ETV Bharat / state

ଜାନୁଆରୀ ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ବସିଲା ପ୍ରସ୍ତୁତି ବୈଠକ

author img

By ETV Bharat Odisha Team

Published : Nov 20, 2023, 10:12 PM IST

ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର । ଜାନୁଆରୀ ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଅଧିକ ପଢନ୍ତୁ

Puri corridor project preparatory meeting
Puri corridor project preparatory meeting

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ପୁରୀ: ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର । ଆସନ୍ତା ଜାନୁୟାରୀ ୧୭ ତାରିଖରେ ଲୋକାର୍ପଣ ହେବାକୁ ଯାଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ସବକମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁଯାୟୀ, ଜାନୁଆରୀ ୧୨ ତାରିଖ ଶୁକ୍ରବାର ଦିନ ଅପରାହ୍ନ ୨ଟା ୪୫ରୁ ୪ଟା ମଧ୍ୟରେ ଗଜପତି ମହାରାଜାଙ୍କ ଦ୍ବାରା ଆଚାର୍ଯ୍ୟ ବରଣ ସହ ଅଙ୍କୁରାରୋପଣ, ୧୩ ତାରିଖ ସନ୍ଧ୍ୟା ୬ଟାରେ ଅଙ୍କୁରପୂଜନ, ୧୪ ତାରିଖ ସନ୍ଧ୍ୟା ୫ଟାରେ ମଣ୍ଡଳ ସ୍ଥାପନ ଓ ଅଙ୍କୁର ପୂଜନ ୧୫ରେ ଅଖଣ୍ଡ ଦୀପ ସ୍ଥାପନ ସହ ବିଭିନ୍ନ ପୂଜାର୍ଚ୍ଚନା, ୧୬ ତାରିଖରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା ଭଳି ବିଭିନ୍ନ ପୂଜାର୍ଚ୍ଚନା ଏବଂ ୧୭ ତାରିଖ ଦିବା ୧.୩୦ଟାରୁ ୨ଟା ୨୫ ମଧ୍ୟରେ ଗଜପତି ମହାରାଜାଙ୍କ ଦ୍ବାରା ପୂର୍ଣ୍ଣାହୁତି, ଆଳତୀ ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

ଏହା ବି ପଢନ୍ତୁ- ଏବେ ବୟସ୍କ ଓ ରୋଗାଗ୍ରସ୍ତ ଭକ୍ତ ଶ୍ରୀମନ୍ଦିର ଆସନ୍ତୁ ନାହିଁ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଏଥିସହ ଶ୍ରୀମନ୍ଦିର ଚାରିଦ୍ବାରରେ ବିଭିନ୍ନ ବେଦପାଠ ସହ ସଂକୀର୍ତ୍ତନ, ପାରମ୍ପରିକ ନୃତ୍ୟ ଗୀତ, ବାଲୁକା କଳା ମଧ୍ୟ ଅନୁଷ୍ଠିତ ହେବ । ସେହିପରି ଓଡ଼ିଶାର କୋଣ ଅନୁକୋଣରେ ଥିବା ଜଗନ୍ନାଥ ପ୍ରେମୀମାନେ ଏହି ଲୋକାର୍ପଣ ଉତ୍ସବର ଯେଭଳି ଦେଖିପାରିବେ ସେନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ନେଇ ଯୋଜନା ରଖିଛି ପ୍ରଶାସନ । ଏଥିସହ ଏହି ମହୋତ୍ସବରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ବିଭିନ୍ନ ମଠର ସାଧୁସନ୍ଥ ଓ ବରେଣ୍ୟ ଅତିଥିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ । ଶ୍ରୀମନ୍ଦିର ଐସାନ୍ୟ କୋଣରେ ଯଜ୍ଞ ସହ ପୂଜାର୍ଚ୍ଚନା ଚାଲିବ ।

ଅନ୍ୟପଟେ ପଞ୍ଚୁକକୁ ଦୃଷ୍ଟିରେ ରଖି ଭକ୍ତଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବ । ତେବେ ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତମାନେ ଯେଭଳି ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେନେଇ ଆସନ୍ତାକାଲି ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସି ଆଲୋଚନା ହେବ । ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ଥିବା ସମସ୍ତ କୋଠା ଗୁଡିକୁ ଫିକା ଗେରୁଆ ରଙ୍ଗ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ସାରା ଓଡି଼ଶାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ପ୍ରଚାର ପ୍ରସାର କରାଯିବ ।

ତେବେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସୁଥିବା ଭକ୍ତ କିଭଳି ଘଣ୍ଟା ଘଣ୍ଟା ଧରି ବ୍ୟାରିକେଡରେ ଅପେକ୍ଷା କରିବେ ନାହିଁ ସେ ନେଇ ଥିବା ପ୍ରଶ୍ନର ଜବାବ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଦେଇପାରିନାହାନ୍ତି । ବରଂ କହିଛନ୍ତି କାର୍ତ୍ତିକ ମାସରେ ଭିଡ ହେଉଥିବାରୁ ବୟସ୍କ, ଅସୁସ୍ଥ ବ୍ୟକ୍ତିମାନେ ଦର୍ଶନ ପାଇଁ ନ ଆସନ୍ତୁ । କାର୍ତ୍ତିକ ମାସ ପରେ ଫାଙ୍କା ସମୟରେ ଆସନ୍ତୁ । ଭକ୍ତଟିଏ ମହାପ୍ରଭୁଙ୍କୁ ଦର୍ଶନ ପାଇଁ କେଉଁ ଦୂରଦୂରାନ୍ତରୁ ଆସୁଥିବା ବେଳେ ତାଙ୍କୁ ମହାପ୍ରଭୁଙ୍କୁ ଦର୍ଶନ ସୁଯୋଗ ଦେବା ପରିବର୍ତ୍ତେ କାର୍ତ୍ତିକ ମାସରେ ଶ୍ରୀମନ୍ଦିର ନ ଆସିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମତ ଦେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଭକ୍ତଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କାର୍ଯ୍ୟ କରୁଛନ୍ତି ନା ଆଉ କାହା ସ୍ବାର୍ଥ ପାଇଁ କାର୍ଯ୍ୟ କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ? ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ରଞ୍ଜନ କୁମାର ଦାସ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଏସପି ସୁଶିଲ କୁମାର ମିଶ୍ର, ପରିଚାଳନା କମିଟି ସେବାୟତ ସଦସ୍ୟ, ନୀତି ଓ ଉନ୍ନୟନ ପ୍ରଶାସକଙ୍କ ସହ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.