ETV Bharat / sukhibhava

ବୈଜ୍ଞାନିକଙ୍କ ଦାବି, ଆଲଜାଇମରକୁ ମାତ ଦେବ ଷ୍ଟେମ୍‌-ସେଲ୍‌ ଥେରାପୀ !

author img

By ETV Bharat Odisha Team

Published : Sep 27, 2023, 12:25 PM IST

cure for Alzheimer's with stem cell therapy
cure for Alzheimer's with stem cell therapy

ହାରିବ ରୋଗ, ଜିତିବ ବିଜ୍ଞାନ! ବୈଜ୍ଞାନିକଙ୍କ ଦାବି କରି କହିଛନ୍ତି ଯେ, ଆଲଜାଇମରକୁ ମାତ ଦେବ ଷ୍ଟେମ-ସେଲ ଥେରାପୀ। ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଆଲଜାଇମର ହେଉଛି ଏକ ସ୍ନାୟୁଗତ ବ୍ୟାଧି ଯାହା ମସ୍ତିଷ୍କର କାର୍ଯ୍ୟକଳାପ ଯେପରିକି ସ୍ମୃତି ଏବଂ ଜ୍ଞାନଗତ କାର୍ଯ୍ୟ ଉପରେ ପ୍ରଭାବ ପକାଇଥାଏ । ବର୍ତ୍ତମାନ ଆଲଜାଇମରକୁ ନେଇ ସମଗ୍ର ବିଶ୍ବରେ ମଧ୍ୟ ଅଧ୍ୟୟନ ଏବଂ ଅନୁସନ୍ଧାନ ଜାରି ରହିଛି । ରେଗର ଚିକିତ୍ସା ଏବଂ ପରିଚାଳନା ପାଇଁ ବୈଜ୍ଞାନିକମାନେ ମଧ୍ୟ କ୍ରମାଗତ ପ୍ରୟାସ ଜାରି ରଖିଛନ୍ତି । ଏହାରି ଭିତରେ ଆଉ ଏକ ଅନୁସନ୍ଧାନ ଆଶାର କିରଣ ଉଇଁଛି । ଆମେରିକାର ଷ୍ଟାନଫୋର୍ଡ୍‌ ୟୁନିଭର୍ସିଟିର ବୈଜ୍ଞାନିକମାନେ କହିଛନ୍ତି ଯେ, ଆଲଜାଇମର ରୋଗ ହେତୁ ମସ୍ତିଷ୍କରେ ହେଉଥିବା ତ୍ରୁଟିକୁ ହ୍ରାସ କରିବା ପାଇଁ ଷ୍ଟେମ-ସେଲ୍‌ ଥେରାପୀ ବ୍ୟବହାର କରାଯାଇପାରିବ ।

ତେବେ ଏହାର ପରୀକ୍ଷଣ ମୂଷାମାନଙ୍କ କ୍ଷେତ୍ରରେ ସଫଳ ହୋଇଥିବା ନେଇ କୁହାଯାଇଛି । ଆଲଜାଇମର ରୋଗର ଚିକିତ୍ସା କ୍ଷେତ୍ରରେ ବ୍ରେନରେ ବୃଦ୍ଧି ହେଉଥିବା ଆମଲୋଇଡର ବୃଦ୍ଧିକୁ ରୋକିବା ପ୍ରଥମ ଲକ୍ଷ୍ୟ ଅଟେ। କେବଳ ଏହି ଲକ୍ଷଣ ଆଲଜାଇମର ଲକ୍ଷଣ କି ନୁହେଁ ତାହା ଅସ୍ପଷ୍ଟ।

ତେବେ ବୃଦ୍ଧାବସ୍ଥାରେ ଆଲଜାଇମର ମାଇକ୍ରୋଗ୍ଲିଆ ନାମକ ଏକ ପ୍ରକାର ମସ୍ତିଷ୍କ କୋଷରେ ପରିବର୍ତ୍ତନ ମଧ୍ୟରେ ଏକ ସ୍ପଷ୍ଟ ଲିଙ୍କ ଥିବା ଦେଖାଯାଇଛି। ମାଇକ୍ରୋଗ୍ଲିଆ ମସ୍ତିଷ୍କ କୋଷକୁ ଭୂତାଣୁ ଏବଂ ବ୍ୟାକ୍ଟେରିଆରୁ ରକ୍ଷା କରିଥାଏ । ଏହା ମସ୍ତିଷ୍କରେ ଜମା ହେଉଥିବା ମେଟାବୋଲିକ୍ ବର୍ଜ୍ୟବସ୍ତୁକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ । ବୈଜ୍ଞାନିକମାନେ ମାଇକ୍ରୋଗ୍ଲିଆର କେତେକ ଜେନେଟିକ୍ ଭାରିଆଣ୍ଟ୍‌ ଏବଂ ଆଲଜାଇମର ବିପଦ ମଧ୍ୟରେ ଏକ ଦୃଢ ସଂଯୋଗ ଚିହ୍ନଟ କରିଛନ୍ତି । ଏହା ଦେଖାଗଲା ଯେ ଏଥିରେ Trem-2 ଜିନ୍ ମଧ୍ୟ ଉପସ୍ଥିତ ରହିଥିଲା ।

