ETV Bharat / state

ବକେୟା ବିଲ୍‌ ଆଦାୟ ନାଁରେ ଅଘୋଷିତ ବିଦ୍ୟୁତ କାଟ, ଟାଟା ପାୱାର ଅଫିସ ଘେରିଲା ବିଜେପି

author img

By

Published : Mar 17, 2023, 3:03 PM IST

ସମ୍ବଲପୁରରେ ବିଦ୍ୟୁତ ବିତରଣକାରୀ ସଂସ୍ଥା TPWODL ଅଫିସ କାର୍ଯ୍ୟାଳୟ ଘେରିଲା ସମ୍ବଲପୁର ଜିଲ୍ଲା ବିଜେପି । ଅଧିକ ପଢନ୍ତୁ

bjp protest in front of tata power office
bjp protest in front of tata power office

ଟାଟା ପାୱାର ଅଫିସ ଘେରିଲା ବିଜେପି

ସମ୍ବଲପୁର : ଅଘୋଷିତ ବିଦ୍ୟୁତ କାଟରେ ହନ୍ତସନ୍ତ ଲୋକେ । ସମ୍ବଲପୁରରେ ବିଜେପିର ଆନ୍ଦୋଳନ। ବିଦ୍ୟୁତ ବିତରଣକାରୀ ସଂସ୍ଥା TPWODL ଅଫିସ ଘେରିଲା ସମ୍ବଲପୁର ଜିଲ୍ଲା ବିଜେପି । TPWODL କମ୍ପାନୀ ଗ୍ରାହକମାନଙ୍କ ପ୍ରତି ଜୁଳୁମ କରୁଥିବା ଅଭିଯୋଗ କରି ଘେରାଉ କରାଯାଇଛି । ମୁଖ୍ୟତଃ ବର୍ତ୍ତମାନ ଖରା ଦିନ ଆସି ଥିବା ବେଳେ ବିନା କାରଣରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ହେଉଛି । ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ବକେୟା ବିଦ୍ୟୁତ ବିଲ ଆଦାୟ ନାଁରେ ଗ୍ରାହକଙ୍କୁ ସୂଚନା ନଦେଇ କନେକ୍ସନ କାଟିଦେବା ଦ୍ୱାରା ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ବାଧା ସୃଷ୍ଟି ହେଉଛି । ଏହାର ପ୍ରତିବାଦରେ ଜିଲ୍ଲା ବିଜେପି TPWODL ଅଫିସ ଘେରାଉ କରିଛି ।

ୱେସ୍କୋ କମ୍ପାନୀର ବକେୟା ବିଲ ଅଦାୟ କରିବାର ଅଧିକାର TPWODL କମ୍ପାନୀର ଅଛି ନା ନାହିଁ ତାହା ଅସ୍ପଷ୍ଟ ରହିଛି । MOU ସମୟରେ ଏହା ଉଲ୍ଲେଖ ରହିଛି କି ନାହିଁ ତାହ ମଧ୍ୟ ଅଜଣା । ଯଦି ଏହି ଅଧିକାର TPWODL ରହିଛି ତେବେ ପେପର ନୋଟିଫିକେସନ କରାଯାଉ ବୋଲି ବିଜେପି ଦାବି କରିଛି । ୱେସ୍କୋ ସମୟରେ ଥିବା ବିଭିନ୍ନ ବିବାଦ ଗୁଡିକ ବର୍ତ୍ତମାନ TPWODL ସମାଧାନ କରୁ ବୋଲି ମଧ୍ୟ କହିଛି ବିଜେପି ।

ଅନ୍ୟପଟେ ଜଳ ବିଦ୍ୟୁତ ପ୍ରକଳ୍ପ ଓ ତାପଜ ବିଦ୍ୟୁତ ପ୍ରକଳ୍ପ ପାଇଁ ସ୍ଥାନୀୟ ଲୋକେ ଜମିହରା, ବାସହରା ହୋଇ ବିସ୍ଥାପିତ ହୋଇଥିଲେ । ତା ସହିତ TPWODLରେ ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ କାହିଁକି ନିଯୁକ୍ତି ଦିଆଯାଉନାହିଁ ବୋଲି ବିଜେପି କରିଛି ପ୍ରଶ୍ନ । ମାଟ୍ରିକ ପରୀକ୍ଷା ସମୟରେ ପାୱାର କଟ୍‌ ନକରିବା ସହ ଏହି ସମୟରେ ବକେୟା ବିଲ ଆଦାୟ ନକରିବାକୁ ବିଜେପି ଦାବି ରଖିଛି । ପୂର୍ବରୁ ତ୍ରୁଟିପୂର୍ଣ୍ଣ ବିଲ୍‌ ଦେଇ ବର୍ତ୍ତମାନ 30 ପ୍ରତିଶତ ରିହାତି ଦେଇ ବକେୟା ବିଲ ଆଦାୟ କରିବାର କୌଣସି ପ୍ରାସଙ୍ଗିକତା ନାହିଁ ବୋଲି ଜିଲ୍ଲା ବିଜେପି ସଭାପତି ଗିରିଷ ପଟେଲ କହିଛନ୍ତି ।

ଏଥିପାଇଁ ଏହିଭଳି ପରିସ୍ଥିତିର ସମାଧାନ ପାଇଁ କମ୍ପାନୀ ସ୍ଥାନୀୟ ଜନ ପ୍ରତିନିଧି ଓ ବରିଷ୍ଠ ନାଗରିକଙ୍କୁ ନେଇ ଏକ ବୈଠକ କରି ଏହାର ସମାଧାନର ବାଟ ବାହାର କରାଯିବା ଉଚିତ ବୋଲି କହିଛନ୍ତି ଜିଲ୍ଲା ବିଜେପି ସଭାପତି । ତେବେ ଏଭଳି ପରିସ୍ଥିତି ଜାରି ରହିଲେ ଆଗାମୀ ଦିନରେ ଭୟାବହ ପରିସ୍ଥିତି ଉପୁଯିବ ଓ ଏଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବ ବୋଲି ବିଜେପି କହିଛି । ସେହିପରି ଆଜି ବିଜେପିର ଏହି ଆନ୍ଦୋଳନ ରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ମାନସ ବକ୍ସି, ଦାମୋଦର କର, ବିଜେପି ନେତ୍ରୀ ରୁନୁ ପ୍ରଧାନ, ଅନ୍ନପୂର୍ଣ୍ଣା ବାରିକଙ୍କ ସହ ବହୁ କର୍ମୀ ସାମିଲ ହୋଇଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.