ETV Bharat / state

ରାଉରକେଲାରେ କନ୍ଦାଉଛି ପିଆଜ, ଆକାଶଛୁଆଁ ଦର

author img

By ETV Bharat Odisha Team

Published : Oct 30, 2023, 2:19 PM IST

କନ୍ଦାଉଛି ପିଆଜ । ବଜାରରେ ପିଆଜ ଏକ କେଜି ପିଛା ଦର 60 ଟପିଲାଣି । ଆହୁରି ଦରବୃଦ୍ଧି ନେଇ ଆଶଙ୍କା କରାଯାଉଛି । ଅଧିକ ପଢ଼ନ୍ତୁ

Etv Bharat କନ୍ଦାଉଛି ପିଆଜ , ଆକାଶଛୁଆଁ ଦର
Etv Bharat କନ୍ଦାଉଛି ପିଆଜ , ଆକାଶଛୁଆଁ ଦର

କନ୍ଦାଉଛି ପିଆଜ , ଆକାଶଛୁଆଁ ଦର

ରାଉରକେଲା: କନ୍ଦାଉଛି ପିଆଜ । ରାଉରକେଲା ସମେତ ସାରା ରାଜ୍ୟରେ ଆକାଶ ଛୁଆଁ ହେଉଛି ପିଆଜ ଦର । ରାଉରକେଲା ସହରରେ ପିଆଜ ଏକ କେଜି ପିଛା 60 ରୁ 70ଟଙ୍କାରେ ବିକ୍ରି ହେଉଛି । ତେବେ ନୂଆ ପିଆଜ ମାର୍କେଟ୍‌କୁ ଆସିନଥିବାରୁ ପୁରୁଣା ପିଆଜ ଦର ବୃଦ୍ଧି ପାଉଥିବା ବ୍ୟବସାୟୀମାନେ କହୁଥିବା ବେଳେ ପିଆଜ ଦରବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାହକ ।

ସାରା ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ପିଆଜ ଦର । କିଛି ଦିନ ତଳେ ପିଆଜ ଏକ କେଜି ପିଛା 20ରୁ 25 ଟଙ୍କାରେ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ଏହି ଦର 60ରୁ 70ରେ ପହଞ୍ଚିଛି । ତେବେ ଖାଦ୍ୟ ସାମଗ୍ରୀ ମଧ୍ୟରେ ପିଆଜ ନିହାତି ଆବଶ୍ୟକ ପଡୁଥିବା ବେଳେ ଆକାଶଛୁଆଁ ଦରକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାହକମାନେ । ହଠାତ୍ ଏଭଳି ଦରବୃଦ୍ଧି ଖାଉଟିମାନଙ୍କୁ ବିଚଳିତ କରିବା ସହ ମଧ୍ୟବର୍ତ୍ତୀ ଶ୍ରେଣୀର ଘରୋଇ ବଜେଟ ଉପରେ ଏକ ବଡ଼ ପ୍ରଭାବ ପଡ଼ିଛି । ଲୋକମାନେ ଯେତିକି ପରିମାଣରେ ପିଆଜ ନେବା କଥା ସେହି ପରିମାଣରୁ ଯଥେଷ୍ଟ କମ୍‌ ନେଉଥିବା କହିଛନ୍ତି ।

ଏହାମଧ୍ୟ ପଢନ୍ତୁ.. Skyrocketing Price Of Onion: ‘ପିଆଜ କଳାବଜାରୀ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ’

ତେବେ ବ୍ୟବସାୟୀଙ୍କ କହିବାନୁଯାୟୀ, ପାଣିପାଗରେ ପରିବର୍ତ୍ତନ ହେତୁ ଏପର୍ଯ୍ୟନ୍ତ ନୂଆ ପିଆଜ ବାହାରି ପାରିନାହିଁ । ଯେଉଁଥିପାଇଁ ବଜାରରେ ଗଚ୍ଛିତ ଥିବା ପୁରୁଣା ପିଆଜ ଦର ବୃଦ୍ଧି ପାଉଛି । ତେବେ ଦର ବୃଦ୍ଧି ପାଇବା ହେତୁ ବ୍ୟବସାୟ ଉପରେ ବି ଏହାର ସିଧାସଳଖ ପ୍ରଭାବ ପଡୁଛି । ଗ୍ରାହକମାନେ ଯେତିକି ପରିମାଣରେ ପିଆଜ ନିଅନ୍ତି ତାହାଠାରୁ ଖୁବ କମ ପରିମାଣରେ ନେଉଛନ୍ତି ଓ ଦରବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିବା କହିଛନ୍ତି ପିଆଜ ବ୍ୟବସାୟୀ ।

ଅନ୍ୟପଟେ ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଯୋଗାଣ ବିଭାଗ ପକ୍ଷରୁ ପିଆଜ ଅଭାବୀ ବିକ୍ରି ଏବଂ ପିଆଜ ବିକ୍ରି ଦର ଉପରେ ନଜର ରଖାଯାଇଛି । ଏବଂ ଯଦି କେହି ପିଆଜ ଅଭାବୀ ବିକ୍ରି ଉପରେ ଅତ୍ୟଧିକ ଲାଭ କରି କଳାବଜାରୀ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଯୋଗାଣ ବିଭାଗ ଅଧିକାରୀ ।

ତେବେ ଆଗାମୀ ଦିନରେ ଏହି ପିଆଜ ଦର ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ଯେପର୍ଯ୍ୟନ୍ତ ନୂଆ ପିଆଜ ବଜାରକୁ ନଆସିଛି ସେ ପର୍ଯ୍ୟନ୍ତ ପିଆଜ ଦର ବୃଦ୍ଧି ପାଇପାରେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.