ETV Bharat / state

ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ : କଂଗ୍ରେସ କହିଲା ଭୁଆଁ ବୁଲାଉଛନ୍ତି ସରକାର

author img

By ETV Bharat Odisha Team

Published : Nov 28, 2023, 5:52 PM IST

Congress demands to open ratna bhandar
Congress demands to open ratna bhandar

Laser Scanning of Srimandir Ratna Bhandar : ଶ୍ରୀମନ୍ଦିର ରତ୍ନଭଣ୍ଡାରର ଆରମ୍ଭ ହୋଇଛି ଲେଜର ସ୍କାନିଂ । ଏଏସ୍‌ଆଇର ବୈଷୟିକ ଟିମ୍‌ ରତ୍ନଭଣ୍ଡାରର ଯାଞ୍ଚ ଆରମ୍ଭ କରିଛି । ସେପଟେ ଲେଜର ସ୍କାନିଂ ବଦଳରେ ତୁରନ୍ତ ରତ୍ନଭଣ୍ଡାର କୋଲିବାକୁ ଦାବି କଲା କଂଗ୍ରେସ । ଅଧିକ ପଢ଼ନ୍ତୁ

Congress demands to open ratna bhandar

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଲେଜର ସ୍କାନିଂ । ଏଥିପାଇଁ ଏଏସଆଇର ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିବା ବେଳେ ଲେଜର ସ୍କାନିଂ ଆରମ୍ଭ ହୋଇଛି । ବିଶେଷ କରି ରତ୍ନଭଣ୍ଡାରର ବାହାର ପାର୍ଶ୍ୱରେ ସ୍ଥିତି କ'ଣ ରହିଛି ତାହା ଜାଣିବା ପାଇଁ ଏହି ଲେଜର ସ୍କାନିଂ କରାଯାଉଛି । ଲେଜର ସ୍କାନିଂରେ ରତ୍ନଭଣ୍ଡାରର ସ୍ଥିତି ଜଣା ପଡ଼ିବା ପରେ ଏନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏଏସଆଇ ସୁପରିଟେଣ୍ଡଣ୍ଟ୍‌ କହିଛନ୍ତି । ଶ୍ରୀମନ୍ଦିରରେ ନଷ୍ଟ ହୋଇଯାଇଥିବା କଳାକୃତିଗୁଡ଼ିକର ସଂଗ୍ରକ୍ଷଣ ପାଇଁ ଏଏସଆଇକୁ ପ୍ରସ୍ତାବ ଦେଇଛନ୍ତି ପରିଚାଳନା କମିଟି ସଦସ୍ୟ । ସେପଟେ ସରକାର ଲୋକଙ୍କୁ ଭୁଆଁ ବୁଲାଉଥିବା ବେଳେ ଲେଜର ସ୍କାନିଂ ବଦଳରେ ତୁରନ୍ତ ରତ୍ନଭଣ୍ଡାର ଖୋଲିବା ପାଇଁ ଦାବି କରିଛି କଂଗ୍ରେସ ।

ଆରମ୍ଭ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଯାଞ୍ଚ ପ୍ରକ୍ରିୟା । ରତ୍ନଭଣ୍ଡାରର ବାହାର ପଟେ ସ୍ଥିତି କିଭଳି ରହିଛି ତା'ର ଲେଜର ସ୍କାନିଂ କରାଯାଉଛି । ଏଏସଆଇ ପକ୍ଷରୁ ଥ୍ରୀ'ଡି କ୍ୟାମେରା ଜରିଆରେ ଏହି ଲେଜର ସ୍କାନିଂ କରାଯାଉଥିବା ବେଳେ ଏହି ସ୍କାନିଂରେ ରତ୍ନଭଣ୍ଡାରର ସ୍ଥିତି କିଭଳି ରହିଛି ତାହା ଜଣାପଡ଼ିବ । ରତ୍ନଭଣ୍ଡାରର ବାହାର ପାର୍ଶ୍ୱରେ କେଉଁ ଠାରେ ଫାଟ ବା କ୍ଷତିଗ୍ରସ୍ତ ହୋଇଛି ତାହା ଏହି ଲେଜର ସ୍କାନିଂ ପରେ ଜଣାପଡ଼ିବ । ଏହି କାର୍ଯ୍ୟ କରିବା ପାଇଁ ଏଏସଆଇ ସୁପରିଟେଣ୍ଡଣ୍ଟ ଡି.ବି ଗଡ଼ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିବା ବେଳେ ଶ୍ରୀମନ୍ଦିର ବୈଷୟିକ କମିଟି ଓ ପରିଚାଳନା କମିଟି ସଦସ୍ୟ ଏଥିରେ ରହିଛନ୍ତି । ଏହି କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସ୍‌ଆଇକୁ ସମ୍ପୂର୍ଣ୍ଣ ସହଯୋଗ କରାଯାଉଛି ।

ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ ପାଇଁ ଜଗନ୍ନାଥ ପ୍ରେମୀ, ସେବାୟତ ଓ ଗବେଷକଙ୍କ ମହଲରେ ବାରମ୍ବାର ଦାବି ପରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଯାଞ୍ଚ ନେଇ ନିଷ୍ପତ୍ତି ହୋଇଥିଲା । ତେବେ ପ୍ରାଥମିକ ପର୍ଯ୍ୟାୟରେ ରତ୍ନଭଣ୍ଡାରର ବାହାର ପାର୍ଶ୍ୱ ସ୍ଥିତି କିଭଳି ରହିଛି ତା'ର ଅନୁଧ୍ୟାନ ପାଇଁ ଏଏସ୍‌ଆଇକୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା । ଏହି କ୍ରମରେ ଆଜି ଏଏସ୍‌ଆଇ ଟିମ୍ ଅତ୍ୟାଧୁନିକ ଥ୍ରୀଡି କ୍ୟାମେରା ସାହାଯ୍ୟରେ ରତ୍ନଭଣ୍ଡାରର ବାହାର ପାର୍ଶ୍ୱ ଯାଞ୍ଚ ପାଇଁ କାର୍ଯ୍ୟ ଆରମ୍ଭ କରିଛି । ସେପଟେ ଶ୍ରୀମନ୍ଦିରରେ ଅନେକଗୁଡ଼ିଏ କଳାକୃତି ନଷ୍ଟ ହୋଇଯାଇଥିବା ବେଳେ ଏହି ପଥରକୁ ବଦଳାଇ ପୂର୍ବରୁ ଥିବା କଳାକୃତି ଅନୁଯାୟୀ ପଥର ସ୍ଥାନିତ କରାଯିବାକୁ ନେଇ ଏଏସଆଇକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତାବ ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର୍ ସ୍କାନିଂ ଆରମ୍ଭ: ମନ୍ଦିରରେ ଏଏସଆଇ ଟିମ୍

ସେପଟେ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ ନେଇ ଲେଜର ସ୍କାନିଂ କରାଯାଉଥିବା ବେଳେ ଏହାର ସ୍ଥିତି କିଭଳି ରହିଛି ତାକୁ ନେଇ ସବୁ ମହଲରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ତେବେ ଲେଜର ସ୍କାନିଂ ରିପୋର୍ଟ ଆସିବା ପରେ ରତ୍ନଭଣ୍ଡାରର ମରାମତି ନେଇ ପଦକ୍ଷେପ ନେବ ଶ୍ରୀମନ୍ଦିର ପରିଚାଳନା କମିଟି । ଶ୍ରୀମନ୍ଦିର ସଂରକ୍ଷଣରେ ଏଏସଆଇ ଅବହେଳା କରିଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ସେବାୟତ । ସଠିକ୍ ଭାବରେ ଯାଞ୍ଚ କରିବାକୁ ସେବାୟତ ଦାବି କରିଛନ୍ତି । ସେପଟେ ଲେଜର ସ୍କାନିଂକୁ ସମାଲୋଚନା କରିଛି ପୁରୀ ନଗର କଂଗ୍ରେସ । ରତ୍ନଭଣ୍ଡାର ସ୍ଥିତି ଖରାପ ଥିବା ପୁର୍ବରୁ ହାଇକୋର୍ଟ ନିର୍ଦ୍ଦେଶିତ କମିଟି, ଏଏସ୍‌ଆଇ କହି ସାରିଥିବା ବେଳେ ଲେଜର ସ୍କାନିଂ ନାମରେ କେବଳ ଭକ୍ତମାନଙ୍କୁ ସରକାର ଭୁଆଁ ବୁଲାଉଛନ୍ତି । ରତ୍ନ ଭଣ୍ଡାର ଖୋଲିବାରେ ପ୍ରସଙ୍ଗକୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ନାଟକ କରୁଛନ୍ତି । ସରକାର ଏହି ନାଟକ ବନ୍ଦ କରି ତୁରନ୍ତ ରତ୍ନଭଣ୍ଡାର ଖୋଲି ଏହାର ମରାମତି ସହ ରତ୍ନ ଅଳଙ୍କାର ମରାମତି ପାଇଁ ବ୍ୟବସ୍ଥା କରିବାକୁ ପୁରୀ ନଗର କଂଗ୍ରେସ ଦାବି କରିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.