ETV Bharat / state

ସମ୍ବଲପୁର ବିଶ୍ୱ ବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦାବି

author img

By ETV Bharat Odisha Team

Published : Sep 8, 2023, 9:28 PM IST

ASET demands central university
କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ଦାବି

ସମ୍ବଲପୁର ବିଶ୍ୱ ବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ମାନ୍ୟତା ପାଇଁ ଦାବି ଜୋର ଧରିଛି । ଏନେଇ ASET ପକ୍ଷରୁ ପ୍ରେସମିଟ୍ କରାଯାଇଛି । ଅଧିକ ପଢନ୍ତୁ

କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ଦାବି

ସମ୍ବଲପୁର: ସମ୍ବଲପୁର ବିଶ୍ୱ ବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ମାନ୍ୟତା ପାଇଁ ଜୋର ଧରିଲା ଦାବି । ASET(Association of Students, Employees and Teachers) ସଂଗଠନ ପକ୍ଷରୁ ଏନେଇ ଦାବି କରାଯାଇଛି । କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ପାଇଁ ଏଠାରେ ସବୁ ପ୍ରକାର ଭିତ୍ତିଭୂମି ଥିବାବେଳେ ଏହି ବିଶ୍ୱ ବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେବାକୁ ଏହି ସଂଗଠନ ପକ୍ଷରୁ 20 ବର୍ଷ ହେଲା ଉଦ୍ୟମ କରାଯାଉଛି । ତେବେ ଆଗକୁ ଏନେଇ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦାବି ଜଣାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି l


ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ସବୁ ପ୍ରକାର ଭିତ୍ତିଭୂମି ଥିବାବେଳେ ଦୀର୍ଘ 20 ବର୍ଷ ହେଲା ଏହି ଦାବୀ କରି ଆସୁଛି ASET ସଂଗଠନ l ଏଥିପାଇଁ 2004 ମସିହାରେ "ASET"ର ଦାବି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ପ୍ରସ୍ତାବିତ ପତ୍ର କେନ୍ଦ୍ର ସରକାରଙ୍କୁ ଦେଇଥିଲେ। ହେଲେ ଆଗୁଆ ନିର୍ବାଚନ ହୋଇଯିବାରୁ ତତ୍କାଳୀନ ସରକାର ଏହା କରି ପାରିନଥିଲେ । ପରବର୍ତ୍ତୀ କେନ୍ଦ୍ର ସରକାର ଏହା ଉପରେ ଗୁରୁତ୍ୱ ମଧ୍ୟ ଦେଇନଥିବା ଅଭିଯୋଗ ହୋଇଛି । ତେବେ ବର୍ତ୍ତମାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଥିବାବେଳେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ପୁରାତନ ଛାତ୍ର ପ୍ରମୋଦ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ରହିଛନ୍ତି । ତେଣୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଆଉ ଏକ ପ୍ରସ୍ତାବିତ ପତ୍ର କେନ୍ଦ୍ର ସରକାରଙ୍କୁ ଲେଖିଲେ ଏହା ସମ୍ଭବ ହୋଇପାରିବ ବୋଲି ASET ପକ୍ଷରୁ କୁହାଯାଇଛି ।


