ETV Bharat / state

ବଲିଉଡରେ ଓଡ଼ିଆ ସରପଞ୍ଚଙ୍କ କାହାଣୀ; ସର୍ବପ୍ରଥମେ ଦେଇଥିଲେ ବେଟି ବଚାଓ ବେଟି ପଢାଓ ନାରା

author img

By

Published : Apr 15, 2023, 10:52 PM IST

'ଟିପ ଚିହ୍ନ ନୁହେଁ, ଦସ୍ତଖତ ଦିଅ' । ଦିନେ ଏହି ସ୍ଲୋଗାନ ଦେଇ ସେ ସମାଜରେ ଉଠାଇଥିଲେ ପରିବର୍ତ୍ତନର ସ୍ବର । ବ୍ୟାଙ୍କ ଚାକିରି ଛାଡି ଗାଁ ରାଜନୀତିରେ ପାଦ ଥାପିଥିଲେ । ଆଉ ନିର୍ବାଚନ ଜିତି ହୋଇଥିଲେ ଦେଶର ସର୍ବକନିଷ୍ଠ ସରପଞ୍ଚ । ଏ କାହାଣୀ ହେଉଛି ଗଞ୍ଜାମ ଢୁଙ୍କାପଡ଼ାର ପୂର୍ବତନ ସରପଞ୍ଚ ଆରତୀ ଦେବୀଙ୍କର । ଆଜି ତାଙ୍କ ଜୀବନ ଉପରେ ନିର୍ମିତ ହୋଇଛି ବଲିଉଡ ଫିଲ୍ମ 'ସାର ମ୍ୟାଡ଼ମ ସରପଞ୍ଚ' । ଦେଖନ୍ତୁ ଏହି ରିପୋର୍ଟ

Bollywood film made on life of Arati Devi
Bollywood film made on life of Arati Devi

ବଲିଉଡରେ ଓଡ଼ିଆ ମହିଳା ସରପଞ୍ଚଙ୍କ କାହାଣୀ, ସର୍ବପ୍ରଥମେ ଦେଇଥିଲେ ବେଟି ବଚାଓ ବେଟି ପଢାଓ ନାରା

ଭୁବନେଶ୍ବର: 'ଟିପ ଚିହ୍ନ ନୁହେଁ ଦସ୍ତଖତ ଦିଅ' ସ୍ଲୋଗାନ ଦେଇ ଦେଶର ସର୍ବକନିଷ୍ଠ ମହିଳା ସରପଞ୍ଚ ଭାବେ ଓଡ଼ିଶାର ଝିଅ ଆରତୀ ଦେବୀ ହୋଇଥିଲେ ଉଚ୍ଚ ପ୍ରଶଂସିତ l ଆଜି ପୁଣି ସେ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କ ରାଜନୀତି ଜୀବନର କାର୍ଯ୍ୟ ଧାରାରେ ଅନୁପ୍ରାଣିତ ହୋଇ ପ୍ରସ୍ତୁତ ହୋଇଛି ବହୁଭାଷୀ ଚଳଚ୍ଚିତ୍ର 'ସାର ମ୍ୟାଡ଼ମ ସରପଞ୍ଚ' । ଏହି ଫିଲ୍ମଟି ଗତକାଲି ତଥା ୧୪ ଏପ୍ରିଲରେ ସାରା ଭାରତରେ ମୁକ୍ତିଲାଭ କରିଛି । ଏହା ଖୁବଶୀଘ୍ର ଓଡ଼ିଶାରେ ପରଦାକୁ ଆସିବାକୁ ଯାଉଛି । ତେଣୁ ଏହି ଚଳଚ୍ଚିତ୍ର ଲାଗି ଆରତୀ ଦେବୀ ନିର୍ମାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେପଟେ ଓଡ଼ିଶାରେ ସିନେମାଟି ପ୍ରମୋଦ ଟିକସ ମୁକ୍ତ ହେଉ ବୋଲି ଦାବି କରିଛନ୍ତି ଓଡ଼ିଶା ପ୍ରଯୋଜନା ସଂସ୍ଥା ଓ ମହିଳା ସମାଜସେବୀ । ଏପରିକି ଓଡ଼ିଆ ଭାଷାରେ ମଧ୍ୟ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ସାର ମ୍ୟାଡାମ ସରପଞ୍ଚ ।



