟବହାର କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି।  

ଅପରପକ୍ଷେ  ଲସି ଓ ଆମ୍ବ ରସ ଦୋକାନରେ ସମସ୍ତଙ୍କ ଭିଡ ଜମୁଛି । ଥଣ୍ଡା ପାନୀୟର ଚାହିଦା ବଢିଥିବାବେଳେ ଲସି କିମ୍ବା ସରବତ ପିଇ ଆଶ୍ବସ୍ତ ଅନୁଭବ କରୁଛନ୍ତି ଲୋକେ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପାନୀୟ ଜଳ ସମସ୍ୟାରେ ହନ୍ତସନ୍ତ ଜିଲ୍ଲାବାସୀ । ତାପମାତ୍ରାର ଅହେତୁକ ବୃଦ୍ଧି ସହ ବିଜୁଳି କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି ।  

ସକାଳ ହେଲେ ପ୍ରବଳ ଗରମ ଆରମ୍ଭ ହୋଇଯାଉଥିବାରୁ ଲୋକଙ୍କ ଚିନ୍ତା ବଢି ଯାଉଛି । ଦିନ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଜିଲ୍ଲାରେ ଅଧିକାଂଶ ଦୋକାନ ବଜାର ବନ୍ଦ ରହୁଥିବାବେଳେ ରାସ୍ତାଘାଟ ଜନଶୂନ୍ୟ ହୋଇପଡୁଛି । ଗତ ସପ୍ତାହକ ଧରି ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଉଥିବାବେଳେ ଲୋକେ ବେଶ ସମସ୍ୟାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ଡାକ୍ତରଖାନାରେ ଅଂଶୁଘାତର ମୁକାବିଲା ପାଇଁ ବ୍ୟବସ୍ଥା କରିଛି ସ୍ବାସ୍ଥ୍ୟ ବିଭାଗ ।  

ଏଭଳି ଗରମ ସମୟରେ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଲାଗିଥିବା ବନାଗ୍ନି ତଥା ବିଭିନ୍ନ ଜମିରେ ଲାଗିଥିବା ନିଆଁ ଚିନ୍ତା ବଢାଉଛି । ଏହାଛଡା ଜିଲ୍ଲାର ଅନେକ ଅଞ୍ଚଳରେ ବେଆଇନ ଇଟାଭାଟି ଯୋଗୁଁ ପରିବେଶ ଅଧିକ ଉତ୍ତପ୍ତ ହେବାରେ ଲାଗିଛି । ଜିଲ୍ଲାର ବିଭିନ୍ନ ନାଳ ପୋଖରୀରେ ପାଣି ଶୁଖିଯିବା କାରଣରୁ ଗୃହପାଳିତ ପଶୁପକ୍ଷୀମାନଙ୍କ ସହିତ ଜଙ୍ଗଲର ବନ୍ୟଜନ୍ତୁମାନଙ୍କୁ ପାନୀୟ ଜଳ ସଙ୍କଟର ସମ୍ମୁଖୀନ ହେବାକୁ ପଡୁଛି । ତେବେ ଆଗକୁ କାଳବୈଶାଖି ଥିବାରୁ ତାତିରୁ ଜିଲ୍ଲାବାସୀଙ୍କୁ ତ୍ରାହି ମିଳିବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.