ସୂଚନା ଅନୁସାରେ, ସମ୍ବଲପୁର ବିଶ୍ୱ ବିଦ୍ୟାଳୟ 1 ଜାନୁଆରୀ 1967ରେ ସ୍ଥାପିତ ହୋଇଥିଲା । ଏହାର କ୍ୟାମ୍ପସର 620 ଏକର ଜମି ଥିବାବେଳେ ଏଠାରେ 20ଟି ବିଭାଗ ରହିଛି l ବର୍ତ୍ତମାନ ସୁଦ୍ଧା ଏହି ବିଶ୍ୱ ବିଦ୍ୟାଳୟରେ 90 ହଜାର ଛାତ୍ରଛାତ୍ରୀ ପାଠ ପଢ଼ିଛନ୍ତି l ଏହି ବିଶ୍ୱ ବିଦ୍ୟାଳୟର ବାର୍ଷିକ 2 ହଜାର ଛାତ୍ରଛାତ୍ରୀ ପାଠ ପଢୁଛନ୍ତି l ଏହା ଅଧୀନରେ 156ଟି କଲେଜ ରହିଛି l ଏହି ବିଶ୍ୱ ବିଦ୍ୟାଳୟରେ 105 ଶିକ୍ଷକ ପଦବୀ ଥିବାବେଳେ ଆଜି ପର୍ଯ୍ୟନ୍ତ ସୀମିତ ଭିତ୍ତିଭୂମି ଭିତରେ 952ଟି ରିସର୍ଚ୍ଚ ହୋଇ ସାରିଛି । ମୁଖ୍ୟତଃ ରାଜ୍ୟର ଏକ ତୃତୀୟାଂଶ ଛାତ୍ରଛାତ୍ରୀଙ୍କୁ ଏହି ଅନୁଷ୍ଠାନ ଶିକ୍ଷା ଦେଇଆସୁଛି l

ଏହା ବି ପଢନ୍ତୁ...ଜୋର ଧରିଲା ଛାତ୍ର ସଂସଦ ନିର୍ବାଚନ ଦାବି; ବିଭିନ୍ନ କଲେଜ୍‌ରେ ଘଣ୍ଟ ବଜାଇ ଛାତ୍ର କଂଗ୍ରେସର ପ୍ରତିବାଦ

ଏହି ବିଶ୍ୱ ବିଦ୍ୟାଳୟରେ କ୍ୟାନସର, ମଧୁମେହର ଆୟୁର୍ବେଦିକ ଓ ଜଡ଼ିବୁଟି ଚିକିତ୍ସା ଉପରେ ବର୍ତ୍ତମାନ ଗବେଷଣା ଚାଲୁଛି l ପୂର୍ବରୁ ମହୁଲ ଫୁଲ, ମହାନଦୀ ଓ ଗନ୍ଧମାର୍ଦନ ପର୍ବତର ଔଷଧୀୟ ଗଛ ଉପରେ ଗବେଷଣା ଜାରି ରହିଛି । ତେବେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ରସାୟନ ବିଜ୍ଞାନ ଏଚ୍‌ଓଡି ସୂର୍ଯ୍ୟ ନାରାୟଣ ନାଏକ କହିଛନ୍ତି, "କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ହେଲେ ଅଧିକ ପାଣ୍ଠି ମିଳିଲେ ନୂଆ ନୁଆ ଅନୁସନ୍ଧାନ ଓ ଗବେଷଣା ହୋଇ ପାରିବ l ବର୍ତ୍ତମାନ ବାର୍ଷିକ 100 କୋଟି ଅନୁଦାନ ମିଳୁଥିବା ବେଳେ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ହେଲେ ବାର୍ଷିକ 1000 କୋଟି ପାଣ୍ଠି ମିଳିବ । ଏହା ହେଲେ ଏଠାରେ 2000 ଛାତ୍ରଛାତ୍ରୀଙ୍କ ବଦଳରେ 5000 ଛାତ୍ରଛାତ୍ରୀ ପାଠ ପଢିବେ । ଏଠାରେ ଦକ୍ଷତା ବିକାଶ କେନ୍ଦ୍ର ମଧ୍ୟ ଖୋଲି ପାରିବ । ଏହାଦ୍ୱାରା ରାଜ୍ୟ ବାହାରକୁ ଯାଉଥିବା ଛାତ୍ରଛାତ୍ରୀ ମଧ୍ୟ ଏଠାରେ ପାଠ ପଢ଼ିପାରିବେ l" ତେଣୁ ଏହି ଦାବି ପୂରଣ ପାଇଁ ଛାତ୍ର ସଂଗଠନ, ବୁଦ୍ଧିଜୀବୀ, କ୍ରୀଡ଼ା ସଂଗଠନ, ସାଂସ୍କୃତିକ ସଂଗଠନ ଓ ସମ୍ବଲପୁର ଜିଲ୍ଲା ଓକିଲ ସଙ୍ଘ ଆଗେଇ ଆସିବାକୁ ASET ଆହ୍ୱାନ ଦେଇଛି ।


ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.