ଐତିହ୍ୟ ସହରରେ ମୌଳିକ ସୁବିଧାର ଅଭାବ, କେଉଁଠି ଖର୍ଚ୍ଚ କରୁଛନ୍ତି ସରକାରୀ ଅନୁଦାନ ?

ଐତିହ୍ୟ ସହରରେ ମୌଳିକ ସୁବିଧାର ଅଭାବ, କେଉଁଠି ଖର୍ଚ୍ଚ କରୁଛନ୍ତି ସରକାରୀ ଅନୁଦାନ ?
ଐତିହ୍ୟ ସହର ପୁରୀରେ ମିଳୁନି ମୌଳିକ ସୁବିଧା । ରାସ୍ତାଘାଟ, ପାନୀୟ ଜଳ, ପରିମଳ ଭଳି ସମସ୍ୟା ଭୋଗୁଛନ୍ତି ସହରବାସୀ । ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଏହିସବୁ ସମସ୍ୟାର ସମାଧାନ ପାଇଁ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟିଲେ ପୂର୍ବତନ କାଉନସିଲର । ଅଧିକ ପଢନ୍ତୁ
ପୁରୀ: ପୁରୀ ପୌରାଞ୍ଚଳରେ ବଢ଼ିଚାଲିଛି ଲୋକଙ୍କ ଦୁର୍ଦ୍ଦଶା । ମୌଳିକ ସୁବିଧା ପାଇପାରୁନାହାନ୍ତି ସହରବାସୀ । ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ରାସ୍ତାଘାଟ, ପାନୀୟ ଜଳ, ଷ୍ଟ୍ରିଟ୍ଲାଇଟ, ପରିମଳ ଭଳି ମାଳମାଳ ସମସ୍ୟା ରହିଛି । ମାତ୍ର ଶୁଣିବାକୁ ଜନ ପ୍ରତିନିଧି ନାହାନ୍ତି । ୫ ବର୍ଷ ହେଲା ପୁରୀରେ ପୌରନିର୍ବାଚନ ହୋଇନଥିବାରୁ ପୌଷ ପରିଷଦ ଗଠନ ହୋଇପାରିନାହିଁ । ଫଳରେ ୱାର୍ଡଗୁଡ଼ିକରୁ ନିର୍ବାଚିତ ଜନପ୍ରତିନିଧି ବା କାଉନସିଲର ନଥିବାରୁ ମୌଳିକ ସମସ୍ୟାର ମଧ୍ୟ ସମାଧାନ ହୋଇପାରୁନି । ଏପରି ସ୍ଥଳେ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ୱାର୍ଡରେ ଥିବା ରାସ୍ତାଘାଟ ସମସ୍ୟା ସମେତ ପାନୀୟ ଜଳ, ପରିମଳ ବ୍ୟବସ୍ଥା, ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥାର ତୁରନ୍ତ ସମାଧାନ କରିବାକୁ ବିଜୁ ଯୁବ ଜନତା ଦଳର ଉପସଭାପତି ସୁନୀଲ ମହାନ୍ତିଙ୍କ ନେତୃତ୍ବରେ ସମସ୍ତ ୱାର୍ଡର ପୂର୍ବତନ କାଉନସିଲମାନେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଭେଟି ଦାବି କରିଛନ୍ତି ।
ପୌରାଞ୍ଚଳରେ ପାନୀୟ ଜଳ, ପରିମଳ ଭଳି ମୌଳିକ ସୁବିଧାର ଅଭାବ ନେଇ ପୂର୍ବତନ କାଉନସିଲରମାନେ ଉଦବେଗ ପ୍ରକାଶ କରିଛନ୍ତି । ପୁରୀର ପୌରାଞ୍ଚଳର ଉନ୍ନତି ପାଇଁ ରାଜ୍ୟ ସରକାର କୋଟିକୋଟି ଟଙ୍କାର ଅନୁଦାନ ପ୍ରଦାନ କରୁଛନ୍ତି । ତେବେ ଏହି ଅର୍ଥ ସଠିକ୍ ଢଙ୍ଗରେ ବିନିଯୋଗ ହେଉନଥିବା ବେଳେ ରାସ୍ତାଘାଟ, ଡ୍ରେନେଜ୍ ନିର୍ମାଣ ତଥା ଅନ୍ୟାନ୍ୟ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ସେମାନେ ପୌର ଅଧିକାରୀଙ୍କୁ ପୂର୍ବରୁ ଅଭିଯୋଗ କରିଥିଲେ । ଏହି ପ୍ରସଙ୍ଗକୁ ନେଇ ବୈଠକରେ ପୂର୍ବତନ କାଉନସିଲର ଏବଂ ପୌର ଅଧିକାରୀଙ୍କ ମଧ୍ୟରେ କଥା କଟାକଟି ମଧ୍ୟ ହୋଇଥିଲା ।
ତେବେ କାଉନସିଲରମାନଙ୍କର ଉଦବେଗକୁ ଦେଖି କର୍ମଚାରୀ ଅଭାବ ଥିବା ହେତୁ ଅନେକ ଗୁଡ଼ିଏ କାର୍ଯ୍ୟ ହୋଇପାରୁନଥିବା ପୌର ଅଧିକାରୀ ସଫେଇ ଦେଇଥିଲେ । ଆଗାମୀ ଦିନରେ ପୂର୍ବତନ କାଉନସିଲରମାନଙ୍କ ସହ ଆଲୋଚନା କରାଯାଇ ସହରରେ ଥିବା ମୌଳିକ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପୌର ଅଧିକାରୀ ।
ବିଗତ ୫ ବର୍ଷ ହେବ ପୁରୀରେ ପୌର ନିର୍ବାଚନ ହୋଇନଥିବାରୁ ବିଭିନ୍ନ ଓ୍ବାର୍ଡଗୁଡ଼ିକ ଏବେ ଜନପ୍ରତିନିଧି ଶୂନ୍ୟ ହୋଇପଡ଼ିଛି । ଲୋକଙ୍କର ସମସ୍ୟା ଏବଂ ଅଭିଯୋଗ ସମାଧାନ କରିବାରେ ଅଫିସରମାନେ ଗୁରୁତ୍ବ ଦେଉନଥିବା ଅଭିଯୋଗ ବଢ଼ିବାରେ ଲାଗିଛି । ତେଣୁ କେବେ ପୁରୀ ପୌରପାଳିକାରେ ନିର୍ବାଚନ ହେବ ତାହାକୁ ନେଇ ଏବେ ପୁରୀ ସହରବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଇଟିଭି ଭାରତ, ପୁରୀ
