ETV Bharat / state

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ଶୁଭାରମ୍ଭ; ଆଜି ଅଙ୍କୁରପୂଜନ

author img

By ETV Bharat Odisha Team

Published : Jan 13, 2024, 7:37 AM IST

Updated : Jan 13, 2024, 7:54 AM IST

Srimandir Parikrama Project Inauguration
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ଶୁଭାରମ୍ଭ

Srimandir Parikrama Project Inauguration: ଆସନ୍ତା 17 ତାରିଖରେ ଉଦଘାଟନ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ଶୁକ୍ରବାରଠାରୁ ଅଙ୍କୁରାରୋପଣ ପୂଜା ଆରମ୍ଭ ହୋଇଛି । ଏହା ପୂର୍ବରୁ ଶ୍ରୀନଅରରେ ଗଜପତି ମହାରାଜା ବ୍ରାହ୍ମଣମାନଙ୍କୁ ଆଚାର୍ଯ୍ୟବରଣ କରିଥିଲେ । ଅଧିକ ପଢନ୍ତୁ

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ଶୁଭାରମ୍ଭ

ପୁରୀ: ଆସନ୍ତା 17 ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଉଦଘାଟନ କରିବେ । ଦେଶ ବିଦେଶରୁ ଅନେକ ଅତିଥି ଏହି ଭବ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପରିପ୍ରେକ୍ଷୀରେ ଆସନ୍ତା 15 ତାରିଖରେ ଯଜ୍ଞ ଆରମ୍ଭ ହେବ । ଏଥିପାଇଁ ଶୁକ୍ରବାରଠାରୁ ଅଙ୍କୁରାରୋପଣ ପୂଜା ଆରମ୍ଭ ହୋଇଛି । ଏହା ପୂର୍ବରୁ ଶ୍ରୀନଅରରେ ଗଜପତି ମହାରାଜା ବ୍ରାହ୍ମଣମାନଙ୍କୁ ଆଚାର୍ଯ୍ୟବରଣ କରିଥିଲେ । ଗଜପତିଙ୍କ ରାଜଗୁରୁ ଏହି କାର୍ଯ୍ୟ ସମାପନ କରିଥିଲେ । ଏହି ବ୍ରାହ୍ମଣମାନେ ପରିକ୍ରମା ପ୍ରକଳ୍ପ ପାଇଁ ପୂଜା, ଯଜ୍ଞରେ ସାମିଲ ହେବେ ।

ପରେ ଗଜପତି ମହାରାଜା ଏକ ବୈଠକ କରିଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏକ ଐତିହାସିକ ପ୍ରକଳ୍ପ ବୋଲି ଗଜପତି ମତ ରଖିଥିଲେ । ଏହି ପ୍ରକଳ୍ପ ଦ୍ବାରା ଭକ୍ତମାନେ ଉପକୃତ ହେବେ । ଶ୍ରୀମନ୍ଦିରର ସୁରକ୍ଷା ବୃଦ୍ଧି ହୋଇପାରିବ । ଏହି କାର୍ଯ୍ୟରେ ସମସ୍ତେ ସହଯୋଗ କରିଥିବାରୁ ଗଜପତି କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, "ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏକ ଐତିହାସିକ ପ୍ରକଳ୍ପ । ଏହାକୁ ଇତିହାସ ମନେ ରଖିବ । ଏହି ପ୍ରକଳ୍ପ ପାଇଁ ଅନେକ ଲୋକ ତ୍ୟାଗ କରିଛନ୍ତି । ସେମାନଙ୍କ ତ୍ୟାଗ ଚିରଦିନ ପାଇଁ ଅମର ରହିବ । ଭକ୍ତମାନେ ବହୁତ ଉପକୃତ ହେବେ । ମନ୍ଦିର ଚାରିପାଖରେ ବେଦ ପାଠ ସହ ଯଜ୍ଞ କରାଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଉଦଘାଟନ କରାଯିବ ।"

