କ୍ରସର ବନ୍ଦ ନେଇ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ, ଆନ୍ଦୋଳନ ଚେତାବନୀ

author img

By

Published : Sep 22, 2022, 9:53 AM IST

villagers demand to stop crosser and stone quarry of Gandipalli malkangiri

ଗ୍ରାମରେ କ୍ରସର ବନ୍ଦକୁ ନେଇ ତାତିଲେ ଗ୍ରାମବାସୀ । ମାଲକାନଗିରି ଜିଲ୍ଲା ଗନ୍ଦିପାଲୀ ଗ୍ରାମ ନିକଟରେ ଥିବା କ୍ରସର ଏବଂ ପଥର କୁଆଁରିକୁ ତୁରନ୍ତ ବନ୍ଦ କରିବା ପାଇଁ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ମାଲକାନଗିରି: କ୍ରସରକୁ ବନ୍ଦ କରିବା ପାଇଁ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ । ମାଲକାନଗିରି ଜିଲ୍ଲା ନିକଟସ୍ଥ ଗନ୍ଦିପାଲୀ ଗ୍ରାମ ନିକଟରେ ଥିବା କ୍ରସର ଏବଂ ପଥର କୁଆଁରିକୁ ତୁରନ୍ତ ବନ୍ଦ କରିବା ପାଇଁ ଗ୍ରାମବାସୀ ଦୀର୍ଘ ଦିନ ହେଲା ଦାବି କରିଆସୁଥିଲେ । ହେଲେ କ୍ରସର ମାଲିକ ବିଭାଗୀୟ ଅଧିକାରୀ ଏବଂ ଉଚ୍ଚ ପଦାଧିକାରୀଙ୍କୁ ହାତଗୁଞ୍ଜା ଦେଇ ପୁଣି ସେଠାରେ କ୍ରସର ଏବଂ ପଥର କୁଆଁରି ଖୋଲିବାକୁ ଯୋଜନା ପ୍ରସ୍ତୁତ କରୁଥିବା ଅଭିଯୋଗ ହୋଇଛି । ଏନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉଭୟ ପକ୍ଷ ନିଜର ମତ ରଖିଥିଲେ । ଗନ୍ଦିପାଲୀ ଗ୍ରାମବାସୀ ଗତ ଅଗଷ୍ଟ ୨୦ ତାରିଖ ଦିନ ଜିଲ୍ଲାପାଳଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲେ । କିନ୍ତୁ କୌଣସି ସୁଫଳ ମିଳିନଥିଲା ।

କ୍ରସର ବନ୍ଦ ନେଇ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ

ମାଲକାନଗିରି ତହସିଲ ପକ୍ଷରୁ ଏହି ପଥରଖଣି ପାଇଁ ଜୁନ ମାସରେ ଚଳିତ ବର୍ଷ ଟେଣ୍ଡର ମଧ୍ୟ ଆହ୍ବାନ କରାଗଲା । ପର ମୂହୁର୍ତ୍ତରେ ଯିଏ ଦୀର୍ଘ ଦିନ ହେଲା ପଥର କୁଆଁରିକୁ ଚଳାଇ ଆସୁଛି ତାଙ୍କୁ ହିଁ ଟେଣ୍ଡର ପ୍ରଦାନ କରାଗଲା । ଏହାକୁ ବିରୋଧ କରି ଶତାଧିକ ଗ୍ରାମବାସୀ କ୍ରସର ଏବଂ ପଥର କୁଆଁରି ହଟାଇବା ନେଇ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଥିଲେ । ଗନ୍ଦିପାଲୀ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ,

