ଆସନ୍ତାକାଲି ମଧ୍ୟରାତ୍ରରୁ ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

By

Published : Apr 3, 2023, 5:10 PM IST

thumbnail

ବ୍ରହ୍ମପୁର: ଆସନ୍ତାକାଲି ମଧ୍ୟରାତ୍ରରୁ ଆରମ୍ଭ ହେବ ବ୍ରହ୍ମପୁର ସହରର ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀ ଯାତ୍ରା । ମାଆଙ୍କ ଯାତ୍ରା ପାଇଁ ଅସ୍ଥାୟୀ ମଣ୍ଡପ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଚଳିତବର୍ଷ ମାଆଙ୍କ ଯାତ୍ରା ୨୮ ଦିନ ଧରି ଆୟୋଜିତ ହେବାକୁ ରହିଥିବା ବେଳେ ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରାଯିବାକୁ ନେଇ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ପୋଲିସ ପ୍ରଶାସନ ଏବଂ ମା'ଙ୍କ ବାପଘର କୁହାଯାଉଥିବା ଦେଶୀବେହେରାଙ୍କ ପକ୍ଷରୁ ପ୍ରସ୍ତୁତି କରାଯାଇଛି ।  

ପରମ୍ପରା ଅନୁଯାୟୀ ଆସନ୍ତାକାଲି ସକାଳ ସମୟରେ ମା'ଙ୍କ ବାପଘର ପକ୍ଷରୁ ସହର ବାସିନ୍ଦାଙ୍କୁ ଯାତ୍ରା ସମ୍ପର୍କରେ ଅବଗତ କରାଯିବା ପାଇଁ ଧେଣ୍ଡୁରା ଦିଆଯିବ । ପରେ ମା'ଙ୍କ ମୁଖ୍ୟ ପୀଠ ଏବଂ ସହରର ସାନ କାଳିକା ଠାକୁରାଣୀ ମନ୍ଦିରରେ ମଧ୍ୟରାତ୍ରରେ ମା'ଙ୍କୁ ନିମନ୍ତ୍ରଣ କରାଯିବ ବୋଲି ସୂଚନା ଦିଆଯିବ । ଏଥିସହ ମା'ଙ୍କ ଆଗମନକୁ ଦୃଷ୍ଟିରେ ରଖି ବିଭିନ୍ନ ସାହିରେ ଦିଗ ବନ୍ଧନ ପୂଜାର୍ଚ୍ଚନା କରାଯିବା ପରେ ମା'ଙ୍କୁ ନିମନ୍ତ୍ରଣ ପାଇଁ ଯିବାକୁ ରହିଥିବା ଫୁଲ ଚାଙ୍ଗୁଡିକୁ ନେଇ ଦେଶୀବେହେରାଙ୍କ ଧର୍ମପତ୍ନୀଙ୍କ ସହିତ ଯାତ୍ରାର ମୁଖ୍ୟ ପରିଚାଳକ କୁହାଯାଉଥିବା ଦୁର୍ଗାପ୍ରସାଦ ଦେଶୀବେହେରା ନିଜର ସାହି ବାସିନ୍ଦା ଏବଂ ବ୍ରହ୍ମପୁର ସହରବାସିନ୍ଦାଙ୍କୁ ନେଇ ଏକ ବୀରପାଠ ଶୋଭାଯାତ୍ରାରେ ମା'ଙ୍କ ମନ୍ଦିର ନିକଟରେ ପହଞ୍ଚି ମା'ଙ୍କୁ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରିବେ । ଏହା ପରେ ମା'ଙ୍କ ଆଜ୍ଞାମାଳ ମିଳିବା ପରେ ଯାତ୍ରା ଆରମ୍ଭ ହେଲା ବୋଲି ଧରି ନିଆଯାଇଥାଏ । ସେପଟେ ଆସନ୍ତାକାଲି ମା'ଙ୍କ ଯାତ୍ରା ଆରମ୍ଭ ହେବାକୁ ରହିଥିବା ବେଳେ ଏହି ଅବସରରେ କିପରି ରହିଛି ପ୍ରସ୍ତୁତି, ସେନେଇ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ସମୀର ଆଚାର୍ଯ୍ୟ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.