ସେବାଶ୍ରମ କତ୍ତୃପକ୍ଷଙ୍କ ଅବହେଳା, ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ

author img

By

Published : Sep 20, 2022, 8:17 PM IST

କୋଲାକୁଣ୍ଡା ଛାତ୍ର ମୃତ୍ୟୁ ଓ ମାରିବାଡା ହଷ୍ଟେଲ ଚାଉଳ ବିକ୍ରି ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ

ସେବାଶ୍ରମ କତ୍ତୃପକ୍ଷଙ୍କ ଅବହେଳା । କୋଲାକୁଣ୍ଡା ଛାତ୍ର ମୃତ୍ୟୁ ଓ ମାରିବାଡା ହଷ୍ଟେଲ ଚାଉଳ ବିକ୍ରି ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ । କୋଲାକୁଣ୍ଡା ସେବାଶ୍ରମରେ ଦୁଇ ଛାତ୍ର ମୃତ୍ୟୁ ଘଟଣାରେ ସେବାଶ୍ରମର ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବିତ । ମାରିବାଡା ସେବାଶ୍ରମ ହଷ୍ଟେଲର ଚାଉଳ ବିକ୍ରି କରିବା ଘଟଣାରେ ସୁପରିଟେଣ୍ଡେଣ୍ଟ ନିଲମ୍ବିତ । ଅଧିକ ପଢ଼ନ୍ତୁ

ମାଲକାନଗିରି: କୋଲାକୁଣ୍ଡା ସେବାଶ୍ରମରେ ଦୁଇ ଛାତ୍ର ମୃତ୍ୟୁ ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ । ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏହି ଦୁଇ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ପରେ ହୋଇଛି କାର୍ଯ୍ୟାନୁଷ୍ଠାନ । ଏନେଇ ତଦନ୍ତ ପରେ ଜିଲ୍ଲାପାଳ ବିଶାଲ ସିଂ ସେବାଶ୍ରମର ପ୍ରଧାନ ଶିକ୍ଷୟତ୍ରୀ ସାବିତ୍ରୀ ମଣ୍ଡଳଙ୍କୁ ନିଲମ୍ବିତ କରିଛନ୍ତି । ସେପଟେ କୋରୁକୋଣ୍ଡା ବ୍ଳକର ମାରିବାଡା ସେବାଶ୍ରମ ହଷ୍ଟେଲର ଚାଉଳ ବାହାରେ ବିକ୍ରି ଅଭିଯୋଗରେ ବିଦ୍ୟାଳୟର ସୁପରିଟେଣ୍ଡେଣ୍ଟ ରଞ୍ଜିତା ବେହେରାଙ୍କୁ ନିଲମ୍ବିତ କରାଯାଇଛି । ଏଥିସହ ସ୍କୁଲ ପିଲାଙ୍କୁ କାମରେ ନିୟୋଜିତ କରୁଥିବା ସହକାରୀ ଶିକ୍ଷକ ଶ୍ରୀକୁମାର ଦୋରାଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି ।

କୋଲାକୁଣ୍ଡା ଛାତ୍ର ମୃତ୍ୟୁ ଓ ମାରିବାଡା ହଷ୍ଟେଲ ଚାଉଳ ବିକ୍ରି ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ

ସୂଚନା ଅନୁଯାୟୀ ଗତ ମାସରେ ମାଲକାନଗିରି ଜିଲ୍ଲା କୋଲାକୁଣ୍ଡା ସେବା ଆଶ୍ରମରେ ଛାତ୍ରଛାତ୍ରୀ ଅଜଣା ଜ୍ବରରେ ପୀଡ଼ିତ ହୋଇଥିଲେ । ଧୀରେ ଧୀରେ ଅନ୍ୟ ଛାତ୍ରଛାତ୍ରୀ ମଧ୍ୟ ଜ୍ବରରେ ପୀଡ଼ିତ ହୋଇଥିଲେ । ତେବେ ଅଜଣା ରୋଗରେ ଦୁଇ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଏହାପରେ ଏହି ଆଶ୍ରମରେ ଏକ ଡାକ୍ତରୀ ଟିମ୍‌ ପହଞ୍ଚି ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିଥିଲା । ସେମାନଙ୍କ ମଧ୍ୟରୁ ୨୦ ଜଣ ଛାତ୍ରଛାତ୍ରୀଙ୍କୁ ଅସୁସ୍ଥ ଅବସ୍ଥାରେ ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି କରାଯାଇଥିଲା । ଅସୁସ୍ଥଙ୍କ ମଧ୍ୟରୁ ୧୧ ଜଣ ଗୁରୁତର ଥିବାରୁ ସେମାନଙ୍କୁ ମାଲକାନଗିରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେହିଭଳି ଅନ୍ୟ ୯ ଜଣଙ୍କୁ ସ୍ଥାନୀୟ ପଡ଼ିଆ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଆଶ୍ରମରେ ଡାକ୍ତରୀ ଟିମ୍‌ ପହଞ୍ଚି ଆଶ୍ରମର ଖାଦ୍ୟ, ପାଣି ନମୂନା ସଂଗ୍ରହ କରିବା ସହିତ ଆଶ୍ରମର ଅନ୍ତେବାସୀଙ୍କ ରକ୍ତ ନମୁନା ପରୀକ୍ଷା କରଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...କୋଲାକୁଣ୍ଡା ଆଶ୍ରମରେ ଛାତ୍ରମୃତ୍ୟୁ: ୨୦ ପିଲା ମେଡିକାଲରେ ଭର୍ତ୍ତି, ପହଞ୍ଚିଲା ଡାକ୍ତରୀ ଟିମ୍‌

