ଓଡଗାଁ ଜ୍ୟୋତିର୍ମୟୀ ମୃତ୍ୟୁ ଘଟଣା: ୪ ଗିରଫ, ସ୍ୱାମୀ ଓ ମାମୁଁ ଶ୍ବଶୁରଙ୍କୁ ଖୋଜୁଛି ପୋଲିସ

author img

By

Published : Sep 17, 2022, 9:54 AM IST

ଓଡଗାଁ ଜ୍ୟୋତିର୍ମୟୀ ମୃତ୍ୟୁ ଘଟଣା : ୪ ଗିରଫ, ସ୍ୱାମୀ ଓ ମାମୁଁ ଶ୍ବଶୁରଙ୍କୁ ଖୋଜୁଛି ପୋଲିସ

ନୟାଗଡ଼ ଓଡଗାଁ ବଧୂହତ୍ୟା ମାମଲାରେ ୪ ଜଣଙ୍କୁ ଗିରଫ । ମୃତ ଜ୍ୟୋତିର୍ମୟୀଙ୍କ ଶାଶୁ ଓ ଶ୍ବଶୁରଙ୍କ ସମେତ ଘରେ କାମ କରୁଥିବା ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଫେରାର ସ୍ବାମୀ ଓ ମାମୁଁ ଶ୍ବଶୁରଙ୍କୁ ଖୋଜୁଛି ପୋଲିସ । ଅଧିକ ପଢ଼ନ୍ତୁ

ନୟାଗଡ଼: ଓଡଗାଁରେ ସ୍ବାମୀଙ୍କ ପରକୀୟା ପ୍ରୀତିକୁ ବିରୋଧ କରିବାରୁ ବଧୂ ହତ୍ୟା ଅଭିଯୋଗ ଘଟଣା । ଜ୍ୟୋତିର୍ମୟୀ ମୃତ୍ୟୁ ଘଟଣାରେ ୪ ଜଣଙ୍କୁ ବାନ୍ଧିଲା ଓଡ଼ଗାଁ ପୋଲିସ । ତାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଏବେ ମଧ୍ୟ ସନ୍ଦେହ ଘେରରେ ଥିବା ବେଳେ ଜ୍ୟୋତିର୍ମୟୀଙ୍କ ପରିବାରର ଅଭିଯୋଗକୁ ଭିତ୍ତି କରି ୪ ଜଣଙ୍କୁ ଅଟକ ରଖିଥିଲା ପୋଲିସ । ସେମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l

ସୂଚନା ଅନୁଯାୟୀ, ଓଡ଼ଗାଁ ଦଲକ ରୋଡ଼ ସ୍ଥିତ ଲୁଲିଆ ମିଶ୍ରଙ୍କ ପୁଅ ଦେବାଶିଷ ମିଶ୍ର ଗଣିଆ ଥାନା କିଶୋରପ୍ରସାଦର ପ୍ରକାଶ କୁମାର ପଣ୍ଡାଙ୍କ ଝିଅ ଜ୍ୟୋତିର୍ମୟୀଙ୍କୁ ୪ ବର୍ଷ ତଳେ ବିବାହ କରିଥିଲେ । ତାଙ୍କର ୩ ବର୍ଷର ପୁଅଟିଏ ମଧ୍ୟ ରହିଛି । ତେବେ ଗତ ସେପ୍ଟେମ୍ବର ଜ୍ୟୋତିର୍ମୟୀ ପଣ୍ଡାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ରହିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ଖବର ପାଇ ଓଡଗାଁ ଥାନା ପୋଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ । ଏହି ସମୟରେ ମୃତ ଜ୍ୟୋତିର୍ମୟୀଙ୍କ ହାତର ଭଙ୍ଗା ଚୁଡ଼ି ତଳେ ପଡିଥିବା ଦେଖିବାକୁ ମିଳିଥିଲା । ଏପରିକି ଜ୍ୟୋତିର୍ମୟୀଙ୍କ ମୃତଦେହ ଉଦ୍ଧାର ବେଳେ ତାଙ୍କ ପଛପଟେ ଦାଗ ଥିବା ବେଳେ ଘରେ ରକ୍ତ ଛିଟା ପଡିଥିବା ପୋଲିସ ଦେଖିବାକୁ ପାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ !

ତେବେ ମୃତ ଜ୍ୟୋତିର୍ମୟୀଙ୍କ ବାପଘର ଲୋକେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ । ଜ୍ୟୋତିର୍ମୟୀଙ୍କ ବାପା ପ୍ରକାଶ କୁମାର ପଣ୍ଡା ଅଭିଯୋଗ କରିଛନ୍ତି, "ବିବାହର କିଛିଦିନ ପରେ ସ୍ବାମୀ ଏବଂ ଶାଶୁ ଝିଅକୁ ନିର୍ଯାତନା ଦେଇ ଆସୁଥିଲେ । ନିର୍ଯାତନା ଅସହ୍ୟ ହେବାରୁ କିଛିଦିନ ତଳେ ଛାତରୁ ଡେଇଁ ସେ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ବେଳେ ଅଳ୍ପକେ ରକ୍ଷା ପାଇଥିଲେ । ଦେବାଶିଷଙ୍କର ପରକୀୟା ପ୍ରୀତିକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ତେବେ ସମସ୍ତେ ମିଶି ମୋ ଝିଅକୁ ପିଟି ପିଟି ମାରିଦେବା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ଫ୍ୟାନରେ ଟଙ୍ଗେଇ ଦେଇଛନ୍ତି ।" ଅଭିଯୋଗ ଅନୁସାରେ 4 ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ ।

ଘରେ କାମ କରୁଥିବା ଭଞ୍ଜନଗର ଅଞ୍ଚଳର ଜଗନ ଗୌଡ଼, ଦିଲ୍ଲୀପ କୁମାର, ଶାଶୁ ଝରଣା ମିଶ୍ର ଓ ଶ୍ବଶୁର ପ୍ରକାଶ ମିଶ୍ରଙ୍କୁ ପଚରା ଉଚରା କରୁଥିଲା ପୋଲିସ । ସେପଟେ ମହିଳାଙ୍କ ସ୍ବାମୀ ଦେବାଶିଷ ଏବଂ ମାମୁଁ ଶ୍ବଶୁର ଫେରାର ଥିବା ଜଣାପଡ଼ିଛି । ପୋଲିସ ସେମାନଙ୍କୁ ଗିରଫ ପାଇଁ ଖୋଜୁଥିବା ଜଣାପଡିଛି । ମୃତ ଜ୍ୟୋତିର୍ମୟୀଙ୍କ ହତ୍ୟା ପଛରେ ସ୍ବାମୀର ପରକୀୟା ପ୍ରୀତି ରହିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ବର୍ତ୍ତମାନ ତଦନ୍ତ ଜାରି ରହିଥିବା ବେଳେ ଜ୍ୟୋତିର୍ମୟୀଙ୍କ ମୃତ୍ୟୁ କିପରି ହେଲା ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.