ETV Bharat / state

ନୂଆଖାଇ ପାଇଁ ଘର ବାହୁଡା; ସମ୍ବଲପୁର ଷ୍ଟେସନରେ ଅସମ୍ଭାଳ ଭିଡ

author img

By ETV Bharat Odisha Team

Published : Sep 19, 2023, 7:11 PM IST

ନୂଆଖାଇ ପାଇଁ ଘର ବାହୁଡା
ନୂଆଖାଇ ପାଇଁ ଘର ବାହୁଡା

ନୂଆଖାଇ ପାଇଁ ସମ୍ବଲପୁର ଷ୍ଟେସନରେ ଅସମ୍ଭାଳ ଭିଡ । ପରିବାର ସହ ଏକାଠି ନୂଆ ଖାଇବାକୁ ଆନନ୍ଦ ଉତ୍ସାହର ସହ ଘରକୁ ଫେରୁଛନ୍ତି ଲୋକେ । ଅଧିକ ପଢନ୍ତୁ

ସମ୍ବଲପୁର ଷ୍ଟେସନରେ ଅସମ୍ଭାଳ ଭିଡ

ସମ୍ବଲପୁର: ରାତି ପାହିଲେ ନୂଆଖାଇ l ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ l ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ଅର୍ପଣ ପରେ ଏକାଠି ନୂଆ ଖାଇବେ ପରିବାର ସଦସ୍ୟ । ଏଥିପାଇଁ ଯିଏ ଯୁଆଡେ ଅଛନ୍ତି, ସମସ୍ତେ ନିଜ ନିଜ ଘରକୁ ଫେରୁଛନ୍ତି । ନୂଆଖାଇର ଦିନକ ପୂର୍ବରୁ ଏହି ଘର ବାହୁଡା ପାଇଁ ଆଜି(ମଙ୍ଗଳବାର) ସମ୍ବଲପୁର ରେଳ ଷ୍ଟେସନ ଠାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି l କିଏ ନୂଆଖାଇ ପାଇଁ ଘରକୁ ଆସୁଛି ତ କିଏ ନିଜ ଗାଁକୁ ଯିବା ପାଇଁ ତରତର ହେଉଛି l ସମସ୍ତଙ୍କ ମନରେ ରହିଛି ଅପୂର୍ବ ଉତ୍ସାହ ।

ଜାଣନ୍ତୁ ନୂଆଖାଇର ପରମ୍ପରା:

ନୂଆଖାଇ ପର୍ବ କେବେ ଆରମ୍ଭ ହୋଇଥିଲା କେହି ଠିକ୍ ଭାବେ କହିପାରନ୍ତି ନାହିଁ l ତେବେ ଏହି ପର୍ବର ପରମ୍ପରା ଶହ ଶହ ବର୍ଷ ଧରି ବଜାୟ ରହିଛି l ନୂଆଖାଇର ପରମ୍ପରା ଓ ରୀତିନୀତି ସମ୍ପର୍କରେ ଅନେକ ଲୋକ ଜାଣିନଥିବେ । ମୁଖ୍ୟତଃ ଏହି ପର୍ବ ପାରିବାରିକ, ସାମାଜିକ ଓ ଆଧ୍ୟାତ୍ମିକ ଦର୍ଶନ ସହ ପ୍ରକୃତି ପୂଜାର ସନ୍ଦେଶ ପରିବହନ କରିଥାଏ l ଏହା ଯୌଥ ପରିବାର ବା ଏକତାବଦ୍ଧ ଜୀବନଯାପନର ଶିକ୍ଷା ଦେଇଥାଏ l ତେଣୁ ପରମ୍ପରା ଅନୁସାରେ ନୂଆଖାଇ ପର୍ବ ପାଳନ ପାଇଁ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହିବା ଅପରିହାର୍ଯ୍ୟ l ଜଣେ ବି ସଦସ୍ୟ ଅନୁପସ୍ଥିତ ରହିଲେ ଏହା ପାଳନ ହୋଇ ପାରିନଥାଏ l ତେଣୁ ନୂଆଖାଇ ପୂର୍ବରୁ ଯିଏ ଯେଉଁଠି ଥିଲେ ବି ଘରକୁ ଫେରିବା ନିଶ୍ଚିତ ରହିଥାଏ l ତେବେ ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ ଏହି ପରମ୍ପରାରେ କିଛିଟା ପରିବର୍ତ୍ତନ ହୋଇଥିଲେ ମଧ୍ୟ ନୂଆଖାଇ ଦିନ ନିହାତି ଭାବେ ପରିବାରର ସବୁ ସଦସ୍ୟ ଘରକୁ ଫେରିଥାନ୍ତି ।


ଏହାମଧ୍ୟ ପଢନ୍ତୁ: ଆସୁଛି ନୂଆଁଖାଇ, ପାରମ୍ପରିକ ନୃତ୍ୟ ଗୀତରେ ଦୁଲୁକିବ ପଶ୍ଚିମ ଓଡିଶା

ଆଜି ନୂଆଖାଇର ପୂର୍ବ ଦିନ ହୋଇଥିବା ବେଳେ ସମାଜର ଧନୀ, ଗରିବ, ମଧ୍ୟବିତ୍ତ ସବୁ ବର୍ଗର ଲୋକ ଉତ୍ସାହ ଓ ଉନ୍ମଦନା ସହକାରେ ନିଜ ନିଜ ଘରକୁ ଫେରୁଥିବା ଦେଖିବାକୁ ମିଳିଛି ସମ୍ବଲପୁର ରେଳ ଷ୍ଟେସନରେ । ଫଳରେ ଷ୍ଟେସନରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି l କିଏ ସପରିବାର ସହ ଗାଁକୁ ଯିବା ପାଇଁ ଷ୍ଟେସନରେ ଅପେକ୍ଷା କରିଛି ତ କିଏ ଟ୍ରେନରେ ଘରକୁ ଫେରୁଛି l


ଏହି ପର୍ବ ଅନ୍ତତଃ ବର୍ଷକରେ ଥରେ ପରିବାରର ସମସ୍ତଙ୍କୁ ଏକାଠି ହେବାର ଅବସର ଆଣିଥାଏ l ତେଣୁ ଏହି ସୁଯୋଗକୁ କେହି ବି ହାତଛଡ଼ା କରିବାକୁ ଚାହୁଁ ନାହାଁନ୍ତି । ସେଥିପାଇଁ ଦିନକ ପୂର୍ବରୁ ଯିଏ ଯୋଉଠି ଥିଲେ ନିଜ ନିଜର ଘରକୁ ଫେରୁଛନ୍ତି । ଆସନ୍ତାକାଲି(ବୁଧବାର) ସମସ୍ତେ ଏକାଠି ହୋଇ ନିଜ ଇଷ୍ଟ ଦେବାଦେବୀଙ୍କ ଠାରେ ନବାନ୍ନ ଅର୍ପଣ କରିବା ପରେ ନୂଆଖାଇ ପାଳନ କରିବେ l ସମସ୍ତେ ନୂଆ ଚାଉଳର ଭୋଗ ଖାଇବେ l ଘରେ ଘରେ ମହକିବ ବିଭିନ୍ନ ପ୍ରକାର ପିଠାପଣା l ରାଗ ରୋଷ ଭୁଲି ଜୁହାର ଭେଟ କାର୍ଯ୍ୟକ୍ରମ ହେବ l ନୂଆଖାଇ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.