ତେବେ ଆଶ୍ରମ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏହି ଦୁଇ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ । ତଦନ୍ତ ପରେ ଏହି ସେବାଶ୍ରମର ପ୍ରଧାନ ଶିକ୍ଷୟତ୍ରୀ ସାବିତ୍ରୀ ମଣ୍ଡଳଙ୍କୁ ନିଲମ୍ବିତ କରାଯାଇଛି । ଏହା ସହିତ ତାଙ୍କୁ ଚିତ୍ରକୋଣ୍ଡା ସ୍କୁଲରେ ପ୍ରତିଦିନ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଏହି ସ୍କୁଲର ମେଟ୍ରନଙ୍କୁ କାହିଁକି ବହିଷ୍କୃତ କରାଯାଇ ନାହିଁ ବୋଲି ନୋଟିସ ଦିଆଯାଇଛି । ବିଦ୍ୟାଳୟର ରୋଷେୟା ତଥା ଆଟେଣ୍ଡାଣ୍ଟ ଯୋଗୀ ମାଡକାମୀଙ୍କୁ ମଧ୍ୟ ବହିଷ୍କୃତ କରାଯାଇଛି । ସେହିପରି ଡବ୍ଲୁଇଓ ଭରତ ଗୁରୁଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲ୍ଲାପାଳ ।

ଏହା ମଧ୍ୟ ପଢ଼ନ୍ତୁ...ଆମକୁ ଭାତ ଅଣ୍ଟୁନି ବାହାରେ ବିକ୍ରି ହେଉଛି ଚାଉଳ, ସୁପରିଟେଣ୍ଡେଣ୍ଟଙ୍କ ନାଁରେ ଛାତ୍ରଙ୍କ ଅଭିଯୋଗ

ଅନ୍ୟ ଏକ ଘଟଣା କ୍ରମରେ କୋରୁକୋଣ୍ଡା ବ୍ଲକର ମାରିବାଡା ସେବାଶ୍ରମରେ ସ୍କୁଲ କର୍ତ୍ତୃପକ୍ଷ ହଷ୍ଟେଲ ଚାଉଳକୁ ବାହାରେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା । ଏନେଇ ସ୍କୁଲର ଛାତ୍ରମାନେ ୨୦ କିଲୋମିଟର ଚାଲି ଚାଲି ଯାଇ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ଅଭିଯୋଗ କରିଥିଲେ । ଏନେଇ ତଦନ୍ତ କରାଯାଇ ଏହି ବିଦ୍ୟାଳୟର ସୁପରିଟେଣ୍ଡେଣ୍ଟ ରଞ୍ଜିତା ବେହେରାଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ପିଲାଙ୍କୁ କାମରେ ନିୟୋଜିତ କରୁଥିବା ସହକାରୀ ଶିକ୍ଷକ ଶ୍ରୀକୁମାର ଦୋରାଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭଗବାନ ନାୟକଙ୍କୁ ଚିତ୍ରକୋଣ୍ଡା ବ୍ଳକର ବଡପଦର ହାଇସ୍କୁଲରେ ସହକାରୀ ଶିକ୍ଷକ ଭାବେ ବଦଳି କରାଯାଇଛି । ସେହିପରି ଅନ୍ୟ ଜଣେ ଶିକ୍ଷକ ପ୍ରଦୀପ ସେଠୀଙ୍କୁ ମଧ୍ୟ ବଣ୍ଡାଘାଟିର ମୁଦୁଲିପଡାକୁ ବଦଳି କରାଯାଇଛି ।

ଏହି ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ବଦଳି କରାଯାଇଥିବା ଡିଡବ୍ଲୁଓ କୃପାସିନ୍ଧୁ ବେହେରା ପ୍ରକାଶ କରିଛନ୍ତି । ତେବେ ମାରିବାଡା ସେବାଶ୍ରମରେ ଚାଉଳ ବିକ୍ରି ଘଟଣାର ତଦନ୍ତ କରିବା ପାଇଁ ଏକ ଟିମ ଗଠନ କରିଛନ୍ତି ଜିଲ୍ଲାପାଳ । ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ନେଇ ଗଠିତ ହୋଇଛି ଏହି ଟିମ । ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ ପରେ ଜିଲ୍ଲାର ଅନ୍ୟ ହଷ୍ଟେଲର କର୍ତ୍ତୃପକ୍ଷ ସଜାଗ ହେବେ ଏବଂ ପିଲାଙ୍କୁ ନିଶ୍ଚିତ ଭାବେ ଭଲ ବ୍ୟବହାର ସହ ଉତ୍ତମ ସେବା ଯୋଗାଇ ଦେବେ ବୋଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.