thumbnail

ଉପଖଣ୍ଡ କାରାଗାରରୁ କଏଦୀ ଚମ୍ପଟ ଘଟଣା; ଜେଲର ଚିଫ୍ ୱାର୍ଡର ନିଲମ୍ବିତ - Chief Warden Suspended

By ETV Bharat Odisha Team

Published : Jun 16, 2024, 12:35 PM IST

ରାଇରଙ୍ଗପୁର: ଉପଖଣ୍ଡ କାରାଗାରରୁ ଜନୈକ କଏଦୀ ଚମ୍ପଟ ମାରିବା ଘଟଣା । ଜେଲର ଚିଫ୍ ୱାର୍ଡରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଜେଲ୍ ଡିଆଇଜିଙ୍କ ଦ୍ଵାରା ତଦନ୍ତ କରାଯାଇ ଏହି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଜେଲରୁ କଏଦୀ ଫେରାର ହେବା ଘଟଣାଟି ଘଟିଥିଲା ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡ କାରାଗାରରୁ । ଜେଲ ଡିଆଇଜି ଅନୁସୂୟା ଜେନା ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ କରଞ୍ଜିଆ ସବ ଜେଲର ଚିଫ୍ ୱାର୍ଡର ଗୋମାନ ଜାମୁଦାଙ୍କ କର୍ତ୍ତବ୍ୟରେ ଅବହେଳା କାରଣରୁ କଏଦୀ ଜଣକ ଫେରାର ହେବା ଜଣାପଡିବା ପରେ ଗୋମାନ ଜାମୁଦାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଫେରାର ଥିବା କଏଦୀ ଜଣଙ୍କର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳି ପାରିନାହିଁ। ଫେରାର କଏଦୀ ଜଣକ ଏକ ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିଲେ ଓ ସେ ଠାକୁରମୁଣ୍ଡା ଥାନା ଅଧିନସ୍ଥ ଅଞ୍ଚଳର ଲକ୍ଷ୍ମଣ ମହାନ୍ତ ବୋଲି ଜଣାପଡିଛି । 

ଏହା ମଧ୍ୟ ପଢନ୍ତୁ: ଟିଟିଲାଗଡ଼ ଉପକାରାଗାରରୁ 2 କଏଦୀ ଚମ୍ପଟ, ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଅଭିଯୋଗ
ସୁଚନା ଅନୁଯାୟୀ, ୨୦୧୨ ମସିହାରେ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସାନ ମହୁଲଡିହା ଗ୍ରାମରେ ଘଟିଥିଲା ଏକ ହତ୍ୟାକାଣ୍ଡ । ଉକ୍ତ ହତ୍ୟାକାଣ୍ଡ ଘଟଣାରେ ଲକ୍ଷ୍ମଣ ମହାନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡର ସଜା ଶୁଣାଇଥିଲେ କୋର୍ଟ । ଲକ୍ଷ୍ମଣ ମହାନ୍ତ କରଞ୍ଜିଆ ଉପ କାରାଗାରରେ ଆଜୀବନ କାରାଦଣ୍ଡ ଭୋଗୁଥିବା ବେଳେ ଗତ ୧୧ତାରିଖ ଦିନ ସୁଯୋଗ ପାଇ କୌଶଳକ୍ରମେ ଜେଲରୁ ଚମ୍ପଟ ମାରିଥିଲେ । କରଞ୍ଜିଆ ଉପଖଣ୍ଡ କାରାଗାରର ଜେଲର ଛୁଟିରେ ରହିଥିବା ବେଳେ ସବ୍ ଜେଲର ଏ ନେଇ କରଞ୍ଜିଆ ଥାନରେ ଏକ ଲିଖିତ ଅଭିଯୋଗ କରିଥିଲେ । କରଞ୍ଜିଆ ଥାନା ପୋଲିସ କେସ ନଂ ୧୯୧/୨୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା । ସେପଟେ ଘଟଣା ସମ୍ପର୍କରେ ଖବର ପାଇ ଜେଲ ବିଭାଗର ଡିଆଇଜି ଅନୁସୂୟା ଜେନା କରଞ୍ଜିଆ ସବ ଜେଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ପରେ ଗୋମାନ ଜାମୁଦାଙ୍କୁ ନିଲମ୍ବିତ କରିଛନ୍ତି ଜେଲ ଡିଆଇଜି ଅନୁସୂୟା ଜେନା । 

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.