ETV Bharat / state

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପ୍ରସ୍ତୁତି ଜୋରଦାର, ପ୍ରଶାସନର ସମୀକ୍ଷା ବୈଠକ

author img

By ETV Bharat Odisha Team

Published : Dec 7, 2023, 5:45 PM IST

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପ୍ରସ୍ତୁତି ଯୋରଦାର, ପ୍ରଶାସନର ସମୀକ୍ଷା ବୈଠକ
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପ୍ରସ୍ତୁତି ଯୋରଦାର, ପ୍ରଶାସନର ସମୀକ୍ଷା ବୈଠକ

ଆସନ୍ତା ଜାନୁଆରୀ ୧୭ରେ‌ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିବାକୁ ଥିବାବେଳେ ଏନେଇ ଜୋରସୋରରେ ପ୍ରସ୍ତୁତି ଆଗେଇ ଚାଲିଛି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ସଫଳ କରିବା ପାଇଁ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ସମୀକ୍ଷା ବୈଠକ କରାଯାଇ ପ୍ରସ୍ତୁତି କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଛି । ଅଧିକ ପଢନ୍ତୁ

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପ୍ରସ୍ତୁତି ଯୋରଦାର, ପ୍ରଶାସନର ସମୀକ୍ଷା ବୈଠକ

ପୁରୀ: ଆସନ୍ତା ଜାନୁଆରୀ ୧୭ରେ‌ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିବାକୁ ଥିବାବେଳେ ଏନେଇ ଜୋରସୋରରେ ପ୍ରସ୍ତୁତି ଆଗେଇ ଚାଲିଛି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ସଫଳ କରିବା ପାଇଁ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ସମୀକ୍ଷା ବୈଠକ କରାଯାଇ ପ୍ରସ୍ତୁତି କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଛି । ଲୋକାର୍ପଣ ଉତ୍ସବରେ କେଉଁ କେଉଁ ଅତିଥି ଆସିବେ, କେଉଁଠି ବସିବେ କିଭଳି ଆଧ୍ୟାତ୍ମିକ ପରିବେଶରେ ପୂଜାବିଧି ଅନୁଷ୍ଠିତ ହେବ ସେନେଇ ଆଜି ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ ସହ ଅନୁଧ୍ୟାନ କରାଯାଇଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ କିଭଳି ଆକର୍ଷଣୀୟ ଏବଂ ଭବ୍ୟ କରାଯାଇପାରିବ ସେଦିଗରେ ଲାଗି ପଡିଛି ଶ୍ରୀମନ୍ଦିର ଓ ପୁରୀ ଜିଲ୍ଲା ପ୍ରଶାସନ । ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ବାରମ୍ବାର ବୈଠକ କରି ଲୋକାର୍ପଣ ଉତ୍ସବ କାର୍ଯ୍ୟକ୍ରମକୁ ନେଇ ପ୍ରସ୍ତୁତି କିଭଳି ଚାଲିଛି ସେନେଇ ସମୀକ୍ଷା କରିଛନ୍ତି । ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ଜିଲ୍ଲାପାଳ ସମର୍ଥ ବର୍ମା, ଟାଟା ଓ ଓବିସିସିର ଅଧିକାରୀ ଏବଂ ପୂଜାବିଧିରେ ଯୋଗ ଦେବାକୁ ଥିବା ଆଚାର୍ଯ୍ୟ ଓ ବ୍ରାହ୍ମଣମାନଙ୍କ ସହ ଏକ ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି । ବୈଠକ ଶେଷ ପରେ ପ୍ରତିନିଧି ମଣ୍ଡଳୀ ଶ୍ରୀମନ୍ଦିର ଐଶାନ୍ୟ କୋଣକୁ ଯାଇ ପ୍ରସ୍ତୁତି ଦେଖିଥିଲେ । କେଉଁ ସ୍ଥାନରେ ଯଜ୍ଞ ହେବ, କେଉଁ ସ୍ଥାନରେ ଅତିଥୀ ମାନେ ବସିବେ ଏବଂ ଶ୍ରୀମନ୍ଦିର ଚାରିଦ୍ବାରରେ କିଭଳି ବେଦପାଠ ଅନୁଷ୍ଠିତ ହେବ ସେନେଇ ସ୍ଥାନ ଚିହ୍ନଟ କରିଥିଲେ ।

ଅଧିକ ପଢନ୍ତୁ- ଜାନୁଆରୀ ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ବସିଲା ପ୍ରସ୍ତୁତି ବୈଠକ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି, ‘‘ସୂଚନା ଅନୁସାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବ କାର୍ଯ୍ୟକ୍ରମକୁ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି, ସାଧୁସନ୍ଥଙ୍କ ସମେତ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରାଯିବ। ଲୋକାର୍ପଣ ଉତ୍ସବକୁ କିଭଳି ଆକର୍ଷଣୀୟ ଏବଂ ଭବ୍ୟ କରାଯାଇପାରିବ ସେଦିଗରେ ସମସ୍ତ ପଦକ୍ଷେପ ନିଆଯାଉଛି।’’ ତେବେ ଆସନ୍ତା ଜାନୁୟାରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ଜାନୁଆରୀ ୧୨ ତାରିଖରୁ ସମସ୍ତ ପୂଜାବିଧି ଆରମ୍ଭ ହେବ । ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଅଙ୍କୁରାରୋପଣ ପୂଜା, ୧୫ ରୁ ୧୭ ତାରିଖ ତିନିଦିନ ଧରି ମହାଯଜ୍ଞ ଗଜପତିଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବ ।

ଜାନୁଆରୀ ୧୭ ତାରିଖ ଅର୍ଥାତ ଯଜ୍ଞର ପୂର୍ଣ୍ଣାହୁତି ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଭକ୍ତଙ୍କ ଉଦ୍ଦେଶ୍ୟରେ ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିବେ । ତେବେ ଜଗନ୍ନାଥ ଧାମକୁ ମୁଖ୍ୟମନ୍ତ୍ରୀ ଯେଭଳି ଗୁରୁତ୍ବ ଦେଇ ପରିକ୍ରମା ପ୍ରକଳ୍ପ ମାଧ୍ୟମରେ ଏକ ନୂଆ ରୂପ ଦେଇଛନ୍ତି ତାକୁ ଆଚାର୍ଯ୍ୟ, ବ୍ରାହ୍ମଣ, ସେବାୟତ ଓ ଭକ୍ତମାନେ ସ୍ବାଗତ କରିଛନ୍ତି ।

ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ହାତରେ ଖୁବ କମ ସମୟ ରହିଛି । ଏଣୁ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ସମସ୍ତ ନିର୍ମାଣ କାର୍ଯ୍ୟ ସାରିବାକୁ ପ୍ରଶାସନ ତତ୍ପର ହୋଇଉଠିଛି। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଯେତିକି ପାଖାଉଛି ଏହି ଭବ୍ୟ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଭକ୍ତ ଓ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ସେତିକି ବଢ଼ିବାରେ ଲାଗିଛି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.