ETV Bharat / state

ଦେବ ବିବାହ ପାଇଁ ଚଳଚଞ୍ଚଳ ସମ୍ବଲପୁର, ସମ୍ପନ୍ନ ହେଲା ନୃସିଂହ ନିଉତା ନୀତି

author img

By

Published : May 22, 2023, 1:41 PM IST

nursingha neuta tradition
nursingha neuta tradition

ସମ୍ବଲପୁରର ସର୍ବପୁରାତନ ଶୀତଳ ଷଷ୍ଠୀ ଯାତ୍ରା କମିଟି କୁହାଯାଉଥିବା ନନ୍ଦପଡା ଯାତ୍ରା କମିଟିର ବମ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ନୃସିଂହ ନେଉତା ନୀତି ସମ୍ପନ୍ନ ହୋଇଛି । ଅଧିକ ପଢନ୍ତୁ

nursingha neuta tradition

ସମ୍ବଲପୁର: ଆରମ୍ଭ ହୋଇଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । ଏଥିପାଇଁ ଉତ୍ସବ ମୁଖର ସମ୍ବଲପୁର ସହର । ସମ୍ବଲପୁରର ସର୍ବପୁରାତନ ଶୀତଳ ଷଷ୍ଠୀ ଯାତ୍ରା କମିଟି କୁହାଯାଉଥିବା ନନ୍ଦପଡା ଯାତ୍ରା କମିଟିର ବମ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ନୃସିଂହ ନେଉତା ବା ଦେବ ନିମନ୍ତ୍ରଣ ନୀତି ଗତକାଲି(ରବିବାର) ରାତିରେ ସମ୍ପନ୍ନ ହୋଇଛି । ଶୀତଳ ଷଷ୍ଠୀ ଯାତ୍ରାରେ ନନ୍ଦପଡାର ଯାତ୍ରା କମିଟିର ନୃସିଂହ ନିୟୁତା ନୀତିର ସ୍ୱତନ୍ତ୍ରତା ରହିଛି । ଅନ୍ୟ ସବୁ ଯାତ୍ରା କମିଟିରେ ଦେବ ବିବାହ ପାଇଁ ହନୁମାନ ମହାପ୍ରଭୁ ନିମନ୍ତ୍ରଣ ପାଇଁ ଯାଉଥିବା ବେଳେ କେବଳ ନନ୍ଦପଡା ଯାତ୍ରା କମିଟିରେ ନୃସିଂହ ଭଗବାନ ଦେବ ନିମନ୍ତ୍ରଣ ପାଇଁ ବାହାରନ୍ତି l ନୃସିଂହ ନିଉତା ମାନେ ହେଲା ଭଗବାନ ନୃସିଂହଙ୍କ ନିମନ୍ତ୍ରଣ । ସମ୍ବଲପୁରୀ ଭାଷାରେ ନିଉତାର ଅର୍ଥ ହେଉଛି ନିମନ୍ତ୍ରଣ ।

ତେବେ ଗତକାଲି ରାତି ପ୍ରାୟ 9 ଟା ସମୟରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ପ୍ରଭୁ ନୃସିଂହ ମନ୍ଦିରରୁ ବାହାରି ଦିବ୍ୟ ବିମାନରେ ଅରୁଢ଼ ହୋଇଥିଲେ । ଏହାପରେ ମଙ୍ଗଳ ଆଳତୀ ଅନୁଷ୍ଠିତ ହୋଇଥିଲା । ପରେ ମହାପ୍ରଭୁ ନୃସିଂହ ସମ୍ବଲପୁର ସହରର ସମସ୍ତ ମନ୍ଦିରକୁ ଯାଇ ଶିବ ପାର୍ବତୀଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଦେବାଦେବୀଙ୍କୁ ଗୁଆ, ହଳଦୀ ଦେଇ ନିମନ୍ତ୍ରଣ କରିଥିଲେ । ନୃସିଂହ ମହାପ୍ରଭୁଙ୍କ ଭବ୍ୟ ଶୋଭାଯାତ୍ରାରେ ପାରମ୍ପରିକ ଦୁଲଦୁଲି, ଧମାଲ ବଜା, ଘଣ୍ଟ ବାଦ୍ୟ, ଶଙ୍ଖ ଓ ଆକର୍ଷଣୀୟ ଆଲୋକ ସଜ୍ଜା ସାମିଲ ହୋଇଥିଲା ।ଏହି ନୀତି ପାଳନ ସମୟରେ ବର ପିତା ରାମ ଚରଣ ମିଶ୍ର, ନନ୍ଦପଡା ଶୀତଳ ଷଷ୍ଠୀ ଯାତ୍ରା କମିଟିର ସଭାପତି ପ୍ରଶାନ୍ତ କୁମାର ବରାଇ, ମିଳିତ ସମନ୍ବୟ ସମିତିର ସଭାପତି ଫଣୀ ଭୂଷଣ ମିଶ୍ର, କାର୍ଯ୍ୟକାରୀ ସଭାପତି ଅମୂଲ୍ୟ ମିଶ୍ର, ଗୋଲକ ବିହାରୀ ପଣ୍ଡା, ଆଶିଷ ବାବୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଅଧ୍ୟାତ୍ମିକ ବିଶ୍ୱାସ ଅନୁଯାୟୀ, ମହାଦେବଙ୍କ ସହ ବିବାହ ପାଇଁ ପାର୍ବତୀଙ୍କ ପିତା ପର୍ବତ ରାଜ ପ୍ରଥମେ ଏହି ପ୍ରସ୍ତାବରେ ଅରାଜି ଥିଲେ । ସେହି ସମୟରେ ଭଗବାନ ବିଷ୍ଣୁ ଏହି ପ୍ରସ୍ତାବ ପାଇଁ ପର୍ବତ ରାଜଙ୍କୁ ରାଜି କରେଇ ଥିଲେ । ତେଣୁ ଏହି ଦେବ ବିବାହରେ ଭଗବାନ ବିଷ୍ଣୁଙ୍କ ସ୍ୱରୂପ ନୃସିଂହ ଭଗବାନ ନିମନ୍ତ୍ରଣ କାର୍ଯ୍ୟ କରନ୍ତି ବୋଲି କୁହାଯାଏ l ଅନ୍ୟପଟେ ସ୍ଥାନୀୟ ପୂଜକଙ୍କ ଅନୁସାରେ ମହାନଦୀରେ ଭାସି ଆସି ଏକ କାଠ ଗଣ୍ଡି ନନ୍ଦପଡା ଘାଟରେ ଲାଗିଥିଲା l ସ୍ଥାନୀୟ ଲୋକେ ଏହାକୁ ଉଦ୍ଧାର କରି ଏହି କାଠରେ ଭଗବାନ ନୃସିଂହଙ୍କ ମୂର୍ତ୍ତି ନିର୍ମାଣ କରିବା ସହ ପ୍ରତିଷ୍ଠା କରିବା ପରେ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ । ଏହା ପର ଠାରୁ ନନ୍ଦପଡା ଶୀତଳ ଷଷ୍ଠୀ ଯାତ୍ରାରେ ଭଗବାନ ନୃସିଂହ ହିଁ ଶିବ ପାର୍ବତୀଙ୍କ ଦେବ ନିମନ୍ତ୍ରଣ କାର୍ଯ୍ୟ ତୁଳାଇ ଆସୁଥିବା ସ୍ଥାନୀୟ ପୂଜକ ଶଶାଙ୍କ ଶେଖର ମିଶ୍ର କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.