ମୟୂରଭଞ୍ଜରେ କଙ୍ଗାରୁ କୋର୍ଟ: ଛେଳି ଚୋରି ଅଭିଯୋଗରେ ନିର୍ଦ୍ଧୁମ ଛେଚା ଖାଇଲେ ଦୁଇ ଚୋର

By ETV Bharat Odisha Team

Published : Aug 24, 2023, 5:24 PM IST

thumbnail

ରାଇରଙ୍ଗପୁର: ଛେଳି ଚୋରି କରିବା ପଡିଲା ମହଙ୍ଗା  । କଙ୍ଗାରୁ କୋର୍ଟରେ ଛେଚା ଖାଇଲେ ଚୋର । ଏପରି କିଛି ଘଟଣା ଘଟିଛି  ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳରେ । ଛେଳି ଚୋରି ଅଭିଯୋଗରେ ଗ୍ରାମବାସୀଙ୍କ ପ୍ରଜାକୋର୍ଟରେ ନିର୍ଦ୍ଧୁମ ଛେଚା ଖାଇଲେ ଦୁଇ ଜଣ ଚୋର।   

ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ସମୟରେ ଖୁଣ୍ଟା ଥାନା ଅନ୍ତର୍ଗତ ଲକ୍ଷ୍ମଣାସାହି ଗ୍ରାମପଞ୍ଚାୟତର ଘୁଷୁରିଆ ସାହି ଗ୍ରାମର ଜନୈକ ବ୍ୟକ୍ତିଙ୍କ ଗୋଟିଏ କଳା ରଙ୍ଗର ଛେଳି ଚୋରି ହୋଇଥିଲା । ଦୁଇ ଜଣ ଚୋର ଏକ ବାଇକ୍‌ ଯୋଗେ ଆସି ଛେଳିଟିକୁ ଚୋରି କରି ନେଉଥିବା ସମଯୟରେ ସ୍ଥାନୀୟ ଲୋକେ ଏହା ଦେଖି ପାଟି କରିଥିଲେ । ଚୋର ଦୁହେଁ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିବା ବେଳେ ସ୍ଥାନୀୟ ଲୋକେ ବାଙ୍ଗରା ଛକ ନିକଟରେ ଉଭୟଙ୍କୁ ଅଟକ ରଖିଥିଲେ  । ଉତ୍ୟକ୍ତ ଲୋକେ ଆଇନ୍‌କୁ ହାତକୁ ନେଇ ଦୁଇ ଜଣ ଚୋରଙ୍କୁ ନିର୍ଦ୍ଧୁମ ଛେଚି ଥିଲେ । ଏହାର ଏକ  ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି  ।

ଏହାପରେ ଘୁଷୁରିଆସାହି ଗ୍ରାମର ଛେଳି ମାଲିକ ଏବଂ ଗ୍ରାମବାସୀ ଚୋର ଦୁଇ ଜଣକୁ ଧରି ନିଜ ଗ୍ରାମକୁ ଆଣିଥିଲେ । ଗ୍ରାମରେ ପ୍ରଜାକୋର୍ଟ ବସାଇ ପୁଣି ଦୁହିଁକୁ ମାଡ ମାରିଥିଲେ  । ଏହା ପରେ ପୋଲିସକୁ ଖବର ଦେଇଥିଲେ ଖବର ପାଇ ତୁରନ୍ତ ଖୁଣ୍ଟା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ହୋଇଥିବା ଦୁଇ ଜଣ ଚୋରଙ୍କୁ ଉଦ୍ଧାର କରିଥିଲା । ଉଭୟଙ୍କୁ ଚିକିତ୍ସା ପାଇଁ ଡୁକୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି  କରିଥିଲା ପୋଲିସ  । ତେବେ ଉଭୟ ଚୋର ଦ୍ବୟ ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଅଞ୍ଚଳର ହୋଇଥିବା ଖୁଣ୍ଟା ପୋଲିସ ପକ୍ଷରୁ ସୂଚନା ମିଳିଛି  ।

 ଇଟିଭି ଭାରତ,ମୟୂରଭଞ୍ଜ  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.