ପାରାଦ୍ୱୀପ ମୁହାଣରେ ବୁଡ଼ିଲା ମାଛଧରା ବୋଟ; 5 ଜଣ ମତ୍ସ୍ୟଜୀବୀ ଉଦ୍ଧାର, 3 ନିଖୋଜ

By ETV Bharat Odisha Team

Published : Sep 19, 2023, 6:00 PM IST

Updated : Sep 19, 2023, 11:04 PM IST

thumbnail

ଜଗତସିଂହପୁର: ପାରାଦ୍ବୀପରେ ଅଘଟଣ  । ମୁହାଣ ମୁହଁରେ ବୁଡିଗଲା ମାଛଧରା ବୋଟ୍  । ଆଜି(ମଙ୍ଗଳବାର) ଅପରାହ୍ନରେ ପାରାଦ୍ବୀପ ନେହେରୁ ବଙ୍ଗଳା ସମୁଦ୍ର ମୁହାଣ ପାଖରେ ଏକ ମାଛଧରା ବୋଟ୍ ବୁଡି ଯାଇଛି  । ବୋଟରେ ମୋଟ ୮ ଜଣ ମତ୍ସ୍ୟଜୀବୀ ଥିଲେ । ସ୍ଥାନୀୟ ମତ୍ସ୍ୟଜୀବୀମାନେ ବର୍ତ୍ତମାନ ସୁଦ୍ଧା ୫ ଜଣ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରରୁ ଉଦ୍ଧାର କରିଥିବା ବେଳେ ଅନ୍ୟମାନେ ଏବେ ବି ନିଖୋଜ ଅଛନ୍ତି  । ବର୍ତ୍ତମାନ ଓଡ୍ରାଫ ଟିମ ଓ ତଟରକ୍ଷୀ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି  ।

ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଅପରାହ୍ନ ୪ଟା ସମୟରେ 'ମା' ବାସୁଳେଇ ଭରଷା' ନାମକ ଏକ ମାଛଧରା ବୋଟ ଗଭୀର ସମୁଦ୍ରରୁ ମାଛଧରି ଫେରୁଥିଲା  । ପାରାଦ୍ବୀପ ମହାନଦୀ ମୁହାଣ ଦେଇ ମାଛଧରା ବନ୍ଦରକୁ ଫେରିବା ବେଳେ ହଠାତ୍ ବୋଟଟି ପ୍ରବଳ ଢେଉ ମାଡ଼ରେ ବୁଡି ଯାଇଥିଲା  । ଫଳରେ ମତ୍ସ୍ୟଜୀବୀମାନେ ଜୀବନ ବିକଳରେ ସମୁଦ୍ର ମଧ୍ୟକୁ ଡେଇଁ ପଡ଼ିଥିଲେ । ବୋଟ ବୁଡି ଯିବାର ଦେଖି ସ୍ଥାନୀୟ ମତ୍ସ୍ୟଜୀବୀ ସମୁଦ୍ରର ପ୍ରଖର ସ୍ରୋତରେ ଭାସି ଯାଉଥିବା ୫ ଜଣଙ୍କୁ ଉଦ୍ଧାର କରିଥିଲେ  । 

ଖବର ଜଣାପଡିବା ପରେ ଓଡ୍ରାଫ ଟିମ ଓ ତଟରକ୍ଷୀ ବାହିନୀ ବୋଟ ଯୋଗେ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଛି । ରାତି ହୋଇଯିବାରୁ ହେଲିକପ୍ଟର ଯୋଗେ ସମୁଦ୍ରର ପ୍ରାୟ ୨୦ କିଲୋମିଟର ରେଡ଼ିଏସନ ମଧ୍ୟରେ ସର୍ଚ୍ଚ କରାଯାଉଛି । ତେବେ ପାରାଦ୍ବୀପରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ରାତି ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ ଜଣ ମତ୍ସ୍ୟଜୀବୀଙ୍କ ପତ୍ତା ମିଳିପାରିନି ।  

ଏହାମଧ୍ୟ ପଢନ୍ତୁ : Bihar: ମଝି ନଦୀରେ ବୁଡିଲା 30 ପିଲାଙ୍କୁ ନେଇ ଯାଉଥିବା ଡଙ୍ଗା, 10 ନିଖୋଜ

ଏହି ଅଘଟଣକୁ ନେଇ ମତ୍ସ୍ୟଜୀବୀ ଅଭିଯୋଗ କରିଛନ୍ତି ଯେ, ମହାନଦୀର ମୁହାଣ ଧୀରେ ଧୀରେ ପୋତି ହୋଇ ଯାଉଥିବାରୁ ବର୍ଷା ଦିନେ ନଦୀର ସ୍ରୋତ ପ୍ରଖର ହେଉଛି । ଫଳରେ ମୁହାଣ ନିକଟରେ ସମୁଦ୍ରରେ ଉଚ୍ଚ ଜୁଆର ସୃଷ୍ଟି ହେବାରୁ ସିଧାସଳଖ ମତ୍ସ୍ୟଜୀବୀଙ୍କ ଡଙ୍ଗାରେ ମାଡ଼ ହୋଇ କ୍ଷୟକ୍ଷତି ଘଟୁଛି  । ଏଥିରେ ମତ୍ସ୍ୟଜୀବୀମାନଙ୍କ ଜୀବନ ମଧ୍ୟ ଯାଉଛି । ଗତ ଦୁଇ ମାସ ମଧ୍ୟରେ ମହାନଦୀ ମୁହାଣରେ ବାରମ୍ବାର ଦୁର୍ଘଟଣା ଘଟିଲାଣି ବୋଲି ସେମାନେ ପ୍ରକାଶ କରିଛନ୍ତି । ବର୍ତ୍ତମାନ ହେଲିକପ୍ଟର ଯୋଗେ ସର୍ଚ୍ଚ ଅପରେସନ ଜାରି ରହିଛି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Sep 19, 2023, 11:04 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.