ETV Bharat / state

ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରାଯାଇଛି: ନାଉରୀ ନାଏକ

author img

By

Published : Jul 14, 2023, 6:38 PM IST

5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ନେଇ ରାଜ୍ୟରେ ବିରୋଧୀ ପ୍ରତିବାଦ ଜାରି ରଖିଛନ୍ତି । ହେଲେ ସଚିବଙ୍କ ଗସ୍ତ ଥମିବାର ନାଁ ନେଉନାହିଁ । ଆସନ୍ତାକାଲି ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଯାହାକୁ ସାମ୍ବାଦିକ ସମ୍ମିଳନୀରେ ନିନ୍ଦା କରିବା ସହ ବିରୋଧ କରିଛି ସମ୍ବଲପୁର ବିଜେପି । ଅଧିକ ପଢ଼ନ୍ତୁ..

5T ସଚିବଙ୍କ ସମ୍ବଲପୁର ଗସ୍ତକୁ ବିଜେପିର ବିରୋଧ
5T ସଚିବଙ୍କ ସମ୍ବଲପୁର ଗସ୍ତକୁ ବିଜେପିର ବିରୋଧ

5T ସଚିବଙ୍କ ସମ୍ବଲପୁର ଗସ୍ତକୁ ବିଜେପିର ବିରୋଧ

ସମ୍ବଲପୁର: ଆସନ୍ତାକାଲି 5T ସଚିବଙ୍କ ସମ୍ବଲପୁର ଗସ୍ତ ଥିବାବେଳେ ଏହାକୁ ବିରୋଧ କରିବ ବିଜେପି । ଆଜି ସମ୍ବଲପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ରେଙ୍ଗାଲି ବିଧାୟକ ନାଉରୀ ନାଏକ ଓ କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରି ନିଜ ହାତକୁ କ୍ଷମତା ନେଇ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରାଜ୍ୟସାରା ସରକାରୀ ଖର୍ଚ୍ଚରେ ବୁଲୁଛନ୍ତି ଓ ସରକାରୀ କାର୍ଯ୍ୟକ୍ରମ ନାଁରେ ବିଜେଡି ପାଇଁ ଦଳୀୟ କାର୍ଯ୍ୟକ୍ରମ କରୁଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଏହାସହ ସଚିବଙ୍କ କାର୍ଯ୍ୟକ୍ରମରେ ସାଂସଦ, ମନ୍ତ୍ରୀ ଓ ବିଧାୟକ ଆୟୋଜକ ଓ ଲୋକ ବୁହା ସାଜିଛନ୍ତି ବୋଲି କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାୟକ କହିଛନ୍ତି । ତେଣୁ ସରକାରୀ ପାଣ୍ଠିରେ ସରକାରୀ ଅଧିକାରୀ କରୁଥିବା ଦଳୀୟ କାର୍ଯ୍ୟକ୍ରମକୁ ବିଜେପି ବିରୋଧ କରିବ ବୋଲି ବିଜେପି କହିଛି ।

