ETV Bharat / state

ବଦଳୁଛି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ରୂପରେଖ, ଉତ୍କଳୀୟ କାରୁକାର୍ଯ୍ୟରେ ଝଲସୁଛି ପୁରାତନ ମଠ

author img

By ETV Bharat Odisha Team

Published : Jan 4, 2024, 5:58 PM IST

Beautification work around Sri Mandir
Beautification work around Sri Mandir

Beautification work around Sri Mandir: ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ । ଏହା ପୂର୍ବରୁ ବଦଳୁଛି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ରୂପରେଖ । ଅଧିକ ପଢନ୍ତୁ

ବଦଳୁଛି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ରୂପରେଖ

ପୁରୀ: ବଦଳିବାରେ ଲାଗିଛି ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଥିବା ବିଭିନ୍ନ ମଠ ମନ୍ଦିରର‌ ରୂପରେଖ । ଉତ୍କଳୀୟ କାରୁକାର୍ଯ୍ୟରେ ଝଲସୁଛି ବିଭିନ୍ନ ପୁରାତନ ମଠ । ଖାଣ୍ଡେଲାଇଟ୍ ପଥରରେ ଅତି ସୁନ୍ଦର ଭାବେ କାରୁକାର୍ଯ୍ୟ କରାଯାଇ ମଠଗୁଡ଼ିକର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଏହାଦ୍ବାରା ଶ୍ରୀଜଗନ୍ନାଥ ସଂସ୍କୃତି ଆହୁରି ବ୍ୟାପକ ଭାବେ ପ୍ରଚାର ପ୍ରସାର ହେବ ବୋଲି ମଠ ମହନ୍ତ ଆଶା ରଖିଛନ୍ତି ।

ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଥିବାବେଳେ ଏହା ପୂର୍ବରୁ ମଠ ମନ୍ଦିରର ପୁନଃରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ କରିବା ନେଇ ପ୍ରଶାସନ ଲକ୍ଷ୍ୟ ରଖିଛି । ଓଡ଼ିଶା ସେତୁ ନିର୍ମାଣ ନିଗମ ଏବଂ ଟାଟା ପ୍ରୋଜେକ୍ଟ ଟିମ ମଠ ମନ୍ଦିରଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଜୋରସୋରରେ ଆଗେଇ ନେଉଛନ୍ତି । ସେପଟେ ଜରାଜୀର୍ଣ୍ଣ ହୋଇପଡିଥିବା ମଠ ଗୁଡ଼ିକର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଉପରେ ସରକାର ପଦକ୍ଷେପ ନେଇଥିବାରୁ ଏହାକୁ ସ୍ବାଗତ କରିଛନ୍ତି ମଠାଧିଶ ଓ ସେବାୟତ । ଏହାଦ୍ବାରା ଶ୍ରୀଜଗନ୍ନାଥ ସଂସ୍କୃତି ଆହୁରି ବ୍ୟାପକ ଭାବେ ପ୍ରଚାର ପ୍ରସାର ହେବ ବୋଲି ମଠ ମହନ୍ତ ଆଶା ରଖିଛନ୍ତି ।

ଏହା ବି ପଢନ୍ତୁ- Srimandir Parikrama Project: ଜାନୁଆରୀ 17ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ୧୭ରେ ଲୋକାର୍ପଣ ହେବାକୁ ଥିବାରୁ ଏହାର ନିର୍ମାଣ କାର୍ଯ୍ୟ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଶ୍ରୀମନ୍ଦିର ଚାରିଦ୍ଵାରରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଥିବା ବେଳେ ଚାରିଦ୍ବାରରେ ଭକ୍ତ ସୁବିଧା ପାଇଁ ପରିକ୍ରମା ମାର୍ଗ, ଟଏଲେଟ୍, ପାନୀୟ ଜଳ, ଫାଷ୍ଟଏଡ୍ ସେଣ୍ଟର ଏବଂ ସୁନ୍ଦର ସୁନ୍ଦର ଫୁଲ ଗଛ ଲଗାଯାଇ ପରିବେଶକୁ ଆକର୍ଷଣୀୟ କରାଯାଇଛି । ତେବେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଭକ୍ତଙ୍କ ଉଦ୍ଦେଶ୍ୟରେ ସରକାରଙ୍କ ଏକ ବଡ଼ ଭେଟି ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଯୋଗ ଦେବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ବିଭିନ୍ନ ଦେବ ପୀଠକୁ ନିମନ୍ତ୍ରଣ ସରିଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଖୁବଶୀଘ୍ର ନିମନ୍ତ୍ରଣ କରାଯିବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଏକ ବିରାଟ ଐତିହାସିକ କାର୍ଯ୍ୟକ୍ରମ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଥିବା ବେଳେ କୋଟି କୋଟି ଜଗନ୍ନାଥ ପ୍ରେମୀ ଏବେ ସେହି ଦିବ୍ୟ ଓ ଭବ୍ୟ ମୁହୂର୍ତ୍ତକୁ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.