ଶ୍ରୀମନ୍ଦିର ସେବାୟତଙ୍କୁ ଆକ୍ରମଣ ଘଟଣା, ବନ୍ଧା ହେଲେ ଅଭିଯୁକ୍ତ

author img

By

Published : Mar 17, 2023, 7:38 AM IST

servitors attacked in puri

ପୁରୀ ଗୁଡିଆ ସାହିରେ 4 ଜଣ ଶ୍ରୀମନ୍ଦିର ସେବାୟତଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ବନ୍ଧା ହେଲେ ଅଭିଯୁକ୍ତ । ଅଧିକ ପଢନ୍ତୁ

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ ଆକ୍ରମଣ କରିବା ଘଟଣାରେ ବନ୍ଧା ହେଲେ ଅଭିଯୁକ୍ତ । ପୁରୀ ଗୁଡିଆ ସାହିରେ 4 ଜଣ ସେବାୟତଙ୍କୁ ବୁଧବାର ରାତିରେ ୧୦ରୁ ଅଧିକ ଯୁବକ ସଂଘବଦ୍ଧ ଆକ୍ରମଣ କରିଥବା ବେଳେ ୫ ଜଣ ଯାତ୍ରୀ ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସଫଳ ହୋଇଛି ଟାଉନ ଥାନା ପୋଲିସ । ତେବେ ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ପୁରୀ ବାସେଳୀ ସାହି ଥାନା ଅଧିନ ନୀଳକଣ୍ଠ ନଗରର ରାକେଶ ମହାପାତ୍ର, ପଣା ପ୍ରିୟା ଲେନର‌ ସନ୍ତୋଷ କୁମାର ମହାନ୍ତି, ଥାନପତି ନଗରର ନିର୍ମଳ କୁମାର ପ୍ରଧାନ, ହାତିଶାଳର ସୁଜିତ କୁମାର ମହାନ୍ତି ଓ କଟକ ନରସିଂହପୁରର ଶ୍ରୀକାନ୍ତ କୁମାର ପର୍ବତ ବୋଲି ଜଣାପଡିଛି ।

ତେବେ ଏମାନଙ୍କ ଠାରୁ ପୋଲିସ ୩ଟି ଖଣ୍ଡା, ୩ଟି ମୋଟର ସାଇକେଲ ଏବଂ ୫ଟି ମୋବାଇଲ ଫୋନ ଜବତ କରିଛି । ଶ୍ରୀମନ୍ଦିରରେ ଯାତ୍ରୀ ବ୍ୟବସାୟକୁ କେନ୍ଦ୍ର କରି ବୁଧବାର ରାତିରେ ଗୁଡିଆ ସାହିର ମଧୁସୂଦନ ପତ୍ରୀଙ୍କୁ ଅଭିଯୁକ୍ତ ମାନେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିବା ବେଳେ କାଶୀନାଥ ପ୍ରତିହାରୀ, ବଟକୃଷ୍ଣ ମହାପାତ୍ର ଓ ରାଜନ ପୂଜାପଣ୍ଡାଙ୍କୁ ଗୋଟାଳିରେ ଆକ୍ରମଣ କରିଥିଲେ । ଚିକିତ୍ସା ପାଇଁ ସମସ୍ତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଭୁଜାଲି ଚୋଟରେ ମଧୁସୂଦନଙ୍କ ବାମ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ଆକ୍ରମଣର ଶିକାର ହୋଇଥିବା କାଶୀନାଥ ପ୍ରତିହାରୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁରୀ ଏସପିଙ୍କ ତତ୍ତ୍ଵାବଧାନରେ ତିନି ଜଣିଆ ଟିମ୍ ଗଠନ ହୋଇଥିଲା‌ । ସେପଟେ ଅଭିଯୁକ୍ତ ମାନେ ପୁରୀ ଛାଡ଼ି ବାହାର ଜିଲ୍ଲାକୁ ଯିବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ସେବାୟତଙ୍କୁ ଆକ୍ରମଣ ଘଟଣା, ସିସିଟିଭିରେ କଏଦ ହେଲା ଆକ୍ରମଣ ସମୟର ଛାତିଥରା ଦୃଶ୍ୟ

ପୁରୀରେ ବଢୁଛି ଅପରାଧିକ ମାମଲା । ଜଣେ ଯୁବକଙ୍କୁ ମରଣାସ୍ତ୍ରରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଥିଲା । ଏହି ଘଟଣା ପୁରୀ ସେବାୟତଙ୍କ ସହ ଜଡିତ ଥିବା ନେଇ ପୁରୀ ଏସପି ପ୍ରକାଶ କରିଥିଲେ । ସେବାୟତଙ୍କ ମଧ୍ୟରେ ବାରମ୍ବାର ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଥିବା ବେଳେ ବିଭିନ୍ନ ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ ଭଳି ଘଟଣା ସାମ୍ନାକୁ ଆସୁଛି । ତେବେ ଯାତ୍ରୀ ବ୍ୟବସାୟକୁ କେନ୍ଦ୍ରକରି ଶ୍ରୀମନ୍ଦିର ସେବାୟତଙ୍କ ମଧ୍ୟରେ ଘଟିଛି ଏହି ଗୋଷ୍ଠୀ ସଂଘର୍ଷ । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ହାତରେ ଖଣ୍ଡା ସହ ବିଭିନ୍ନ ମାରଣାସ୍ତ୍ର ଧରି ଯୁବକମାନଙ୍କୁ ଦୁର୍ବୃତ୍ତମାନେ କିଭଳି ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ କରୁଛନ୍ତି ତାହା ସିସିଟିଭିରେ କଏଦ ଦୃଶ୍ୟରୁ ସ୍ପଷ୍ଟ ହୋଇଛି । ଏନେଇ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.