ETV Bharat / state

ରାମୋଜୀ ଫିଲ୍ମ ସିଟିରେ ଶୋଭା ପାଇବ କୋରାପୁଟ ଗଛ, ଶାବର ଶ୍ରୀକ୍ଷେତ୍ରରୁ ଟ୍ରି-ମ୍ୟାନଙ୍କ ହାଇଦ୍ରାବାଦ ଯାତ୍ରା

author img

By ETV Bharat Odisha Team

Published : Sep 13, 2023, 7:10 PM IST

ବିଶ୍ବ ପ୍ରସିଦ୍ଧ ରାମୋଜୀ ଫିଲ୍ମ ସିଟିରେ ଲାଗିବ କୋରାପୁଟର ଜଙ୍ଗଲି ବୃକ୍ଷ । କୋରାପୁଟ ଜିଲ୍ଲାର ନାଁ ବିଶ୍ବ ଦରବାରରେ ପ୍ରତିଷ୍ଠିତ କରାଇବାରେ ଏହା ସହାୟକ ହେବ ବୋଲି ଆଶା ସଞ୍ଚାର ହୋଇଛି। ଅଧିକ ପଢନ୍ତୁ

koraput tree to be planted at RFC
ରାମୋଜୀ ଫିଲ୍ମ ସିଟିରେ ଲାଗିବ କୋରାପୁଟର ବୃକ୍ଷ

ରାମୋଜୀ ଫିଲ୍ମ ସିଟିରେ ଲାଗିବ କୋରାପୁଟର ବୃକ୍ଷ

କୋରାପୁଟ: ହାଇଦ୍ରାବାଦରେ ଥିବା ବିଶ୍ବ ପ୍ରସିଦ୍ଧ ରାମୋଜୀ ଫିଲ୍ମ ସିଟିରେ ଲାଗିବ କୋରାପୁଟର ଜଙ୍ଗଲି ବୃକ୍ଷ । ଏନେଇ 200ରୁ ଊର୍ଦ୍ଧ୍ବ ଜଙ୍ଗଲୀ ବୃକ୍ଷର ଚାରା ଆଣି କୋରାପୁଟସ୍ଥିତ ଶାବର ଶ୍ରୀକ୍ଷେତ୍ର ତଥା ଜଗନ୍ନାଥ ମନ୍ଦିର ପରିସରରୁ ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମ ସିଟି ଅଭିମୁଖେ ଯାତ୍ରା କରିଛନ୍ତି କୋରାପୁଟର ଟ୍ରି ମ୍ୟାନ ଭାବେ ପରିଚିତ ରବୀନ୍ଦ୍ର କୁମାର ରଣା । ଏଥି ମଧ୍ୟରେ ଅଁଳା, ଅର୍ଜୁନ, ବାହାଡା, ଜାମୁକୋଳି, କରଞ୍ଜ, କୁମ୍ଭୀ, ନିମ୍ବ, ପାହାଡ଼ି, ଶିଶୁ, ପଣସ, ରକ୍ତ ଚନ୍ଦନ ଓ ତେନ୍ତୁଳି ଭଳି ବିଭିନ୍ନ କିସମର ଗଛ ସାମିଲ ରହିଛି।

ଏହା ପୂର୍ବରୁ ଶ୍ରୀ ରଣା ଶୈବପୀଠ ଗୁପ୍ତେଶ୍ଵରରୁ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରକୁ ଓ ଶାବର ଶ୍ରୀକ୍ଷେତ୍ରରୁ ଶ୍ରୀକ୍ଷେତ୍ର ବୃକ୍ଷ ସଚେତନତା ଯାତ୍ରା ଆୟୋଜନ କରାଯାଇଥିଲା। କୋରାପୁଟ, ଭୁବନେଶ୍ୱର ଓ ପୁରୀ ମଧ୍ୟରେ ଥିବା ଅନେକ ଗ୍ରାମରେ କୋରାପୁଟର ଜଙ୍ଗଲି ବୃକ୍ଷ ରୋପଣ କରି ଜୈବ ବିବିଧତା ସଂରକ୍ଷଣର ବାର୍ତ୍ତା ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ତେବେ ଗତ କିଛିଦିନ ପୂର୍ବେ କୋରାପୁଟର ବିଶିଷ୍ଟ ପରିବେଶବିତ୍ ଭବାନୀ ଶଙ୍କର ମିଶ୍ର ନିଜ ପରିବାର ସହିତ ରାମୋଜୀ ଫିଲ୍ମ ସିଟି ଭ୍ରମଣ କରି ଫେରିବା ପରେ ସେଠାରେ ପରିବେଶ ସଂରକ୍ଷଣ ପ୍ରତି ନିଆଯାଉଥିବା ବିଶେଷ ଯତ୍ନ ତାଙ୍କୁ ପ୍ରେରଣା ଯୋଗାଇଥିଲା ।

