Digital Dialogue: ସାପ କାମୁଡିଲେ ସାନ୍ତ୍ୱନା ଦିଅନ୍ତୁ, ଭୟଭୀତ କରାନ୍ତୁ ନାହିଁ: ଶୁଭେନ୍ଦୁ ମଲ୍ଲିକ

By

Published : Jul 29, 2023, 6:52 PM IST

Updated : Jul 29, 2023, 7:05 PM IST

thumbnail

ଭୁବନେଶ୍ବର: ଗତ କିଛି ଦିନ ହେଲା ସାପ କାମୁଡାର ବିଭିନ୍ନ ଘଟଣାମାନ ସାମନାକୁ ଆସିଛି । ରାଜ୍ୟରେ ପ୍ରାୟ 7ରୁ 8ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । କେନ୍ଦୁଝରରେ କୋଚିଂ ସେଣ୍ଟରରେ 3ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦେବଗଡ ଏବଂ ମୟୁରଭଞ୍ଜରେ 3ଜଣଙ୍କ ମୃତ୍ୟୁ ହୋଇଛି । ସାପ କାମୁଡିବାରୁ ଏହି ମୃତ୍ୟୁ ହୋଇଥିବା କାରଣରୁ ଏବେ ସାପ କାମୁଡାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ସ୍ନେକ ହେଲପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଇଟିଭି ଭାରତ ଡିଜିଟାଲ ଡାଏଲଗ କାର୍ଯ୍ୟକ୍ରମରେ ଭାଗନେଇ କହିଛନ୍ତି ସାପ କାମୁଡିଲେ , କାମୁଡିଥିବା ବ୍ୟକ୍ତି ବା ପିଲାଙ୍କୁ ଶାନ୍ତ୍ୱନା ଦିଅନ୍ତୁ । ଅଧିକ ଡରାନ୍ତୁ ନାହିଁ କି ଭୟଭୀତ କରାନ୍ତୁ ନାହିଁ ।

ଏପରି କରିବା ଦ୍ବାରା ରକ୍ତ ସଂଚାଳନ ଶରୀରରେ ବଢିଥାଏ । ଫଳରେ ବିଷ କମ ସମୟ ମଧ୍ୟରେ ପୁରା ଶରୀରକୁ ବ୍ୟାପିଥାଏ । ଯଦି ଆପଣଙ୍କୁ ସାପ କାମୁଡୁଛି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଜାଣି ରଖନ୍ତୁ କଣ କରିବେ ଆଉ କଣ କରିବେ ନାହିଁ । ସାପ କାମୁଡିବା ମାତ୍ରେ କାମୁଡିଥିବା ସ୍ଥାନଠାରୁ ଟିକିଏ ଉପରେ ଗାମୁଛା କିମ୍ବା ବ୍ୟାଣ୍ଡେଜ କପଡାରେ ହାଲକା ଭାବେ ବାନ୍ଧି ଦିଅନ୍ତୁ । ଏପରି କରିବା ଦ୍ବାରା ସାପର ବିଷ ପୁରା ଶରୀରକୁ ବ୍ୟାପି ନଥାଏ । ଡାକ୍ତରଖାନାକୁ ନେବା ସମୟରେ ସାପ କାମୁଡିଥିବା ବ୍ୟକ୍ତିଙ୍କ ଆଚରଣ ଉପରେ ନଜର ରଖନ୍ତୁ । ଯେପରିକି ସିଏ ବାନ୍ତି କରୁଛନ୍ତି ନା ନାହିଁ, ବାନ୍ତିରେ ରକ୍ତ ପଡିଛି କି ନାହିଁ , ବେହୋଶ ହେଉଛନ୍ତି କି ?

ଡାକ୍ତରଖାନାରେ ପହଞ୍ଚିବାପରେ ଏସମସ୍ତ ଲକ୍ଷଣ ସମ୍ପର୍କରେ ଡାକ୍ତରଙ୍କୁ ଅବଗତ କରାନ୍ତୁ । ଏହା ଦ୍ବାରା ଡାକ୍ତର ଜାଣିପାରିବେ, କେଉଁ ସାପ କାମୁଡିଛି ଏବଂ ବିଷର ପ୍ରଭାବର ମାତ୍ରା କିପରି ରହିବ । ସାପ କାମୁଡିବାର ପ୍ରଥମ ଏକ ଘଣ୍ଟା ହେଉଛି ଗୋଲଡେନ ଆଓ୍ବାର । ଏହି ସମୟ ମଧ୍ୟରେ ଚାହିଁଲେ ଜଣେ ବ୍ୟକ୍ତିଙ୍କୁ ବଞ୍ଚାଇ ହେବ । 

