ETV Bharat / state

ସରିବାକୁ ବସିଲାଣି ପ୍ରଶସ୍ତିକରଣ: ରାସ୍ତା ମଝିରୁ ହଟିନି ନଳକୂପ ଓ ପୋଲ୍, ପ୍ରଶାସନିକ ବିଭାଗର ରହୁନି ତାଳମେଳ

author img

By ETV Bharat Odisha Team

Published : Aug 25, 2023, 3:24 PM IST

Updated : Aug 25, 2023, 4:37 PM IST

ରାସ୍ତା ମଝିରେ ନଳକୂପ ଓ ପୋଲ୍
ରାସ୍ତା ମଝିରେ ନଳକୂପ ଓ ପୋଲ୍

ସୁବର୍ଣ୍ଣପୁର ସହରର ପଟାଭାଡିରୁ କୋଲପଡା ରାସ୍ତାର ପ୍ରଶସ୍ତିକରଣ ଶେଷ ହେବାକୁ ବସିଥିବାବେଳେ ରାସ୍ତା ମଝିରେ ରହିଛି ନଳକୂପ ଏବଂ ବିଦ୍ୟୁତ ଖୁଣ୍ଟ। ଫଳରେ ସମସ୍ତ ବିଭାଗ ମଧ୍ୟରେ ତାଳମେଳ ଅଭାବ ରହୁଥିବା ଅଭିଯୋଗ ହୋଇଛି।

ରାସ୍ତା ମଝିରେ ନଳକୂପ ଓ ପୋଲ୍

ସୁବର୍ଣ୍ଣପୁର: ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଥିବାବେଳେ ରାସ୍ତା ମଝିରେ ରହିଛି ନଳକୂଅ ଓ 6ଟି ଇଲେକ୍ଟ୍ରି ପୋଲ୍ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ସହରର ପଟାଭାଡିରୁ କୋଲପଡା ରାସ୍ତାରେ । ସଦର ପୌର ପରିଷଦର ରାସ୍ତା ନିର୍ମାଣ କାର୍ଯ୍ୟ ଦେଖିଲେ ଯେ କେହି ବି ହସିବ ।ପୌର ପରିଷଦର ବୈଷୟିକ ବିଭାଗରେ ଜଣେ ବରିଷ୍ଠ ଯନ୍ତ୍ରୀଙ୍କ ସମେତ 3 ଜଣ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟ କରୁଥିବାବେଳେ ବୈଷୟିକ ବିଭାଗର ଦୂରଦର୍ଶିତା ଅଭାର ପ୍ରମାଣ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ପ୍ରାୟ ସାଢେ 3ଶହ ମିଟର ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ କରାଯାଉଛି । ଏହି ଜନଗହଳିପୂର୍ଣ୍ଣ ରାସ୍ତାର ପ୍ରଶସ୍ତିକରଣ କାମ ଚାଲିଥିବାବେଳେ ରାସ୍ତା ମଝିରେ ଏକ ନଳକୂଅ ଓ 6ଟି ଇଲେକ୍ଟ୍ରି ପୋଲ୍‌ ରହିଛି । ଯାହାକୁ ଏଯାଏଁ ସ୍ଥାନାନ୍ତର କରାଯାଇନାହିଁ । ପ୍ରାୟ 30 ଫୁଟ ରାସ୍ତା ପ୍ରଶସ୍ତିକରଣ କରାଯାଉଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ବ୍ୟବହୃତ ଜଳ ଓ ବର୍ଷା ଜଳ ନିଷ୍କାସନ ପାଇଁ କଂକ୍ରିଟ ଡ୍ରେନ୍‌ ତିଆରି କରାଯାଇଛି । ହେଲେ ରାସ୍ତା ମଝିରେ ଥିବା ନଳକୂଅ ଏବଂ ବିଦ୍ୟୁତ ପୋଲ୍ ଗୁଡିକ ସ୍ଥାନାନ୍ତର ନକରି ପୌର ପରିଷଦର ବୈଷୟିକ ବିଭାଗ ରାସ୍ତା ନିର୍ମାଣ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି ।

ଏହା ବି ପଢନ୍ତୁ...ଠକୁଛନ୍ତି ଠିକାଦାର, ସମ୍ପୂର୍ଣ୍ଣ ହେଉନି ସେତୁ ହନ୍ତସନ୍ତ ହେଉଛନ୍ତି 10 ପଞ୍ଚାୟତବାସୀ

ଏହାସହ ରାସ୍ତାରେ କଂକ୍ରିଟ କାର୍ଯ୍ୟ ଚାଲିଥିବାବେଳେ ଅଧାରୁ ଅଧିକ ଭାଗରେ ଫେବର ବ୍ଳକ ପଡି ସାରିଛି । ପୌର ପରିଷଦର ପଟାଭାଡି କାଉନସିଲର, କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ପୌର ପରିଷଦ ଅଧ୍ୟକ୍ଷା ରାସ୍ତା ନିର୍ମାଣ କାର୍ଯ୍ୟ ପରିଦର୍ଶନ ବି କରିଛନ୍ତି । ସ୍ଥାନୀୟ ଲୋକେ ନଳକୂଅ ଓ ବିଦ୍ୟୁତ ଖୁଣ୍ଟ ଅପସାରଣ କରିବା ପାଇଁ ପୌର ପରିଷଦ ଅଧିକାରୀଙ୍କ ଆଗରେ ଦାବି ବି ରଖିଛନ୍ତି । ହେଲେ ରାସ୍ତା ନିର୍ମାଣ କାର୍ଯ୍ୟ ଚଳିତ ସପ୍ତାହ ଭିତରେ ଶେଷ ହେବାକୁ ବସିଛି । ହେଲେ ରାସ୍ତା ମଝିରେ ଥିବା ନଳକୂଅ ଓ ବିଦ୍ୟୁତ ପୋଲ୍ ସ୍ଥାନାନ୍ତର କରା ନଯାଇ ରହିଯାଇଥିବା ଦେଖିବାକୁ ମିଳିଛି ।

ତେବେ ପୌର ପରିଷଦ କର୍ତ୍ତୃପକ୍ଷ, ରାଜସ୍ବ ବିଭାଗ, ବିଦ୍ୟୁତ ବିଭାଗ , ସହରାଞ୍ଚଳ ଜଳ ଯୋଗାଣ ବିଭାଗ ସହିତ ସମନ୍ବୟ ରକ୍ଷା ନକରି ବିକାଶମୂଳକ କାର୍ଯ୍ୟ କରୁଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି ବୋଲି ଅଭିଯୋଗ ହେଉଛି । ତେବେ ସଦର ପୌର ପରିଷଦ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବା ପୂର୍ବରୁ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ନଳକୂଅ ଓ ବିଦ୍ୟୁତ ପୋଲ୍କୁ ସ୍ଥାନାନ୍ତର କରିବାକୁ ଦାବି ହେଉଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

Last Updated :Aug 25, 2023, 4:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.