ETV Bharat / state

ପୁରୀରେ ବାଜିବନି ଡିଜେ, ଲାଗିଲା କଟକଣା

author img

By

Published : Feb 20, 2021, 7:53 PM IST

ଏଣିକି ପୁରୀ ସହରରେ ଆଉ ବାଜିବନି ଡ଼ିଜେ । ଏନେଇ ପୁରୀ ପୋଲିସ ପକ୍ଷରୁ ଜାରି କରାଯାଇଛି କଟକଣା । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅଭିଯୋଗ ପରେ ଏହି ରୋକ ଲଗାଇଛି ପୁରୀ ପୋଲିସ । ଅଧିକ ପଢନ୍ତୁ...

ପୁରୀରେ ଡିଜେ ଉପରେ ଲାଗିଲା କଟକଣା
ପୁରୀରେ ଡିଜେ ଉପରେ ଲାଗିଲା କଟକଣା

ପୁରୀ: ବର୍ତ୍ତମାନ ଚାଲିଛି ବିବାହ ଋତୁ । ବିବାହ ଶୋଭାଯାତ୍ରାରେ ବରଯାତ୍ରୀ ମାନେ ଡ଼ିଜେ ସାଉଣ୍ତର ତାଳେ ତାଳେ ଝୁମନ୍ତି । ତେବେ ଏଣିକି ପୁରୀ ସହରରେ ଆଉ ବାଜିବନି ଡ଼ିଜେ । ଏନେଇ ପୁରୀ ପୋଲିସ ପକ୍ଷରୁ ଜାରି କରାଯାଇଛି କଟକଣା । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅଭିଯୋଗ ପରେ ଏହି ରୋକ ଲଗାଇଛି ପୁରୀ ପୋଲିସ । ଆଗକୁ ମ୍ୟାଟ୍ରିକ ପରୀକ୍ଷା ଥିବା ବେଳେ ଏଥିପାଇଁ ପଢ଼ାପଢ଼ିରେ ବ୍ୟସ୍ତ ଅଛନ୍ତି ଛାତ୍ରଛାତ୍ରୀ । ତେବେ ବିବାହ ପ୍ରୋସେସନରେ ଡ଼ିଜେର ବହୁଳ ବ୍ୟବହାର ଏବଂ ଅତ୍ୟଧିକ ଶଦ୍ଦ ପ୍ରଦୂଷଣ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି । ତେଣୁ, ଶଦ୍ଦ ପ୍ରଦ୍ୟୁଷଣ ରୋକିବା ପାଇଁ ପୁରୀ ପୋଲିସ ପ୍ରଶାସନ ନେଇଥିବା ଡ଼ିଜେ ଉପରେ କଟକଣାକୁ ଛାତ୍ରଛାତ୍ରୀ, ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ସ୍ୱାଗତ କରିଛନ୍ତି ।

ପୁରୀରେ ଡିଜେ ଉପରେ ଲାଗିଲା କଟକଣା

ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଥିବା ପୁରୀ ପୋଲିସ ପକ୍ଷରୁ କୁହାଯାଇଛି । ବାହାଘର ପ୍ରୋସେସନରେ ଚାରୋଟି ସାଉଣ୍ତ ବକ୍ସ ସମେତ ୬୫ ଡ଼େସିବଲ ମଧ୍ୟରେ ସିମୀତ ରହିବ ସାଉଣ୍ତ । ସେହିପରି ଯେକୌଣସି ଶୋଭାଯାତ୍ରା ଆୟୋଜନ କରିବାକୁ ହେଲେ ସାତ ଦିନ ପୂର୍ବରୁ ପୋଲିସ ଠାରୁ ଅନୁମତି ନେବାକୁ ପଡ଼ିବ । ରାତି ସାଢ଼େ ୯ ଟା ପୂର୍ବରୁ ଶୋଭାଯାତ୍ରା ବନ୍ଦ କରିବାକୁ ପଡ଼ିବ । ପୁରୀ ବାହାରୁ ଆସୁଥିବା କୌଣସି ଡ଼ିଜେକୁ ପୁରୀ ମଧ୍ୟରେ ଅନୁମତି ଦିଆଯିବ ନାହିଁ । ଆଇନ ଉଲ୍ଲଘଂନ କଲେ ଜୋରିମାନା ସହ ଦଣ୍ତବିଧାନ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି ପୁରୀ ସାଉଣ୍ତ ଆଣ୍ତ ଲାଇଟ ଆସୋସିଏସନ । ଅନୁଷ୍ଠାନର କହିବା ଅନୁଯାୟୀ ପୁରୀରେ କୌଣସି ଡ଼ିଜେ ସେଟ ବ୍ୟବହାର ହେଉନଥିବା ବେଳେ ବାହାରୁ ଆସୁଥିବା ଡ଼ିଜେ ହିଁ ଶଦ୍ଦ ପ୍ରଦ୍ୟୁଷଣ କରୁଛି । ତେଣୁ, ଆଇନ ଉଲ୍ଲଘଂନକାରୀଙ୍କ ବିରୋଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.