ETV Bharat / state

ଆସୁଛି ନୁଆଁଖାଇ, ବଢୁଛି ସରିଆଁ ଧାନ ଚାହିଦା

author img

By

Published : Sep 8, 2021, 12:10 PM IST

ସରିଆଁ ଧାନର ବଢୁଛି ଚାହିଦା: ତାମ୍ବି ପ୍ରତି 60, ମାଣେକୁ 20 ଟଙ୍କା
ସରିଆଁ ଧାନର ବଢୁଛି ଚାହିଦା: ତାମ୍ବି ପ୍ରତି 60, ମାଣେକୁ 20 ଟଙ୍କା

ଆଗକୁ ଆସୁଛି ନୂଆଁଖାଇ । ବୃଦ୍ଧି ପାଇଛି ସରିଆଁ ଧାନର ଚାହିଦା । କିଲୋପ୍ରତି 60 ରୁ 70 ଟଙ୍କାରେ ବିକ୍ରୀ ହେଉଛି ଏହି ଧାନ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ଆଗକୁ ଆସୁଛି ନୂଆଁଖାଇ । ଏହି ସମୟରେ ଅମଳ ହୋଇଛି ସରିଆଁ ଧାନ । ଏବେ ଦୈନିକ ବଜାର ଓ ସାପ୍ତାହିକ ବଜାରରେ ବ୍ୟବସାୟୀମାନେ ସରିଆଁ ଧାନ ପସରା ଖୋଲି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି । ଚଳିତ ବର୍ଷ ସ୍ବଳ୍ପ ଓ ଅନିୟମିତ ବୃଷ୍ଟି ଯୋଗୁଁ କାଁ ଭାଁ କିଛି ଚାଷ ଜମିରେ ସରିଆଁ ଧାନ ଉତ୍ପାଦନ ହୋଇଛି ।

ସରିଆଁ ଧାନର ବଢୁଛି ଚାହିଦା: ତାମ୍ବି ପ୍ରତି 60, ମାଣେକୁ 20 ଟଙ୍କା

ବ୍ୟବସାୟୀମାନେ ଚଢା ଦରରେ ଧାନ ବିକ୍ରୀ କରୁଥିବା ଦେଖିବାକୁ ମିଳଛି । ତାମ୍ବିି ପ୍ରତି 60 ଟଙ୍କା ହୋଇ ଥିବାବେଳେ ମାଣେ ଧାନକୁ 20 ଟଙ୍କାରେ ବିକ୍ରୀ କରୁଛନ୍ତି । ସେହିପରି ଛୋଟ କେଣ୍ଡା ଧାନ ପ୍ରତି ୫ ଟଙ୍କା ଓ ବଡ କେଣ୍ଡା ଧାନ ପ୍ରତି 10 ଟଙ୍କା ବିକ୍ରୀ ହେଉଛି । ତେବେ ନୂଆଁଖାଇ ପର୍ବରେ ଚାଷୀ ବର୍ଷର ପହିଲି ଶସ୍ୟକୁ ପଞ୍ଚାମୃତ ସହିତ ମିଶାଇ ନବାନ୍ନ ପ୍ରସ୍ତୁତ କରିବା ପରେ ନିଜ ଇଷ୍ଟ ଦେବାଦେବୀଙ୍କୁ ସମର୍ପଣ କରିଥାଏ । ନୂଆଁ ଧାନରୁ ଅନ୍ନ ପ୍ରସ୍ତୁତ କରିବା ସହିତ କ୍ଷୀରି, ଚୁନା, ପିଠା ମଣ୍ଡା ଆଦି ପ୍ରସ୍ତୁତ କରାଯାଇଥାଏ । ହେଲେ ଏଥର ସରିଆଁ ଧାନର ଚାହିଦା ବେଶ ବଢିଯାଇ ଥିବାରୁ ଲୋକେ ପୁରୁଣା ଅରୁଆ ଚାଉଳରେ ନାମମାତ୍ରକୁ କିଛି ନୂଆଁ ଚାଉଳ ମିଶାଇ ନବାନ୍ନ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି ।

ସାଧାରଣ ଧାନ କିଲୋକୁ 22 ରୁ 24 ଟଙ୍କା ହୋଇ ଥିବାବେଳେ ସରିଆଁ ଧାନ କିଲୋପ୍ରତି 60 ରୁ 70 ରେ ବିକ୍ରୀ ହେଉଛି । ସାଧାରଣ ଲୋକେ ଦର ଦାମ ଯାହା ବି ହେଉ ବଜାରରୁ ସରିଆଁ ଧାନ ସଂଗ୍ରହ କରି ନୂଆଁଖାଇ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । କାଳେ ନୂଆଁଖାଇ ବେଳକୁ ସରିଆଁ ଧାନ ଅଭାବ ହେଲେ ଅବା ନ ମିଳିଳେ ପର୍ବର ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଅଧାରେ ରହିଯିବ ଭାବି ବେଶ କିଛି ଦିନ ଆଗରୁ ବଜାରରୁ ଲୋକେ ସରିଆଁ ଧାନ ସଂଗ୍ରହ କରୁଛନ୍ତି । ତେବେ ସାଧାରଣ ପାହାଡିଆ ଜମିରେ ଅକ୍ଷୟ ତୃତୀୟା ସମୟରୁ ଖର୍ଡି ବୁଣା କରିଥିଲେ ଏହି ସରିଆଁ ଧାନ ଭାଦ୍ରବ ମାସର ପ୍ରଥମ ସପ୍ତାହରେ ଉତ୍ପାଦନ ହୋଇଥାଏ । ତେବେ ବର୍ଷା ଉପରେ ନିର୍ଭର କରୁଥିବା ଚାଷୀ ଏହି ଧାନ ଅମଳ କରିବା ପାଇଁ ଆଗ୍ରହ ଦେଖାଉ ନାହାନ୍ତି । ଫଳରେ ପ୍ରତିବର୍ଷ ଏହି ସମୟରେରେ ସରିଆଁ ଧାନର ଅଭାବ ଦେଖାଦେବା ସାଙ୍ଗକୁ ଧାନ ବେଶ୍ ଚଢା ଦରରେ ବିକ୍ରୀ ହୋଇଥାଏ । ଜିଲ୍ଲା କୃଷି ବିଭାଗ ଫାଉଣ୍ଡେସନ ବିହନ ପ୍ରସ୍ତୁତ କରି ଚାଷୀମାନଙ୍କ ମଧ୍ୟରେ ସରିଆଁ ଧାନ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇ ଦେଲେ ନୂଆଁଖାଇ ବେଳକୁ ସହଜ ଉପଲବ୍ଧ ହେବ ବୋଲି ବୁଦ୍ଧିଜୀବୀ ଆଶା ପୋଷଣ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.