ETV Bharat / state

Untold Story Of Mirigkhoj: ରାମଙ୍କ ବନବାସର ସାକ୍ଷୀ ମିରିଗଖୋଜ, ଏଠି ଅଛି ରାମ ଆମ୍ବ-ରାମ କଦଳୀ

author img

By

Published : Jun 25, 2023, 10:22 PM IST

mirigkhoj waterfall in sundargarh
ରାମଙ୍କ ବନବାସର ସାକ୍ଷୀ ମିରିଗଖୋଜ

ସୁନ୍ଦରଗଡ଼ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ମିରିଗଖୋଜ । କୁହାଯାଏ ବନବାସ ସମୟରେ ରାମ ଏହି ସ୍ଥାନରେ ବାସ କରିଥିଲେ । ଅଧିକ ପଢ଼ନ୍ତୁ

ରାମଙ୍କ ବନବାସର ସାକ୍ଷୀ ମିରିଗଖୋଜ

ରାଉରକେଲା: ପୌରାଣିକ ଇତିହାସର ଗନ୍ତାଘର ସୁନ୍ଦରଗଡ଼ ଜିଲ୍ଲା । ଏଠାରେ ଲୁଚି ରହିଛି ଅନେକ ରହସ୍ୟମୟ ସ୍ଥାନ । ସେହିପରି ଏକ ପ୍ରାକୃତିକ ଓ ଐତିହ୍ୟମୟ ପର୍ଯ୍ୟଟନ କ୍ଷେତ୍ର ହେଉଛି ମିରିଗଖୋଜ । ସୁନ୍ଦରଗଡ଼ ଜିଲ୍ଲାର ଖଣି ଖାଦାନ ଅଞ୍ଚଳ କୋଇଡା ବ୍ଲକ କଲଟା ପଞ୍ଚାୟତରେ ମିରିଗଖୋଜ ଅବସ୍ଥିତ । ବଣ, ପାହାଡ଼ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିବେଷ୍ଟିତ ଏହି ସ୍ଥାନଟି ରାମାୟଣ ସହ ଅଙ୍ଗାଅଙ୍ଗୀ ଭାବେ ଜଡିତ । ଲୋକ ବିଶ୍ବାସ ଅନୁସାରେ ରାମଙ୍କ ବନବାସ ବେଳେ ସେ ମାତା ସୀତା ଓ ଲକ୍ଷ୍ମଣଙ୍କ ସହ ଏହି ସ୍ଥାନରେ ରହିଥିଲେ ।

ମିରିଗଖୋଜ ଜଳପ୍ରପାତ

ସୁନ୍ଦରଗଡ଼ ଜିଲ୍ଲା ଠାରୁ ୧୧୪ କିଲୋମିଟର ଦୂରରେ ଅବସ୍ଥିତ ମିରିଗଖୋଜ ଅଞ୍ଚଳକୁ ଅଙ୍କାବଙ୍କା ରାସ୍ତା ପାହାଡ଼ କଟା ରାସ୍ତା ଦେଇ ଯିବାକୁ ପଡ଼ିଥାଏ । ବଣ, ପାହାଡ଼ ଘେରା ମିରିଗଖୋଜର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନଲୋଭା । ଝରଣାର କୁଳୁକୁଳୁ ନାଦକୁ ଶାନ୍ତକାନ୍ତ ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ବର୍ତ୍ତମାନ ସୁଦ୍ଧା ଏହାକୁ ପର୍ଯ୍ୟଟନ ସ୍ଥଳୀ ଭାବେ ସରକାରୀ ମାନ୍ୟତା ମିଳିନଥିବା ବେଳେ ପ୍ରଶାସନର ଆଖି ଆଢୁଆଳରେ ଏହି ଅଞ୍ଚଳଟି ରହିଛି ।

ରାମାୟଣ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ମିରିଗଖୋଜ

ଏହି ସ୍ଥାନକୁ ନେଇ ଅନେକ ପୌରାଣିକ କାହାଣୀ ଏବଂ କିମ୍ବଦନ୍ତୀ ରହିଛି । ତ୍ରେତୟା ଯୁଗରେ ଯେତେବେଳେ ଶ୍ରୀରାମ ବନବାସ ପାଇଁ ପତ୍ନୀ ସୀତା ଓ ଭାଇ ଲକ୍ଷ୍ମଣଙ୍କ ସହ ବାହାରିଥିଲେ । ସେତେବେଳେ ଏହି ସ୍ଥାନରେ ବାସ କରିଥିବା ଲୋକ ବିଶ୍ବାସ ରହିଛି । ଏହି ଜଙ୍ଗଲ ଦେଇ ରାମ ସୁନା ମୃଗ ଖୋଜିବାକୁ ଯାଇଥିଲେ । ଏହି ସମୟରେ ଉକ୍ତ ଅଞ୍ଚଳରେ ମୃଗର ପାଦ ଚିହ୍ନ ପଡ଼ିଥିବାରୁ ଏହାକୁ ମିରିଗଖୋଜ ନାମରେ ପରିଚିତ ହୋଇଥିବା କୁହାଯାଉଛି ।