ଏହା ମଧ୍ୟ ପଢନ୍ତୁ: ଦୂର ହେବ ଭୁଲା ରୋଗ ଆଲଜାଇମର୍ ! ଏହି ଉପାୟ ଆବିଷ୍କାର କଲେ ବୈଜ୍ଞାନିକ

ପରୀକ୍ଷଣରେ ତ୍ରୁଟିପୂର୍ଣ୍ଣ Trem-2 ଜିନ୍ ଥିବା ମୂଷାମାନଙ୍କୁ ଚୟନ କରାଯାଇଥିଲା । ସାଧାରଣ Trem2 ଧାରଣକାରୀ ମୂଷାମାନଙ୍କଠାରୁ ସୃଷ୍ଟି ହୋଇଥିବା ଷ୍ଟେମ୍ କୋଷଗୁଡ଼ିକ ସେମାନଙ୍କ ମଧ୍ୟରେ ପ୍ରବେଶ କରାଗଲା । ଏହା ଦେଖାଗଲା ଯେ ସେହି କୋଷଗୁଡ଼ିକ 'ତ୍ରୁଟିପୂର୍ଣ୍ଣ' ମୂଷାଙ୍କ ମସ୍ତିଷ୍କକୁ ଯାଇ ମାଇକ୍ରୋଗ୍ଲିଆରେ ପରିଣତ ହେଇଥିଲା । ଏହାସହ ଅନେକ କ୍ଷତିଗ୍ରସ୍ତ କୋଷଗୁଡ଼ିକର ସ୍ଥାନ ନେଇଥିଲା । ଫଳସ୍ୱରୂପ, ଏହି ମୂଷାମାନଙ୍କରେ ସାଧାରଣଃ Trem2 କାର୍ଯ୍ୟଗୁଡିକ କରିବା ସମ୍ଭବ ହୋଇଥିଲା । ଏହା ଆଲଜାଇମର ସହିତ ଜଡ଼ିତ ଆମଲୋଏଡ ଏବଂ ଅନ୍ୟାନ୍ୟ ଲକ୍ଷଣର ପରିମାଣକୁ ହ୍ରାସ କରିବାରେ ସକ୍ଷମ ହୋଇଥିଲା ।

ଏକ ରିପୋର୍ଟ ଅନୁସାରେ, ଷ୍ଟେମ୍ ସେଲ୍ ଥେରାପୀ ରିଜନରେଟିକ ମେଡିସିନ ଭାବେ ଜଣାଶୁଣା। ରୋଗଗ୍ରସ୍ତ, ଅକ୍ଷମ ଏବଂ ଆହତ ଟିସୁଗୁଡିକର ମରାମତି ପ୍ରତିକ୍ରିୟାକୁ ପ୍ରୋତ୍ସାହିତ କରିବା ପାଇଁ ଷ୍ଟେମ୍ ସେଲ୍ ଥେରାପୀ ବ୍ୟବହୃତ ହୋଇଥାଏ। ଅନୁସନ୍ଧାନକାରୀମାନେ ଲ୍ୟାବରେ ଷ୍ଟେମ୍ ସେଲକୁ ବୃଦ୍ଧି କରିଥାଆନ୍ତି। ଏହି ଷ୍ଟେମ୍ କୋଷଗୁଡିକ ନିର୍ଦ୍ଦିଷ୍ଟ ପ୍ରକାରର କୋଷଗୁଡ଼ିକୁ ଯେପରିକି ହୃଦୟ ମାଂସପେଶୀ କୋଷ, ରକ୍ତ କଣିକା ଏବଂ ସ୍ନାୟୁ କୋଷ ବଦଳାଇବାରେ ସକ୍ଷମ ହୋଇଥାଆନ୍ତି । ଏହି ସ୍ୱତନ୍ତ୍ର ସେଲ୍‌ଗୁଡ଼ିକ ଜଣେ ବ୍ୟକ୍ତିଙ୍କ ଦେହରେ ପ୍ରତିରୋପଣ କରାଯାଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.