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଶୁକ୍ରବାର ସନ୍ଧ୍ୟା ୫ଟାରେ ଗଜପତିଙ୍କ ଦ୍ବାରା ଆଚାର୍ଯ୍ୟବରଣ, ସନ୍ଧ୍ୟା ୬ଟା ୩୦ରେ ଅଙ୍କୁରାରୋପଣ ସମ୍ପନ୍ନ ହୋଇଥିଲା । ଆଜି ୧୧ଟାରୁ ରାତି ୮ଟା ମଧ୍ୟରେ ଅଙ୍କୁରପୂଜନ ଅନୁଷ୍ଠିତ ହେବ । ସେହିପରି ୧୪ ତାରିଖ ଦିନ ୧୦ଟାରୁ ରାତି ୮ଟା ମଧ୍ୟରେ ଅଙ୍କୁର ପୂଜନ, ଯଜ୍ଞ ଅଧିବାସ, ମଣ୍ଡଳ ସ୍ଥାପନ, ଧ୍ବଜା ସ୍ଥାପନ ଓ ତୋରଣ ସ୍ଥାପନ ଅନୁଷ୍ଠିତ ହେବ । ସେହିପରି ୧୫ ତାରିଖ ଦିନ ଅଖଣ୍ଡ ଦୀପ ସ୍ଥାପନ ସହ ପ୍ରତିଷ୍ଠା ଉତ୍ସବ ପାଇଁ ମହାଯଜ୍ଞ ଆରମ୍ଭ ହେବ । ୧୬ ତାରିଖରେ ମଧ୍ୟ ବିଭିନ୍ନ ପୂଜାବିଧି ଅନୁଷ୍ଠିତ ହେବ । ୧୭ ତାରିଖ ବୁଧବାର ଦିନ ବିଭିନ୍ନ ପୂଜାବିଧି ସହିତ ଶ୍ରୀମନ୍ଦିର ଚାରିଦ୍ବାରରେ ବେଦ ପାଠ ଓ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେବ ।

ଏହା ମଧ୍ୟ ପଢନ୍ତୁ...ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆଜିଠୁ ପୂଜାବିଧି, ନବବଧୂ ପରି ସଜେଇ ହୋଇଛି ଜଗନ୍ନାଥ ଧାମ

ଏହାସହ ଦିନ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୧ଟା ୩୦ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞ ପୂର୍ଣ୍ଣାହୁତି, ଆରତୀ ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ । ପରେ ଦିନ ୨ଟାରୁ ୩ଟା ମଧ୍ୟରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା ଏବଂ ପରେ ସଭାଗୃହରେ ଅତିଥିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯିବ । ଦିନ ୩ଟା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଦକ୍ଷିଣ କରିବା ପାଇଁ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ରହିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପରେ ଆସନ୍ତା ୧୮ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ନିମନ୍ତ୍ରିତ ଅତିଥିଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ପୁରୀ ଅଣାଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷିଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବକୁ ନେଇ ଆଜିଠାରୁ ପୂଜାବିଧି ଆରମ୍ଭ ହେଉଥିବା ବେଳେ ୧୭ ତାରିଖ ବୁଧବାର ଲୋକାର୍ପଣ ଉତ୍ସବକୁ ପ୍ରତ୍ୟେକ ଜଗନ୍ନାଥ ପ୍ରେମୀ ଦେଖିବା ପାଇଁ ଏବେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏହି ଭବ୍ୟ କାର୍ଯ୍ୟକ୍ରମକୁ ସାରା ବିଶ୍ବବାସୀ ଦେଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଗଣମାଧ୍ୟମ, ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ସିଧାପ୍ରସାରଣ କରାଯିବାର ବ୍ୟବସ୍ଥା ମଧ୍ୟ ହୋଇଛି ।

ଇଟିଭି ଭାରତ, ପୁରୀ

Last Updated :Jan 13, 2024, 7:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.