ETV Bharat / state

ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣା, ସିବିଆଇ ତଦନ୍ତ ଦାବି କଲା ଆଦିବାସୀ ସଂଘ

author img

By ETV Bharat Odisha Team

Published : Sep 28, 2023, 12:42 PM IST

Tribal Association demand cbi probe
Tribal Association demand cbi probe

ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ନେଇ ବିକ୍ଷୋଭ ପ୍ରଦର୍ଶନ । ସିବିଆଇ ତଦନ୍ତ ଦାବି କଲା ଆଦିବାସୀ ସଂଘ । ଅଧିକ ପଢନ୍ତୁ

ସିବିଆଇ ତଦନ୍ତ ଦାବି କଲା ଆଦିବାସୀ ସଂଘ

ରାଉରକେଲା: ଏବେବି ସନ୍ଦେହ ଘେରରେ ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟରଙ୍କ ମୃତ୍ୟୁ ଘଟଣା। କେମିତି ହେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ? ଏହା ହତ୍ୟା ନା ଆତ୍ମହତ୍ୟା, ଦୁଶ୍ଚିନ୍ତା ନା ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ଆସିଷ୍ଟାଣ୍ଟ କଲେକ୍ଟର । ମୃତ୍ୟୁର ଏକ ସପ୍ତାହ ପରେ ବି ରହସ୍ୟ ଉପରୁ ହଟୁନି ପରଦା । ଅନ୍ୟପଟେ ସୁସ୍ମିତାଙ୍କ ମୃତ୍ୟୁ ପଛରେ ସୁନ୍ଦରଗଡ଼ ଜିଲ୍ଲାପାଳ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ହାତ ଥିବା ଅଭିଯୋଗ ହେଇଛି । ସୁସ୍ମିତାଙ୍କୁ ନିର୍ଯାତନା ଦେଇ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ସିବିଆଇ ତଦନ୍ତ ପାଇଁ ଦାବି କରିଛି ଆଦିବାସୀ ସଂଘ ।

ଜିଲ୍ଲାପାଳଙ୍କ ବିରୋଧରେ ଅଭିଯୋଗ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ତେଣୁ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ମୃତ ସୁସ୍ମିତାଙ୍କ ପରିବାର ଲୋକେ । ଏପଟେ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବାକୁ ବିକ୍ଷୋଭ ଓ ଗଣଆନ୍ଦୋଳନ ଜାରି ରହିଛି । ରାଉରକେଲା ଏଡିଏମ୍ ଅଫିସ ଆଗରେ ସୁନ୍ଦରଗଡ଼ ଆଦିବାସୀ ମଞ୍ଚ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନ କିନ୍ତୁ ଶୂନ । କାହିଁକି ବର୍ତ୍ତମାନ ସୁଦ୍ଧା ପୋଲିସ ଏହି ଘଟଣାର ପର୍ଦ୍ଦାଫାସ କରିପାରୁନି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୁସ୍ମିତାଙ୍କ ମୃତ୍ୟୁପାଇଁ ଆଦିବାସୀ ସମ୍ପ୍ରଦାୟର ଲୋକେ ଏକାଠି ହୋଇ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି । ଏଥିସହ ସିବିଆଇ ତଦନ୍ତ ପାଇଁ ଦାବି କରିଛି ଆଦିବାସୀ ସଂଘ ।

ଏହା ମଧ୍ୟ ପଢନ୍ତୁ-ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା: ଅତିରିକ୍ତ ଜିଲ୍ଲାପାଳ ଅଫିସ ଘେରିଲେ ଆଦିବାସୀ

ସୁସ୍ମିତାଙ୍କ ମୃତ୍ୟୁ ପରେ ତାଙ୍କ ବ୍ୟକ୍ତିଗତ ଜୀବନର କିଛି ଦିଗ ସାମ୍ନାକୁ ଆସିବା ପରେ ସେ ଦିଗରେ ବି ତଦନ୍ତ କରୁଛି ପୋଲିସ । ଗତ ୧୬ ତାରିଖ ଦିନ ହିଁ ଏଡିଏମ ଅଫିସରେ ଏକ ବୈଠକ ଥିଲା । ସକାଳୁ ଘରୁ ଅଫିସକୁ ଆସି ସଂଧ୍ୟାରେ ଆଉ ଘରକୁ ଫେରିନଥିଲେ ସୁସ୍ମିତା । ତେଣୁ ଉଦିତ ନଗର ଥାନାରେ ନିଖୋଜ ଅଭିଯୋଗ କରିଥିଲେ ପରିବାର ଲୋକେ । ପୋଲିସ ଖୋଜାଖୋଜି ପରେ ସେ ରାଧିକା ରେଜେନ୍ସି ନାମକ ଏକ ହୋଟେଲରେ ରହୁଥିବା ଜଣାପଡିଥିଲା। ଏହାପରେ ଉଭୟ ପୋଲିସ ଓ ପରିବାର ଲୋକ ତାଙ୍କୁ ଘରକୁ ଯିବାକୁ କହିଥିଲେ ବି ସେ ରାଜି ହୋଇନଥିଲେ । ଆଉ ଏହାର ଦୁଇ ଦିନ ପରେ ଅର୍ଥାତ, ୧୯ ତାରିଖରେ ରାଉରକେଲା ସେନ୍ସରୀ ପାର୍କର ପୋଖରୀରୁ ତାଙ୍କ ମୃତଦେହ ମିଳିଥିଲା ।

ପ୍ରଶ୍ନ ଉଠୁଛି ୧୬ ତାରିଖରେ ସୁସ୍ମିତା ଭଲରେ ଅଫିସ ଆସି ସଂଧ୍ୟାରେ ଘରକୁ ନଯାଇ ହୋଟେଲରେ ରହିବା ପଛର କାରଣ କଣ ? ଘର ଲୋକେ ତାଙ୍କୁ ହୋଟେଲରେ ଭେଟିବା ପରେ ସେ ଘରକୁ ଯିବାକୁ କାହିଁକି ରାଜି ହୋଇନଥିଲେ ? ଗତ 24 ତାରିଖ ଦିନ ସୁସ୍ମିତା ମିଞ୍ଜଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଥିଲା । ଆସିଷ୍ଟାଣ୍ଟ କଲେକ୍ଟରଙ୍କ ମୃତ୍ୟୁ ପାଣିରେ ବୁଡିବା ଯୋଗୁଁ ହୋଇଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଥିଲା ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.