ETV Bharat / state

ବଦଳିବ ମୟୂରଭଞ୍ଜ ପର୍ଯ୍ୟଟନସ୍ଥଳୀର ରୂପରେଖ, ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ

author img

By

Published : Mar 3, 2023, 7:43 AM IST

5T ସଚିବଙ୍କ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତ
5T ସଚିବଙ୍କ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତ

୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତ କରିଛନ୍ତି । ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଦେବକୁଣ୍ଡ ପରିଦର୍ଶନ କରିବା ସହ ରଘୁନାଥ ମୁର୍ମୁଙ୍କ ଜନ୍ମସ୍ଥାନ ଦାଣ୍ଡବୋଷରେ ପହଞ୍ଚି ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କଲେ । ଅଧିକ ପଢନ୍ତୁ

5T ସଚିବଙ୍କ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତ

ରାଇରଙ୍ଗପୁର: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ପାଇଁ ୫-ଟି ସଚିବ ଭି.କେ. ପାଣ୍ଡିଆନ ଗୁରୁବାର ଠାରୁ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିଛନ୍ତି । ଗତକାଲି ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସେ ମୟୂରଭଞ୍ଜରେ ପହଞ୍ଚି ସର୍ବପ୍ରଥମେ ଉଦଳା ନିର୍ବାଚନ ମଣ୍ଡଳୀସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଦେବକୁଣ୍ଡ ପରିଦର୍ଶନ କରିଥିଲେ । ସେଠାରେ ପର୍ଯ୍ୟଟନସ୍ଥଳୀର ସମୀକ୍ଷା କରିବା ପରେ କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ଥିବା ଠାକୁରମୁଣ୍ଡା ନିକଟସ୍ଥ ଭୀମକୁଣ୍ଡରେ ପହଞ୍ଚିଥିଲେ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଭୀମକୁଣ୍ଡ ବୁଲିବା ସହିତ ସେଠାରେ ଆରମ୍ଭ ହୋଇଥିବା ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ ।

ସେଠାରୁ ଦିନ ପ୍ରାୟ ୧୨ଟା ସମୟରେ ଖିଚିଂ ଅଭିମୁଖେ ଯାତ୍ରା କରିଥିଲେ ୫-ଟି ସଚିବ । ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ଖିଚିଂ ସ୍ଥିତ ମା' କୀଚକେଶ୍ବରୀ ମନ୍ଦିର ପହଞ୍ଚି ମା' ଓ ମହାଦେବ ମନ୍ଦିରରେ ବାବା ଚନ୍ଦ୍ରଶେଖରଙ୍କୁ ଦର୍ଶନ କରିବା ସହ ମନ୍ଦିର ବେଢ଼ାରେ ଥିବା ସର୍ବପୁରାତନ ସଂଗ୍ରହାଳୟ ପରିଦର୍ଶନ କରିଥିଲେ । ମନ୍ଦିରରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସେ ସେବାୟତମାନଙ୍କ ସହିତ ଅଧିକ ଆଲୋଚନା କରିଥିଲେ । ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା କରିବା ସହିତ ବିଭାଗୀୟ ମନ୍ତ୍ରୀଙ୍କ ସାଙ୍ଗରେ ଆଲୋଚନା କରି ବ୍ୟୟବରାଦ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତରେ ଖିଚିଂ ପୀଠର ଉନ୍ନତିକରଣକୁ ନେଇ ସ୍ଥାନୀୟ ଲୋକେ ବେଶ୍ ଉତ୍ସାହ ଥିବା ଦେଖିବାକୁ ମିଳିଥିଲା । ଏହାପରେ ପାଣ୍ଡିଆନ ଯଶୀପୁର ରାମତୀର୍ଥରେ ହେବାକୁ ଥିବା ଖଇରୀ ଭଣ୍ଡନ ବ୍ୟାରେଜର ନିର୍ମାଣ ସ୍ଥାନରେ ପ୍ରକଳ୍ପ ବାବଦରେ ଆଲୋଚନା କରି ରାଇରଙ୍ଗପୁର ଉପଖଣ୍ଡ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ପୂର୍ବାହ୍ନ ପ୍ରାୟ ୩ଟା ସମୟରେ ରାଇରଙ୍ଗପୁର ପହଞ୍ଚିବା ପରେ ପ୍ରଥମେ ଅଲଚିକି ଲିପିର ସ୍ରଷ୍ଟା ସ୍ବର୍ଗତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମସ୍ଥାନ ଦାଣ୍ଡବୋଷ ସ୍ଥିତ କପିଡୁଙ୍ଗୁରୀକୁ ଯାଇଥିଲେ ।

ସେଠାରେ ରଘୁନାଥ ମୁର୍ମୁଙ୍କ ସମାଧି ପୀଠ ପରିଦର୍ଶନ କରିବା ସହିତ ସମାଧି ପୀଠର ଉନ୍ନତିକରଣ ନିମନ୍ତେ ସ୍ଥାନୀୟ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ସ୍ଥାନୀୟ ଲୋକେ ସେଠାରେ ଥିବା ବିଭିନ୍ନ ଅସୁବିଧା ଗୁଡ଼ିକର ସ୍ଥାୟୀ ସମାଧାନ ଏବଂ ସାନ୍ତାଳୀ ସମ୍ପ୍ରଦାୟର ଜାହିରାକୁ ପୂଜାସ୍ଥଳୀର ମାନ୍ୟତା ଦେବାକୁ ଦାବି ଜଣାଇଥିଲେ । ପରେ ସେ ରାଇରଙ୍ଗପୁର ସହରର ମହୁଲଡିହା ସ୍ଥିତ ବଡ଼ବନ୍ଧର ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ । ଏହାପରେ ରାଇରଙ୍ଗପୁର ଡାକ ବଙ୍ଗଳା ଫେରିବା ପରେ ସେଠାରେ ରାଇରଙ୍ଗପୁର ଉପଖଣ୍ଡର ବିଭିନ୍ନ ବର୍ଗ, ବିଭିନ୍ନ ସଂଗଠନର ଲୋକଙ୍କ ସହିତ ନାନା ସମସ୍ୟା ଉପରେ ଆଲୋଚନା କରିଥିଲେ ୫-ଟି ସଚିବ ।

ଏହି ଅବସରରେ ବିଭିନ୍ନ ସମାଜ, ବିଭିନ୍ନ ସଂଗଠନ ପକ୍ଷରୁ ୫-ଟି ସଚିବଙ୍କୁ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହାସହିତ କିଛି ସଂଗଠନ ରାଇରଙ୍ଗପୁରରେ ବାଇପାସ୍ ନିର୍ମାଣ, ଟ୍ରାଫିକ ସମସ୍ୟା ଓ ଯଥାଶୀଘ୍ର ରାଇରଙ୍ଗପୁରକୁ ଜିଲ୍ଲା ଘୋଷଣା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ୫-ଟି ସଚିବଙ୍କ ଏହି ଗସ୍ତ ସମୟରେ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ ହୋଇଥିବାବେଳେ ମୟୂରଭଞ୍ଜ ଜିଲ୍ଲାପାଳ, ଏସପି, ରାଇରଙ୍ଗପୁର ଉପଜିଲ୍ଲାପାଳ, ରାଇରଙ୍ଗପୁର ଏସଡିପିଓ, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଆଜି ସକାଳୁ ୫-ଟି ସଚିବ ବାରିପଦା ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ରହିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.