ମିରିଗଖୋଜରେ ବାସ କରୁଥିଲେ ଶ୍ରୀରାମ

ମିରିଗଖୋଜ ଅଞ୍ଚଳରେ ଥିବା ମନ୍ଦିର ପୂଜକଙ୍କ କହିବା ଅନୁସାରେ, ଏହି ଜଙ୍ଗଲରେ ଥିବା ଗୁମ୍ଫା ମାନଙ୍କରେ ପ୍ରଭୁ ଶ୍ରୀରାମ ରହୁଥିବାର ଲୋକ ବିଶ୍ବାସ ରହିଛି । ଏହାର ବଳିଷ୍ଠ ପ୍ରମାଣ ହେଉଛି ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଏଠାରେ ଥିବା ରାମ କଦଳୀ, ରାମ ଆମ୍ବ ଏବଂ ରାମ ଡିମିରି । ବନବାସ ସମୟରେ ପ୍ରଭୁ ଶ୍ରୀରାମ ଜଙ୍ଗଲରେ ଥିବା ଫଳମୂଳକୁ ଆହାର ରୂପେ ଗ୍ରହଣ କରିଥିଲେ । ତାଙ୍କ ଆଶୀର୍ବାଦରେ ଏଠାରେ ଫଳିଥିବା ଫଳ ସମ୍ପୂର୍ଣ୍ଣ ଭିନ୍ନ । ସାଧାରଣତଃ କଦଳୀ ଗଛରେ କଦଳୀ କାନ୍ଧି ସବୁ ତଳ ମୁହାଁ ହୋଇ ଫଳୁଥିବା ବେଳେଏଠାରେ ଥିବା କଦଳୀ କାନ୍ଧି ଉପର ମୁହାଁ । କଦଳୀ ଫଳ ମଧ୍ୟ ଉପରକୁ ହୋଇ ଝୁଲିଥାଏ । ସେହିପରି ଜଙ୍ଗଲରେ ମିଳୁଥିବା ରାମ ଡିମିରି କହିଲେ ଏହି ଡିମିରିଟି ସାଧାରଣ ଡିମିରି ଠାରୁ ବଡ଼ । ଖାଇବାକୁ ସମ୍ପୂର୍ଣ୍ଣ ସ୍ୱାଦିଷ୍ଟ ଏବଂ ମିଠା । ମିରିଗଖୋଜ ଜଙ୍ଗଲରେ ରହିଛି ରାମ ଆମ୍ବ । ଫଳଟି ସାଧାରଣ ଆମ୍ବ ଠାରୁ ଛୋଟ ଏବଂ ଆକାରରେ ମଧ୍ୟ ଭିନ୍ନ । ଏହି ସବୁ ଫଳକୁ ଆହାର ରୂପେ ଗ୍ରହଣ କରି ପ୍ରଭୁ ଶ୍ରୀରାମ, ମାତା ସୀତା ଏବଂ ଲକ୍ଷ୍ମଣ ଏଠାରେ ରହିଥିବା ବିଶ୍ବାସ କରାଯାଏ ।"

ମିରିଗଖୋଜ ପର୍ଯ୍ୟଟନ ସ୍ଥଳୀ ସମ୍ପୂର୍ଣ୍ଣ ଲୋକଲୋଚନକୁ ଆସି ନଥିଲେ ବି ଉଣା ଅଧିକେ ଲୋକଙ୍କୁ ଜଣା । ତେଣୁ ପ୍ରତ୍ୟେକ ବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକଙ୍କ ଏଠାକୁ ସୁଅ ଛୁଟିଥାଏ । ହେଲେ ବିକାଶ ଅଭାବରୁ ଏହି ପବିତ୍ର ସ୍ଥାନଟି ଅଲୋଡ଼ା ହୋଇ ରହିଥିବା ପର୍ଯ୍ୟ ଟକ ଅଭିଯୋଗ କରିଛନ୍ତି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସରକାରୀ ଭାବେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଲେ ଏହି ଅଞ୍ଚଳରବିକାଶ ହେବା ସହ ଜିଲ୍ଲା ପର୍ଯ୍ୟଟନର ବିକାଶ ହେବ ବୋଲି ଆଶା ପ୍ରକାଶ କରାଯାଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.