ତେବେ 5T ସଚିବଙ୍କ ସମ୍ବଲପୁର ଗସ୍ତକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ ୨୧ଟି ପ୍ରଶ୍ନ କରାଯାଇଛି । ଓଡିଶାର ଜଳ, ଜମି, ଜଙ୍ଗଲ, ଖଣି, ଖାଦାନ, ମାନବ ସମ୍ବଳରେ ପରିପୂର୍ଣ୍ଣ ଅଟେ । ଏହାସହ ଉଚ୍ଚକୋଟୀର କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା ,ସ୍ଥାପତ୍ୟ, ଗୌରବମୟ ଐତିହରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଆମ ରାଜ୍ୟ ଓଡ଼ିଶାର ଶାସନ ବ୍ୟବସ୍ଥା ବର୍ତ୍ତମାନ କଳୁଷିତ ହୋଇଥିବା ବିଜେପି କହିଛି । ରାଜ୍ୟରେ ଚାଲିଥିବା ଅଦ୍ଭୁତ ଶାସନ ବ୍ୟବସ୍ଥାକୁ ନେଇ ସମଗ୍ର ଦେଶରେ ବର୍ତ୍ତମାନ ଆମ ରାଜ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ବୋଲି ବିଜେପି ଅଭିଯୋଗ କରିଛି । ଗଣତନ୍ତ୍ରର ଜନନୀ ଭାରତରେ ବର୍ତ୍ତମାନ ଗଣତନ୍ତ୍ର ମଜବୁତ ହେଉଥିବା ବେଳେ ଆମ ରାଜ୍ୟରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହେଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପି ଅଭିଯୋଗ କରିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଦୀର୍ଘ ୨୩ ବର୍ଷ ଧରି ରାଜ୍ୟରେ ନିରଙ୍କୁଶ ଶାସନ କରୁଥିବା ସରକାର ରାଜ୍ୟବାସୀଙ୍କଠାରୁ ବହୁ ଦୂରରେ ବୋଲି କହିଛି ବିଜେପି । ଜଣେ ଅଣଓଡିଆ ସଚିବସ୍ତରର ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ ରଖି ସମଗ୍ର ରାଜ୍ୟର ଶାସନ ବ୍ୟବସ୍ଥାକୁ ନିଜର ପାଦତଳେ ଦଳିଚକଟି ରାଜ୍ୟ ରାଜକୋଷ ହରିଲୁଟ କରି ଚାଳିଛନ୍ତି ବୋଲି ବିଜେପି ନେତା ନାଉରୀ ନାଏକ ଓ ରବି ନାୟକ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ସମ୍ବଲପୁର ଗସ୍ତରେ ଆସିବେ 5ଟି ସଚିବ, ବିଜେଡିକୁ ଚିନ୍ତା ଦଳୀୟ ଫାଟ !

ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଜନପ୍ରତିନିଧିଙ୍କ କ୍ଷମତା ଓ ସମ୍ମାନକୁ ଅପମାନିତ କରି ନିଜର ପ୍ରଭୁତ୍ଵ ଜାହିର କରିବାରେ ଲାଳାୟିତ ହେଉଥିବା ବିଜେପି ଅଭିଯୋଗ କରିଛି । ଗତ କିଛିମାସ ହେଲା 5T ସଚିବ ଭିକେ ପାଣ୍ଡିଆନ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରି ସାଧାରଣ ସଭା ଆୟୋଜନ କରି ଲୋକଙ୍କୁ ଉଦ୍‌ବୋଧନ ଦେଉଛନ୍ତି ଓ ବିଭିନ୍ନ ସରକାରୀ ଯୋଜନା ପାଇଁ ଅର୍ଥରାଶି ଘୋଷଣା କରୁଛନ୍ତି । ତାଙ୍କ ଗସ୍ତ ପୂର୍ବରୁ କାର୍ଯ୍ୟକ୍ରମ ଆୟୋଜନରେ ରାଜ୍ୟର ସାଂସଦ, ମନ୍ତ୍ରୀ, ବିଧାୟକ ଓ ଅନ୍ୟାନ୍ୟ ନିର୍ବାଚିତ ପ୍ରତିନିଧି ନିୟୋଜିତ ହେଉଛନ୍ତି । ଯାହାକି ଗଣତନ୍ତ୍ର, ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଜନସାଧାରଣଙ୍କ ମୁହଁରେ ଶକ୍ତ ଚାପୁଡ଼ା ବୋଲି ବିଜେପି କହିଛି । ରାଜ୍ୟରେ ଚାଲିଥିବା ଏଭଳି ଶାସନ ବ୍ୟବସ୍ଥା ରାଜ୍ୟର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଲଜ୍ଜିତ ଓ ଲୋକହସା କରୁଛି ବୋଲି ରେଙ୍ଗାଲୀ ବିଧାୟକ କହିଛନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସୁଛନ୍ତି । ଏହି ଗସ୍ତକୁ ଆମେ କଡ଼ା ଶବ୍ଦରେ ନିନ୍ଦା ଓ ବିରୋଧ କରୁଛୁ ବୋଲି ରେଙ୍ଗାଲି ବିଧାୟକ ନାଉରୀ ନାଏକ ଓ କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାୟକ କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.