"ମାତ୍ର ୨ଶହ ମିଟର ଦୂରରେ ଏହି କ୍ରସର ରହିଛି । କିନ୍ତୁ ଆରଟିଆଇ ସୂଚନାରେ ମିଳିଥିବା ରିପୋର୍ଟ ଅନୁଯାୟୀ ଏହା ୨ କିଲୋମିଟର ଦୂରରେ ରହିଥିବା କୁହାଯାଇଛି । ବିନା ପଲ୍ଲୀ ସଭାରେ କ୍ରସର ସ୍ଥାପନ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯେଉଁ ଜମିରେ କ୍ରସର ରହିଛି ତାହାର ପ୍ରକୃତ ଦାବିଦାର ହେଉଛନ୍ତି ସୁକାଳୁ ଦୁରୁଆ । ତେବେ ଧମକ ଦେଇ ନିଜ ହାତକୁ କ୍ରସର ମାଲିକ ନେଇଥିବା କୁହାଯାଉଛି । ପଥର କୁଆଁରି ନିକଟରେ ଥିବା ଜମି ସମ୍ପର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି । ଫଳରେ କ୍ଷୁଦ୍ର ଚାଷୀମାନେ ଜୀବିକା ନିର୍ବାହରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କ୍ରସର ଚାଲିବା ଦ୍ବାରା ବାୟୁ ସମ୍ପୂର୍ଣ୍ଣ ପ୍ରଦୂଷଣ ହେଉଛି ।"

ଗ୍ରାମବାସୀ ଆହୁରି ମଧ୍ୟ କହିଛନ୍ତି, ଏହି ପ୍ରଦୂଷିତ ବାୟୁ ଦ୍ବାରା ଗ୍ରାମବାସୀ ଏବଂ କମଳମୋତି ଶିଶୁ ବାୟୁ ଜନିତ ଶ୍ବାସ,ଯକ୍ଷ୍ମା ରୋଗରେ ପୀଡିତ ହେଉଛନ୍ତି । ମଣିଷ ହେଉ ବା ପ୍ରାଣୀ ସମସ୍ତଙ୍କୁ ସୁସ୍ଥ ବାୟୁରେ ବଞ୍ଚିବାର ଅଧିକାର ରହିଛି । ପଥର ବ୍ଲାଷ୍ଟିଂ ହେବା ଦ୍ବାରା ପକ୍କା ଏବଂ କଚ୍ଚା ଘର ସବୁ ଫାଟିଯାଉଛି । କ୍ରସର ଦିନରାତି ଚାଲିବା ଦ୍ବାରା ସେହି ଶଦ୍ଦରେ ପିଲାମାନେ ପାଠ ପଢିପାରୁ ନାହାନ୍ତି । କ୍ରସର ଯୋଗୁଁ ଏହି ଅଞ୍ଚଳର ଜଳ, ଜଙ୍ଗଲ ଓ ଜମି ନଷ୍ଟ ହେଉଛି । ବାରମ୍ବାର ଏନେଇ ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଫେରାଦ ହେଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବାରୁ ବିଭିନ୍ନ ପ୍ରଶ୍ନ ଉଠୁଥିବା ଗ୍ରାମବାସୀ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ସେବାଶ୍ରମ କତ୍ତୃପକ୍ଷଙ୍କ ଅବହେଳା, ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ

କ୍ରସର ମାଲିକ ଦାଦାଗିରି କରି ଏବଂ ଟଙ୍କା ଲୋଭ ଦେଖାଇ ସମସ୍ତଙ୍କୁ କିଣି ଦେଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ । ଯଦି ଏଭଳି ପୁଣି ହୁଏ ତେବେ ଗ୍ରାମବାସୀ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି । ଏନେଇ ଉପଜିଲ୍ଲାପାଳ ଅକ୍ଷୟ ଖେମୁଡୁଙ୍କୁ ପଚାରିବାରୁ ଏକ ଟିମ ଗଠନ କରାଯାଇ ସେହି ଅଞ୍ଚଳ ପରିଦର୍ଶନ କରାଯିବା ସହ ଆଗକୁ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ । ତେବେ ବିଭାଗ କି ନିଷ୍ପତ୍ତି ନେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.