ଖାଲି ସେତିକି ନୁହେଁ ପୁରୁଷ ପ୍ରାଧାନ୍ୟ ସମାଜରେ ରାଜନୀତିର ପୃଷ୍ଠପୋଷକତାରେ ନିଜର ଦବଦବା ଦେଖାଇବା ସହ ଅନେକ ପରିବର୍ତନଶୀଳ କାର୍ଯ୍ୟ ଆପଣାଇଥିଲେ l ତାହା ସେତବେଳ ରାଜନୀତିରେ ଜଣେ ମହିଳା ପାଇଁ ପ୍ରଥମ ପ୍ରୟାସ ଥିଲା l ଜଣେ ଉଚ୍ଚ ଶିକ୍ଷିତା ଓ ସ୍ୱଚ୍ଛଳ ବ୍ୟାଙ୍କ ଚାକିରି ଛାଡି ରାଜନୀତିରେ ପ୍ରବେଶ କରି ୨୦୧୨ ମସିହାରେ ଦେଶର ସର୍ବକନିଷ୍ଠ ମହିଳା ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ଗଂଜାମ ଜିଲ୍ଲାର ପୋଲସରା ବ୍ଲକର ଢୁଙ୍କାପଡା ପଞ୍ଚାୟତର ସାଜିଥିଲେ ସରପଞ୍ଚ । ଆଉ ନାରୀ ଶିକ୍ଷା ଓ ମହିଳା ଗ୍ରାମସଭା ଭଳି କାର୍ଯ୍ୟ ହାତକୁ ନେଇ ଚର୍ଚ୍ଚାରେ ଥିଲେ । ଏଥିପାଇଁ ତାଙ୍କୁ କେବଳ ରାଜ୍ୟ ନୁହେଁ ଦେଶ ଓ ଦେଶ ବାହାରେ ପ୍ରଶଂସା ସହ ମିଳିଥିଲା ସମ୍ମାନ। ଏଥିପାଇଁ ତାଙ୍କୁ ଜାତୀୟ ସ୍ତରରେ ଚେଞ୍ଜ ମେକର ପୁରସ୍କାର ମିଳିଥିଲା ।

ଏହା ବି ପଢନ୍ତୁ- Interview: ଚାକିରି ଛାଡ଼ି ସମାଜସେବାରେ ହୋଇଥିଲେ ସାମିଲ, ଜାଣନ୍ତୁ ‘ସାର ମ୍ୟାଡାମ ସରପଞ୍ଚ’ର ଅସଲ କାହାଣୀ

ସେ ଯୁଆଡେ ଯାଉଥିଲେ ସେଠୀ ସାଜୁଥିଲେ ଲୋକଙ୍କ ପାଇଁ ଉଦାହରଣ ଆଉ ପ୍ରେରଣା । ସେହି ପ୍ରେରଣାକୁ ନେଇ ବର୍ତ୍ତମାନ ଦୀର୍ଘ ବର୍ଷ ପରେ ଆରତୀ ଦେବୀଙ୍କ ଆଦର୍ଶ ଓ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଏକ ବହୁଭାଷୀ ଚଳଚ୍ଚିତ୍ର ସାର ମ୍ୟାଡାମ ସରପଞ୍ଚ ମୁକ୍ତିଲାଭ କରିଛି । ପ୍ରବୀନ ମୋର୍ଚ୍ଚଲେଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ଆରତୀ ଦେବୀଙ୍କ ଚରିତ୍ରକୁ ହଲିଉଡ଼ ଷ୍ଟାର ଆରିଆନା ସଜନାନି ନିଖୁଣ ଭାବରେ ଚିତ୍ରଣ କରିଛନ୍ତି ଓ ସୀମା ବିଶ୍ୱାସଙ୍କ ଭଳି ଜଣେ ଉଚ୍ଚକୋଟୀର ଅଭିନେତ୍ରୀଙ୍କ ଅଭିନୟ ମଧ୍ୟ ଚଳଚିତ୍ରକୁ ଆହୁରି ମନଛୁଆଁ କରିଛି । ଏହି ଚଳଚ୍ଚିତ୍ର ୪ଟି ଭାଷାରେ ନିର୍ମାଣ ହୋଇ ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିଥିବା ବେଳେ ଓଡ଼ିଆ ଭାଷାରେ ଖୁବଶୀଘ୍ର ମୁକ୍ତିଲାଭ ହେବାକୁ ଯାଉଛି ।

