ETV Bharat / state

ପୁଣି ଶ୍ରୀକ୍ଷେତ୍ରରେ ହିଂସା: ଛୁରାମାଡରେ ଜଣେ ଗୁରୁତର

author img

By ETV Bharat Odisha Team

Published : Dec 2, 2023, 8:13 PM IST

ଶ୍ରୀକ୍ଷେତ୍ର ପୁରୀ ଅଶାନ୍ତ: ଛୁରାମାଡରେ ଜଣେ ଆହତ
ଶ୍ରୀକ୍ଷେତ୍ର ପୁରୀ ଅଶାନ୍ତ: ଛୁରାମାଡରେ ଜଣେ ଆହତ

ପୁରୀରେ ଛୁରାମାଡରେ ଜଣେ ଆହତ । ହସ୍ପିଟାଲର ଭର୍ତ୍ତି । ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

ଶ୍ରୀକ୍ଷେତ୍ର ପୁରୀ ଅଶାନ୍ତ: ଛୁରାମାଡରେ ଜଣେ ଆହତ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ପୁଣି ହିଂସା । ଶ୍ଳୋକ ବୋଲିବାରୁ ଜଣେ ରୋଷେୟାକୁ ହୋଇଛି ଛୁରାମାଡ । କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ନରେନ୍ଦ୍ର କୋଣରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଛୁରାମାଡର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲାର ସୀତାକାନ୍ତ ମହାପାତ୍ର । ତାଙ୍କ ଛାତିରେ ଗଭୀର ଆଘାତ ଲାଗିଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଆକ୍ରମଣର ଶିକାର ହୋଇଥିବା ସୀତାକାନ୍ତଙ୍କ କହିବାନୁଯାୟୀ ସେ ସମୁଦ୍ର କୂଳରେ ଥିବା ଏକ ହୋଟେଲରେ ରୋଷେୟା ଭାବେ କାର୍ଯ୍ୟ କରନ୍ତି । ଆଜି ସକାଳେ ସେ କୌଣସି କାର୍ଯ୍ୟରେ ନରେନ୍ଦ୍ର କୋଣ ଯାଇଥିଲେ । ସେଠାରେ କିଛି ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିଲା । ତେବେ ସେହି ସମୟରେ ସୀତାକାନ୍ତ ସେମାନଙ୍କୁ ବୁଝାସୁଝା କରିବା ସହ ଶ୍ଳୋକ ବୋଲିବାରୁ ତାଙ୍କୁ ଛୁରାମାଡ ହୋଇଥିବା ଅଭିଯୋଗ ହୋଇଛି ।

ଘଟଣାସ୍ଥଳରେ ଟାଉନ ଥାନା ଓ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି । ତେବେ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ନରେନ୍ଦ୍ର କୋଣ ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବଢିବାରେ ଲାଗିଛି । ଏଥିପାଇଁ ସେହି ଅଞ୍ଚଳରେ ଅପରାଧ ମଧ୍ୟ ବଢିବାରେ ଲାଗିଛି । କଥା କଥାକେ ମରଣାନ୍ତକ ଆକ୍ରମଣ କରୁଛନ୍ତି ଦୁର୍ବୃତ୍ତ । ପୋଲିସକୁ ଆଦୌ ବି ଭୟ କରୁନାହାନ୍ତି । ଯାହାକୁ ନେଇ ସହରବାସୀ ଏବେ ଆଶଙ୍କିତ ଅବସ୍ଥାରେ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ....ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ସରପଞ୍ଚଙ୍କ ପୁଅର ମୃତଦେହ ଉଦ୍ଧାର, କମେଣ୍ଟ ମରାକୁ ବିରୋଧ କରିବାରୁ ହତ୍ୟା !

ନରେନ୍ଦ୍ର ପୁଷ୍କରିଣୀକୁ ଅନେକ ଭକ୍ତ, ପର୍ଯ୍ୟଟକ ଆସୁଛନ୍ତି । ହେଲେ ସେଠାରେ ସୁରକ୍ଷାକର୍ମୀ ନଥିବାରୁ ଅପରାଧୀମାନେ ବିଭିନ୍ନ ଅପରାଧ ଘଟାଉଛନ୍ତି । ନିଶା ଖାଇ ପର୍ଯ୍ୟଟକଙ୍କୁ ଆକ୍ରମଣ ସହ ବଟି ଆଦାୟ କରୁଥିବା ଭଳି ଏକାଧିକ ଘଟଣା ସାମ୍ନାକୁ ଆସିଛି । ବାରମ୍ବାର ଏପରି ଘଟଣାକୁ ନେଇ ପର୍ଯ୍ୟଟକମାନେ ମଧ୍ୟ ଭୟଭୀତ ହେବାରେ ଲାଗିଛନ୍ତି । ହେଲେ ସବୁ ଜାଣି ପୋଲିସ୍ ଚୁପ୍ ବସିବା ଘଟଣାକୁ ନେଇ ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି । ନରେନ୍ଦ୍ର କୋଣ ଅଞ୍ଚଳରେ ଅପରାଧୀଙ୍କ ଦୌରାତ୍ମ୍ୟ ବଢୁଥିବା ବେଳେ ପୋଲିସ ପକ୍ଷରୁ କଡା ପାଟ୍ରଲିଂ ସହ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନର ଆବଶ୍ୟକତା ଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

ଇଟିଭି ଭରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.