ସାପ କାମୁଡିଲେ କଣ କରିବେ ନାହିଁ । ଯଦି କୌଣସି ବିଲରେ ସାପ କାମୁଡିଛି, ତେବେ ଦୌଡାଦୌଡି କରନ୍ତୁ ନାହିଁ । ଚାଲି ଚାଲି ଗାଡି ପର୍ଯ୍ୟନ୍ତ ଆସନ୍ତୁ କିମ୍ବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆସନ୍ତୁ । ଏପରି କରିବା ଦ୍ବାରା ବିଷ ଶରୀର ମଧ୍ୟରେ ପ୍ରବାହିତ ହେବାକୁ ସମୟ ଲାଗେ । ଦୌଡିଲେ ରକ୍ତସଂଚାଳନ ବଢିଯାଏ । ଫଳରେ ବିଷ ପୁରା ଶରୀରକୁ ଖେଳିଯାଏ । ଯେଉଁ ସ୍କୁଲରେ କିମ୍ବା କୋଚିଂ ସେଣ୍ଟରରେ ସାପ କାମୁଡିବାର ଚିତ୍ର ଆସିଛି , ସେଠାରେ ତାର ଜାଲି ଚାରିପଟେ ଘୋଡାଇ ରଖନ୍ତୁ । ସାପ କାମୁଡିବା ବେଳେ ବଡ ଦାୟିତ୍ବ ହେଉଛି, ଫାଷ୍ଟଏଡ । ବା ପ୍ରାଥମିକ ଚିକିତ୍ସା । ତେଣୁ ବ୍ୟସ୍ତ ନହୋଇ ସରକାରୀ ଡାକ୍ତରଖାନାକୁ ନେବାକୁ ଚେଷ୍ଟା କରନ୍ତୁ । କାରଣ ସରକାରୀ ଡାକ୍ତରଖାନାରେ ମାଗଣାରେ ଆଣ୍ଟିଭେନମ ମିଳିଥାଏ । ଏହି ଆଣ୍ଟି ଭେନମ ହିଁ ବିଷ ସହିତ ଲଢେଇ କରି ରୋଗୀକୁ ବଞ୍ଚାଇ ଥାଏ । କିନ୍ତୁ ଯେଉଁ କୋଚିଂ ସେଣ୍ଟରରେ ଏହି ଘଟଣା ଘଟିଗଲା ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି କହିଛନ୍ତି ଶୁଭେନ୍ଦୁ । ବଡ଼ ଦିଗଟି ହେଲା ସାପ କାମୁଡିଲେ ଅନ୍ଧ ବିଶ୍ବାସର ବଶବର୍ତ୍ତି ହୋଇ ଝଡାଫୁଙ୍କା କରନ୍ତୁ ନାହିଁ କିମ୍ବା ମନ୍ଦିରକୁ ନିଅନ୍ତୁ ନାହିଁ । 

ଏହା ବି ପଢନ୍ତୁ - ବଞ୍ଚିଯିବ ଜୀବନ: ଜାଣନ୍ତୁ ସାପ କାମୁଡିଲେ କଣ କରିବେ, କଣ ନାହିଁ

ଏପରି କରିବା ଦ୍ବାରା ଜୀବନ ବଞ୍ଚିବ ନାହିଁ । ଯଦି କେହି କହୁଛି ଏପରି କରିବା ଦ୍ବାରା ଜୀବନ ବଞ୍ଚିଯିବ ସେହି ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ । ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଲେ ଏପରି ଅନ୍ଧବିଶ୍ବାସ ଦୂର ହେବ ଏବଂ ବହୁ ମୁଲ୍ୟବାନ ଜୀବନ ବଞ୍ଚିଯାଇପାରିବ । ସେହିପରି ଏଲୋପାଥିକ ଛଡା ଅନ୍ୟ ଆୟୁର୍ବେଦିକ ଏବଂ ହୋମୋଓପାଥିକ ଚିକିତ୍ସା କରନ୍ତୁ ନାହିଁ ।  ଦେଖନ୍ତୁ  ସ୍ନେକ ହେଲପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ସହ ସମ୍ପୂର୍ଣ୍ଣ ସାକ୍ଷାତକାର । 

ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡିଶା 

Last Updated : Jul 29, 2023, 7:05 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.