ETV Bharat / state

ପୁରୀରେ ବିକାଶମୂଳକ କାର୍ଯ୍ୟର ତଦାରଖ କଲେ ୫ଟି ସଚିବ, ରଥଯାତ୍ରା ପୂର୍ବରୁ କାମ ସାରିବାକୁ ନିର୍ଦ୍ଦେଶ

author img

By

Published : Apr 16, 2023, 8:07 AM IST

5t secretary vk pandian visits puri
5t secretary vk pandian visits puri

ଶନିବାର ପୁରୀରେ ବିକାଶମୂଳକ କାର୍ଯ୍ୟର ତଦାରଖ କଲେ ୫ଟି ସଚିବ । ଏହାସହ ରଥଯାତ୍ରା ପୂର୍ବରୁ କାମ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା । ଅଧିକ ପଢନ୍ତୁ

ପୁରୀ: ଶନିବାର ପୁରୀ ଗସ୍ତରେ ଆସିଥିଲେ ୫ଟି ସଚିବ ଭିକେ ପାଣ୍ଡିଆନ । ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବା ସହ ବିକାଶମୂଳକ କାର୍ଯ୍ୟର ତଦାରଖ କରିଛନ୍ତି । ରଥଯାତ୍ରା ପାଖେଇ ଆସୁଥିବାକୁ ଶୀଘ୍ର କାମ ଶେଷ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।

ମେଗା ପାର୍କିଂ ସ୍ଥଳର କାର୍ଯ୍ୟ ତଦାରଖ: ବର୍ଷସାରା ପୁରୀକୁ ଭକ୍ତଙ୍କ ସୁଅ ଛୁଟିଥାଏ । ଫଳରେ ଅନେକ ଟ୍ରାଫିକ ସମସ୍ୟା ଉପୁଜୁଥିବା ବେଳେ ପାର୍କିଂର ବ୍ୟବସ୍ଥା ନଥିଲା । ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ ସମଙ୍ଗ ପାର୍କିଂ ବ୍ୟବସ୍ଥାର ପରିକଳ୍ପନା କରାଯାଇ କାମ ଆଗେଇ ଚାଲିଛି । ସମଙ୍ଗର ୪୩ ଏକର ପରିମିତ ଅଞ୍ଚଳରେ ୬୭ କୋଟି ଟଙ୍କା ବ୍ୟୟରେ ପାର୍କିଂ ସ୍ଥଳର ବ୍ୟବସ୍ଥା ହୋଇଛି । ଏଠାରେ ୪୨୦ ଟି ବସ,୨୫୮ ଅଟୋ, ୫୪୯ ଚାରି ଚକିଆ ଗାଡି ଓ ୧୦୫୪ ଗୋଟି ଦୁଇ ଚକିଆ ଗାଡି ପାର୍କିଂର ବ୍ୟବସ୍ଥା କରାଯାଉଛି । ଏହାର କାମ ଜାରି ରହିଥିବା ବେଳେ ଗତକାଲି(ଶନିବାର) ପାଣ୍ଡିଆନ ନିର୍ମାଣଧୀନ ପାର୍କିଂ ସ୍ଥାନ ପରିଦର୍ଶନ କରି ସମୀକ୍ଷା କରିଥିଲେ ।

ଧର୍ମଶାଳା ନିର୍ମାଣ କାର୍ଯ୍ୟର ସମୀକ୍ଷା: ପୁରୀକୁ ଆସୁଥିବା ଭକ୍ତ ସ୍ବଳ୍ପ ମୂଲ୍ୟରେ ପୁରୀରେ ରହିବା ପାଇଁ ଧର୍ମଶାଳା ନିର୍ମାଣ କରାଯାଉଛି । ବାସେଳୀ ସାହି ଥାନା ଅନ୍ତର୍ଗତ ମାର୍କଣ୍ଡେଶ୍ୱର ସାହି-୨ରେ ସ୍ୱଳ୍ପ ମୂଲ୍ୟରେ ଯାତ୍ରୀ ଓ ଶ୍ରଦ୍ଧାଳୁ ମାନଙ୍କ ରହିବା ପାଇଁ ୧୦ ଏକର ଜାଗାରେ ଧର୍ମଶାଳା ନିର୍ମାଣ କରାଯାଉଛି । ଏହି ପ୍ରକଳ୍ପରରେ ୧୩୫ କୋଟି ଟଙ୍କା ବ୍ୟୟ ହେବାକୁ ଥିବାବେଳେ ୫ ଟି ବ୍ଲକ ବିଶିଷ୍ଟ ଏହି ଧର୍ମଶାଳାରେ ୩୭୦୦ ଯାତ୍ରୀ ରହିବାର ବ୍ୟବସ୍ଥା ହେଉଛି । ତେବେ କାମର ଅଗ୍ରଗତି ବିଷୟରେ ଅନୁଧ୍ୟାନ କରିଥିଲେ ୫ଟି ସଚିବ ।

ଏହା ମଧ୍ୟ ପଢନ୍ତୁ: ବଲିଉଡରେ ଓଡ଼ିଆ ସରପଞ୍ଚଙ୍କ କାହାଣୀ; ସର୍ବପ୍ରଥମେ ଦେଇଥିଲେ ବେଟି ବଚାଓ ବେଟି ପଢାଓ ନାରା

୧୬୧ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧିନ ଶ୍ରୀ ସେତୁର ଗୋଟିଏ ପାର୍ଶ୍ଵ ଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥଳକୁ ରଥଯାତ୍ରା ପୂର୍ବରୁ ସଂଯୋଗ ପାଇଁ ତ୍ୱରାନ୍ୱିତ କାର୍ଯ୍ୟ କରିବାକୁ ନିର୍ମାଣ କାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ । ଏ ସମସ୍ତ କାର୍ଯ୍ୟ ଜାରି ରହିଥିବା ବେଳେ ପାଣ୍ଡିଆନ ପରିଦର୍ଶନ କରି ଆବଶ୍ୟକୀୟ ପରାମର୍ଶ ଓ ନିର୍ଦ୍ଦେଶ ଦେଇଥିଲେ । ରଥଯାତ୍ରା ପାଖେଇ ଆସୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖାଯାଇ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି । ତେବେ ବିକାଶମୂଳକ କାର୍ଯ୍ୟର ତଦାରଖ ସମୟରେ ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ଓବିସିସିର ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।


ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.