ମା’ ସୁରେଶ୍ୱରୀଙ୍କ ଭୁବନେଶ୍ଵରୀ ବେଶ

By

Published : Oct 12, 2021, 6:08 AM IST

thumbnail

ସୁବର୍ଣ୍ଣପୁର: ସୋନପୁର ଗଡଜାତର ଇଷ୍ଟଦେବୀ ମା ସୁରେଶ୍ବରୀ ଆଜି ଆଶ୍ବୀନ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ ଭୁବନେଶ୍ଵରୀ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି । ଆସନ୍ତାକାଲି ଦେବୀ ମା ବଗଳାମୁଖି ବେଶ ଧାରଣ କରିବେ । ତେବେ ଦେବୀ ମା ସୁରେଶ୍ବରୀ ଆଶ୍ବିନ ମହାଳୟାଠାରୁ ଆରମ୍ଭ କରି ଦଶମୀ ତିଥି ଯାଏଁ ଭିନ୍ନ ଭିନ୍ନ ବେଶ ଧାରଣ କରିଥାନ୍ତି । ମହାଳୟାରେ ଦେବୀ ମା ଧବଳମୁଖୀ ବେଶ ଧାରଣ କରିଥାନ୍ତି । ସେହିପରି ପ୍ରତିପଦରେ କାଳୀ ,ଦ୍ଵିତୀୟାରେ ତାରା , ତୃତୀୟାରେ ଷୋଡ଼ଶୀ ,ଚତୁର୍ଥୀରେ ଭୈରବୀ ବେଶ ଧାରଣ କରିବାର ପରମ୍ପରା ରହିଛି।ମହାଷ୍ଟମୀ ତିଥିରେ ମହିଷ ମରଦିନି ଓ ମହାନବମୀ ତିଥିରେ ରାଜରାଜେଶ୍ବରୀ ବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହୋଇଥାଏ ଏହି ପୀଠରେ । ବର୍ଷ ତମାମ ରକ୍ତମୁଖା ଦେବୀଙ୍କ ସଶରୀର ସିନ୍ଦୁର ପ୍ରଲେପ କରାଯିବା ସହିତ ଗାଢ ନାଲି ରଂଗର ବସ୍ତ୍ର ପରିଧାନ କରାଯାଉଥିବା ବେଳେ ଆଜି କିନ୍ତୁ ଦେବୀମା ସୁନା ଓ ରୁପା ଆଭୂଷଣରେ ସଜ୍ଜିତ ହୋଇ ହାଲକା ଫଗୁ ରଙ୍ଗର ପାଟ ବସ୍ତ୍ର ପରିଧାନ କରିଛନ୍ତି । ମହାଳୟାରେ ସେବାୟତମାନେ ଗଙ୍ଗାଜଳ ,ଅଙ୍ଗୁର ,ଚନ୍ଦନ ,କର୍ପୁର ଆଦି ପ୍ରଲେପ କରି ଶ୍ବେତ ବସ୍ତ୍ର ପ୍ରଦାନ କରିଥିବା ବେଳେ ପ୍ରତିପଦ ଓ ଦ୍ଵିତୀୟା ତିଥିରେ ଦେବୀମା କଳା ବସ୍ତ୍ର ଧାରଣ କରିନ୍ତି। ତେବେ ସୁବର୍ଣ୍ଣପୁରର ଐତିହାସୀକ ବଳୀଯାତ୍ରା ଆରମ୍ଭ ହୋଇ ଯାଇଥିବା ବେଳେ ଶ୍ରଦ୍ଧାଳୁମାନେ ବଳୀଯାତ୍ରାରେ ସାମିଲ ହୋଇ ଦେବୀ ମା ସୁରେଶ୍ବରୀଙ୍କ କୃପା ଭିକ୍ଷା ସାଉଁଟିବାକୁ ଛୁଟି ଆସୁଛନ୍ତି ଏହି ଶାକ୍ତ ପୀଠକୁ । ଦେବୀଙ୍କ ସଂଧ୍ୟା ଆରତୀ ଦର୍ଶନ କରି ଦେବୀ କୃପା ଲାଭ କରିବାକୁ ଏହି ଶକ୍ତି ପୀଠରେ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହେଉଛି । ଶୃଙ୍ଖଳିତ ସନ୍ଧ୍ୟା ଆରତୀ ଦର୍ଶନ ଓ କୋଭିଡ ନିୟମ ଅନୁପାଳନ କରିବାକୁ ସେବାୟତ ଓ ମନ୍ଦିର କମିଟିକୁ ଦେବୋତ୍ତର ବିଭାଗ ଆବଶ୍ୟକ ନିର୍ଦ୍ଦେଶ ଦେଇଛି । ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.