ଆରତୀ ଦେବୀ ଯାହାଙ୍କ କାର୍ଯ୍ୟକାରିତାକୁ ନେଇ ଫିଲ୍ମ ସାର ମ୍ୟାଡାମ ସରପଞ୍ଚ ନିର୍ମାଣ ହୋଇଛି ସେ ଏହି ସିନେମାକୁ ନେଇ କହିଛନ୍ତି, "ନାରୀମାନେ ସବୁ କରିପାରିବେ କେବଳ ମନରେ ଦୃଢ ଇଚ୍ଛାଶକ୍ତି ଆବଶ୍ୟକ । ଏହାର ନିଦର୍ଶନ ଆପଣ ଏ ଚଳଚ୍ଚିତ୍ରରେ ପାଇବେ । ଅର୍ଥାତ ସିନେମାରେ ନାରୀ ସଂଘର୍ଷ ଓ ସଶକ୍ତିକରଣର ଅନେକ ଝଲକ ଆପଣ ଦେଖିବାକୁ ପାଇବେ । ତେଣୁ ଓଡିଶା ପାଣି ପବନ ଓ ଓଡ଼ିଆ ଝିଅର ଏ କାହାଣୀକୁ ଆପଣ ଦେଖନ୍ତୁ ଆଉ ମତେ ଭଲ ପାଇବା ଦିଅନ୍ତୁ ।" ଆଉ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଫିଲ୍ମ ନିର୍ମାତାଙ୍କୁ ଧନ୍ୟବାଦ କରିଛନ୍ତି ।



ଅନ୍ୟପଟେ ଓଡି଼ଶାର ପାଣି ପବନକୁ ନେଇ ପ୍ରସ୍ତୁତ ଏହି ସିନେମାଟି ବେଶ ଉଚ୍ଚକୋଟୀର ହୋଇଥିବା ବେଳେ ଏହା ବିଦେଶରେ ଉଚ୍ଚ ପ୍ରସଂଶିତ ହୋଇଥିବା ବେଳେ ଆନ୍ତର୍ଜାତିକ ଫେଷ୍ଟିଭାଲରେ ପୁରସ୍କୃତ ହୋଇଛି । ତେଣୁ ଏଭଳି ଏକ ଚଳଚ୍ଚିତ୍ର ଯାହା ଓଡ଼ିଶାର ନିଚ୍ଛକ କାହାଣୀ ଉପରେ ପର୍ଯ୍ୟବେସିତ । ଓଡ଼ିଆ ଝିଅର କାର୍ଯ୍ୟ ଧାରାରେ ଅନୁପ୍ରାଣିତ ସେଭଳି ସିନେମାକୁ ପ୍ରମୋଦକର ମୁକ୍ତ କରିବା ପାଇଁ ଦାବି କରିଛି ଓଡିଶା ପ୍ରଯୋଜନା ସଂସ୍ଥା । ଏହାସହ ଏହି ସିନେମାଟି ଓଡ଼ିଆ ଝିଅର ସଂଘର୍ଷର କାହାଣୀ ହୋଇଥିବାରୁ ଏହି ସିନେମାକୁ ପ୍ରତିଟି ଓଡ଼ିଆ ଦେଖିବା ସହ ସିନେମାଟିକୁ ଟିକସ ମୁକ୍ତ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି ସମାଜସେବୀ ନମ୍ରତା ଚଢା ।

ତେବେ ଓଡ଼ିଶାରେ ପୂର୍ବରୁ ଦମନ, ଡେଲିଭରି ବୟ ଭଳି ସିନେମା ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରଗୁଡିକୁ ଯେପରି ଲୋକ ପସନ୍ଦ କରିଥିଲେ ଏବଂ ଆମ ରାଜ୍ୟ ସରକାର ପ୍ରମୋଦ କର ଛାଡ଼ କରିଥିଲେ ସେହିପରି ଏହି ଚଳଚ୍ଚିତ୍ରଟିକୁ ମଧ୍ୟ ଦୃଷ୍ଟି ଦେବେ ବୋଲି ଆଶା କରିଛନ୍ତି ପ୍ରଯୋଜନା ସଂସ୍ଥା । ସିନେମାଟି ଦେଶର ୧୮୦ଟି ହଲରେ ୧୪ ଏପ୍ରିଲରେ ପରଦାକୁ ଆସି ସାରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.