ETV Bharat / state

ରାଇରଙ୍ଗପୁରରେ ବାଲି ଓ ଚିପ୍ସ ବୋଝେଇ ୩ଟି ହାଇୱା ଜବତ; ୪ ଗିରଫ

author img

By ETV Bharat Odisha Team

Published : Aug 29, 2023, 9:38 AM IST

ରାଇରଙ୍ଗପୁରରେ ବାଲି ଓ ଚିପ୍ସ ବୋଝେଇ ୩ଟି ହାଇୱା ଜବତ
ରାଇରଙ୍ଗପୁରରେ ବାଲି ଓ ଚିପ୍ସ ବୋଝେଇ ୩ଟି ହାଇୱା ଜବତ

ମୟୂରଭଞ୍ଜ ଜିଲ୍ଲାରେ ବାଲି ଓ ଚିପ୍ସ ବୋଝେଇ ୩ଟି ହାଇୱା ଜବତ । ଅଧିକ ପଢନ୍ତୁ

ରାଇରଙ୍ଗପୁରରେ ବାଲି ଓ ଚିପ୍ସ ବୋଝେଇ ୩ଟି ହାଇୱା ଜବତ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ବେଧଡ଼କ ଚାଲିଛି ବାଲି ଓ ଚିପ୍ସ ଚୋରା ଚାଲାଣ । ପ୍ରଶାସନ ଆଖିରେ ଧୂଳି ଦେଇ ପ୍ରତିଦିନ ହାଇୱା, ଟ୍ରକ ଓ ଟ୍ରାକ୍ଟର ଯୋଗେ ବିପୁଳ ପରିମାଣରେ ବାଲି, ଚିପ୍ସ ଚୋରା ଚାଲାଣ କରାଯାଉଛି । ଯାହାଫଳରେ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି । ତେବେ ରାଇରଙ୍ଗପୁର ଉପଖଣ୍ଡରେ ବେଧଡ଼କ ବାଲି, ଚିପ୍ସ ଚୋରା ଚାଲାଣ ନେଇ ସ୍ଥାନୀୟ ଲୋକଙ୍କ ଦ୍ବାରା ବାରମ୍ବାର ପୋଲିସକୁ ଖବର ଦିଆଯାଉଥିବା ସତ୍ତ୍ବେ ଫଳ ଶୂନ୍ୟ ରହିଥିଲା । ହେଲେ ସୋମବାର ଦିନ ପୋଲିସ ବାଲି ଓ ଚିପ୍ସ ବୋଝେଇ ତିନୋଟି ହାଇୱା ଗାଡ଼ି ଜବତ କରିଛି । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ସମ୍ମୁଖରୁ ପୋଲିସ ତିନୋଟି ହାଇୱା ଜବତ ସହ ଗାଡ଼ିର ମାଲିକ ସମେତ ୪ ଜଣ ଡ୍ରାଇଭରଙ୍କୁ ଗିରଫ କରାଯାଇଛି ।

ଗିରଫ ମାଲିକ ଜଣକ ତିରିଂ ଥାନା ଅନ୍ତର୍ଗତ ହେସେଲଡିହି ଗ୍ରାମର ଗୋବିନ୍ଦ ପଲେୟା । ଡ୍ରାଇଭରମାନେ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ଖରସୁଆଁ ଥାନା ଅନ୍ତର୍ଗତ ବିଶୋଇଗଳି ଗ୍ରାମର କିଶୁନ କାଳନ୍ଦୀ, କୁଆଳି ଥାନା ବାଲିଡିହି ଗ୍ରାମର ଅମୂଲ୍ୟ ମହାନ୍ତ ଓ ସୋନାପୋଷି ଗ୍ରାମର ବିଷ୍ଣୁ ଗୋପ ବୋଲି ପରିଚୟ ମିଳିଛି । ରାଇରଙ୍ଗପୁର ଅଞ୍ଚଳରେ ଲିଜ୍‌ ନଥାଇ ବିଭିନ୍ନ ବାଲିଘାଟରୁ ଚୋରାରେ ବାଲି ଉତ୍ତୋଳନ କରି ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟ ସହିତ ରାଇରଙ୍ଗପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ବେଧଡକ ଭାବେ ଚୋରା ଚାଲାଣ ହେଉଥିବାର ଅଭିଯୋଗ ହୋଇଆସୁଛି ।

ଏହାମଧ୍ୟ ପଢନ୍ତୁ: ମୟୂରଭଞ୍ଜରେ କଙ୍ଗାରୁ କୋର୍ଟ: ଛେଳି ଚୋରି ଅଭିଯୋଗରେ ନିର୍ଦ୍ଧୁମ ଛେଚା ଖାଇଲେ ଦୁଇ ଚୋର

କିନ୍ତୁ ରାଜସ୍ବ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ପକ୍ଷରୁ ଥାନା ସମ୍ମୁଖରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ OD 14B 7822 ରେଜିଷ୍ଟ୍ରେସନ୍‌ ନଂ ବିଶିଷ୍ଟ ଏକ ବାଲି ବୋଝେଇ ହାଇୱା, JH 05CF 6195 ଓ OD 19B 6013 ରେଜିଷ୍ଟ୍ରେସନ ନଂ ବିଶିଷ୍ଟ ଦୁଇଟି ଚିପ୍ସ ବୋଝେଇ ହାଇୱା ଜବତ କରାଯାଇଛି । ଏଥିସହିତ ଗାଡ଼ିରେ ଥିବା ମାଲିକ ଓ ଅନ୍ୟ ତିନି ଜଣ ଚାଳକଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: ଚୋରି ଅଭିଯୋଗରେ ନାବାଳକ ଅଟକ, ଜଣେ ସୁନା ଦୋକାନୀ ଗିରଫ

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.