ଏନେଇ ପରିବେଶବିତ ଭବାନୀ ଶଙ୍କର ମିଶ୍ର କହିଛନ୍ତି, "ଫିଲ୍ମ ସିଟିକୁ ଦେଖିବା ପାଇଁ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ସମ୍ପର୍କରେ ପ୍ରକୃତିପ୍ରେମୀ ରବୀନ୍ଦ୍ର କୁମାର ରଣାଙ୍କ ସହ ଚର୍ଚ୍ଚା କରିଥିଲି। ପରେ ସେ ରାମୋଜୀ ଫିଲ୍ମ ସିଟିକୁ କୋରାପୁଟରୁ ବୃକ୍ଷରାଜି ଆଣିବାକୁ ମନ ବଳାଇଥିଲେ। କୋରାପୁଟର ଜୈବ ବିବିଧତାର ଏକ ଅଂଶ ଭାବେ ଏହି ଅଞ୍ଚଳ ପାଇଁ ଗୌରବ ଆଣିଥିବା ଜଙ୍ଗଲି ବୃକ୍ଷକୁ ରାମୋଜୀ ଫିଲ୍ମ ସିଟିରେ ରୋପଣ କରି କୋରାପୁଟର ଖ୍ୟାତି ପ୍ରସାର କରିବା ତାଙ୍କର ଉଦ୍ଦେଶ୍ୟ ରହିଛି।"

ଏହା ବି ପଢନ୍ତୁ...ଅସୀମଙ୍କ ପରିବେଶ ସୁରକ୍ଷା ପ୍ରୟାସ, ପ୍ରକୃତି ମିତ୍ରରେ ହେଲେ ପୁରସ୍କୃତ

ଏହାକୁ ନେଇ ସେ ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ଶ୍ରୀ ରାମୋଜି ରାଓଙ୍କୁ ଏକ ପତ୍ର ପ୍ରେରଣ କରିଥିଲେ । ଏହାପରେ ରାମୋଜୀ ଫିଲ୍ମ ସିଟିକୁ ଆସି ବୃକ୍ଷ ରୋପଣ କରିବା ପାଇଁ ତାଙ୍କୁ ଅନୁମତି ମିଳିଥିଲା । ତେବେ ଯୋଜନା ମୁତାବକ, ଆଜି କୋରାପୁଟରେ ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ଏହାକୁ ଖାତିର ନକରି ରବୀନ୍ଦ୍ର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ଯାତ୍ରା ଆରମ୍ଭ କରିଛନ୍ତି । "ମାଲକାନଗିରି ଜିଲ୍ଲା ଦେଇ ହାଇଦ୍ରାବାଦ ଯିବା ବାଟରେ ବିଭିନ୍ନ ସ୍ଥାନରେ ବୃକ୍ଷ ଚେତନାର ପ୍ରଚାର ପ୍ରସାର କରିବି" ବୋଲି ଲକ୍ଷ୍ୟ ରଖିଥିବା କହିଛନ୍ତି ଟ୍ରି ମ୍ୟାନ ରବୀନ୍ଦ୍ର କୁମାର ରଣା । ସେପଟେ ରାମୋଜୀ ଫିଲ୍ମ ସିଟିକୁ ତାଙ୍କର ଏହି ବୃକ୍ଷ ଚେତନା ଯାତ୍ରା କୋରାପୁଟ ଜିଲ୍ଲାର ନାଁ ବିଶ୍ବ ଦରବାରରେ ପ୍ରତିଷ୍ଠିତ କରାଇବାରେ ସହାୟକ ହେବ ବୋଲି ଆଶା କରିଛନ୍ତି ପରିବେଶବିତ୍।


ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.