ETV Bharat / state

ହାତୀ ଦାନ୍ତ ବିକ୍ରୟ ପାଇଁ ଚାଲିଥିଲା ଡିଲ୍, ମାଡି ବସିଲା ବନବିଭାଗ

author img

By

Published : Jul 2, 2023, 10:37 PM IST

ହାତୀ ଦାନ୍ତ ବିକ୍ରୟ ପାଇଁ ଡିଲ୍ ଚାଲିଥିବା ସମୟରେ ଅଭିଯୁକ୍ତଙ୍କୁ ଗିରଫ କରିଛି ବନବିଭାଗ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ଉପ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଅତର୍କିତ ଭାବେ ଜାମୁକେଶ୍ବର ଗାଁରେ ଚଢାଉ କରାଯାଇଥିଲା । ଅଧିକ ପଢନ୍ତୁ

ମୟୁରଭଞ୍ଜରେ ପୁଣି ସକ୍ରିୟ ମାଫିଆ
ମୟୁରଭଞ୍ଜରେ ପୁଣି ସକ୍ରିୟ ମାଫିଆ

ମୟୁରଭଞ୍ଜରେ ପୁଣି ସକ୍ରିୟ ମାଫିଆ

ରାଇରଙ୍ଗପୁର : ପୁଣି ମୟୂରଭଞ୍ଜ ଜିଲ୍ଲାରେ ଜଙ୍ଗଲ ମାଫିଆମାନେ ସକ୍ରିୟ ହୋଇ ଉଠିଥିବା ଦେଖିବାକୁ ମିଳିଛି । ହାତୀ ଦାନ୍ତ ବିକ୍ରୟ ପାଇଁ ଡିଲ୍ ଚାଲିଥିବା ସମୟରେ ବନବିଭାଗ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୪ଟି ହାତୀ ଦାନ୍ତ ଜବତ କରିବା ସହ ୫ ଜଣ ଅଭିଯୁକ୍ତକୁ ଗିରଫ କରିଛି ବନ ବିଭାଗ । କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅନ୍ତର୍ଗତ ଭଣ୍ଡା ସେକ୍ସନ ଅଧିନ ଜାମୁକେଶ୍ବର ଗାଁରେ ବନବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ତେବେ ହାତୀ ଦାନ୍ତ ଡିଲ୍ କରାଯିବା ନେଇ କୌଣସି ସୁତ୍ରରୁ ଖବର ପାଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ଉପ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଅତର୍କିତ ଭାବେ ଜାମୁକେଶ୍ବର ଗାଁରେ ଚଢାଉ କରାଯାଇଥିଲା ।

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ଉପନିର୍ଦେଶକ ସମ୍ରାଟ ଗୌଡାଙ୍କ ନେତୃତ୍ୱରେ ଚଢାଉ ହୋଇଥିଲା। ଏଥିରେ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଅତିରିକ୍ତ ବନ ସଂରକ୍ଷକ, ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ, ବନବିଭାଗର ଏସିଏଫ ଓ ରେଞ୍ଜରମାନେ ସାମିଲ ହୋଇଥିଲେ। ବନବିଭାଗର ଏହି ଅତର୍କିତ ଚଢ଼ାଉରେ ୪ ଖଣ୍ଡ ହାତୀଦାନ୍ତ ଜବତ କରାଯାଇଥିବାବେଳେ ଏଥିରେ ସମ୍ପୃକ୍ତ ଥିବା ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତେବେ ସମସ୍ତ ଅଭିଯୁକ୍ତଙ୍କୁ ବାରିପଦା ଅଣାଯାଇ ଅଧିକ ପଚରାଉଚରା ଜାରି ରଖିଛି ବନବିଭାଗ ।

ଗିରଫ ୫ ଜଣ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ସେମାନେ ହାତୀଦାନ୍ତଗୁଡିକ ଦୁଇ ଜଣ ଶିକାରୀଙ୍କଠାରୁ ଆଣି ବିକ୍ରି କରିବା ପାଇଁ ଡିଲ୍ କରୁଥିବା ବନବିଭାଗ ନିକଟରେ ସ୍ବିକାର କରିଛନ୍ତି । ତେବେ ଶିକାରୀ 2 ଜଣ ଫେରାର ଥିବା ନେଇ ବନବିଭାଗ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ହାତୀର ମୃତଦେହ ମିଳିଥିଲା । ତେଣୁ ଶିକାରୀମାନେ ଦାନ୍ତ କାଟି ନେଇ ନିକଟସ୍ଥ ଅଞ୍ଚଳରେ ଡିଲ୍ ପାଇଁ ହାତୀକୁ ହତ୍ୟା କରିଥିବା ସନ୍ଦେହ କରୁଛି ବନବିଭାଗ ।

ଏହି ଘଟଣାରେ ଆଉ କେତେ ଜଣ ସାମିଲ ଅଛନ୍ତି ସେନେଇ ବନବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି । ତେବେ ଜବତ ୪ ଖଣ୍ଡ ହାତୀ ଦାନ୍ତର ଓଜନ ୬ କିଲୋଗ୍ରାମରୁ ଅଧିକ ଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ 2ଟି ବାଇକ ଓ ୪ଟି ମୋବାଇଲ ମଧ୍ୟ ଜବତ କରିଛି ବନବିଭାଗ । ସେପଟେ ଗିରଫ ଅଭିଯୁକ୍ତମାନେ ଯଶୀପୁର ଥାନା ଚାକିଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଉସ୍କି ଗ୍ରାମର ଦାସିଆ ସିଂ, ମାନ୍ଦା ସିଂ, ମନମୋହନ ହେମ୍ବ୍ରମ, ମନ୍ତ୍ରୀ ସିଂ ଓ ନରସିଂହ ସିଂ ବୋଲି ଜଣାପଡିଛି । ତେବେ ଏହି ହାତୀ ଦାନ୍ତ କାରବାରରେ ଜଡ଼ିତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଯଥାଶୀଘ୍ର ଗିରଫ କରାଯିବ ବୋଲି ପ୍ରକାଶ କରିଛନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ଉପନିର୍ଦେଶକ ସମ୍ରାଟ ଗୌଡା ।


ଇଟିଭି ଭାରତ, ମୟୁରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.