ETV Bharat / state

ପୋଲିସ୍ ଟିମକୁ ଆମ୍ବୁସ୍ କଲେ ଗଞ୍ଜେଇ ମାଫିଆ, ୨ମହିଳା କନଷ୍ଟେବଳ ସମେତ ୩ ଆହତ

author img

By

Published : Jan 7, 2023, 10:50 PM IST

ଗଞ୍ଜେଇ ଚାଷ ନଷ୍ଟ କରୁଥିବାବେଳେ ପୋଲିସକୁ ଆକ୍ରମଣ କଲେ ଗଞ୍ଜେଇ ମାଫିଆ । ଗଞ୍ଜେଇ ମାଫିଆଙ୍କ ଢେଲା ପଥର ମାଡ଼ରେ ୩ ଜଣ ପୋଲିସ କର୍ମଚାରୀ ଆହତ । ଅଧିକ ପଢ଼ନ୍ତୁ

ଗଞ୍ଜେଇ ଚାଷ ନଷ୍ଟ ବେଳେ ପୋଲିସ ଉପରେ ଆକ୍ରମଣ କଲେ ଗ୍ରାମବାସୀ
ଗଞ୍ଜେଇ ଚାଷ ନଷ୍ଟ ବେଳେ ପୋଲିସ ଉପରେ ଆକ୍ରମଣ କଲେ ଗ୍ରାମବାସୀ

ପୋଲିସ୍ ଟିମକୁ ଆମ୍ବୁସ୍ କଲେ ଗଞ୍ଜେଇ ମାଫିଆ

ମାଲକାନଗିରି: ସରକାରୀ ଜମିରେ ହୋଇଥିବା ଗଞ୍ଜେଇ ଚାଷ କାଟି ନଷ୍ଟ କରୁଥିବାବେଳେ ଗଞ୍ଜେଇ ମାଫିଆଙ୍କ ରୋଷର ଶିକାର ହୋଇଛନ୍ତି ଅର୍କେଲ ଥାନା ପୋଲିସ । ଗଞ୍ଜେଇ ମାଫିଆଙ୍କ ଢେଲା ପଥର ମାଡ଼ରେ ୩ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରେ ୨ ଜଣ ମହିଳା କନଷ୍ଟେବଳ ରହିଛନ୍ତି । ଆହତଙ୍କୁ ପୋଲିସ ମେଡିକାଲ ନେଇଥିବାବେଳେ ଜଣେ ହୋମଗାର୍ଡଙ୍କୁ ଗଞ୍ଜେଇ ମାଫିଆ ଅଟକ ରଖିଥିଲେ । ପରେ ଅଟକ ହୋମଗାର୍ଡଙ୍କୁ ଛାଡି ଦେଇଥିବା ଜଣାପଡିଛି ।

ମିଳିଥିବା ଖବର ଅନୁସାରେ, ଚିତ୍ରକୋଣ୍ଡା ଏସଡିପିଓଙ୍କ ନେତୃତ୍ବରେ ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ପୋଲିସ ରାଜାବନ୍ଧ ଗାଁ ପାହାଡ଼ ନିକଟରେ ଥିବା ସରକାରୀ ଜଙ୍ଗଲ ଜମିରେ ହୋଇଥିବା ଗଞ୍ଜେଇ ଚାଷ ଉପରେ ଚଢାଉ କରିଥିଲେ । ପୋଲିସ ପକ୍ଷରୁ ଗଞ୍ଜେଇ ଗଛ କାଟି ଓ ପୋଡ଼ି ଚାଷ ନଷ୍ଟ କରାଯାଉଥିବାବେଳେ ହଠାତ ଗାଁର କିଛି ମହିଳା ଓ ପୁରୁଷ ପୋଲିସକୁ ବିରୋଧ କରିଥିଲେ । ଫଳରେ ଗ୍ରାମବାସୀ ଓ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ଗ୍ରାମବାସୀଙ୍କ ଢେଲା ପଥର ମାଡ଼ରେ ୩ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ ।

ଗ୍ରାମବାସୀଙ୍କ ଆକ୍ରମଣ ପରେ ପୋଲିସ ଗଞ୍ଜେଇ କଟା ବନ୍ଦ କରି ଥାନାକୁ ଫେରିଆସିଥିଲେ । କିନ୍ତୁ ଜଣେ ହୋମଗାର୍ଡ ଗ୍ରାମବାସୀଙ୍କ କବ୍ଜାରେ ରହିଯାଇଥିଲେ । ଏହାପରେ ପୁଣି ଏସଡିପିଓଙ୍କ ନେତୃତ୍ବରେ ଅଧିକା ପୋଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚିବାରୁ ହୋମଗାର୍ଡଙ୍କୁ ଗ୍ରାମବାସୀ ଛାଡ଼ି ଦେଇଥିବା ଜଣାପଡ଼ିଛି । ଆହତ ପୋଲିସ କର୍ମଚାରୀମାନେ ବାଲିମେଳା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଉପରେ ଆକ୍ରମଣ ଘଟଣାର ଏକ ମାମଲା ରୁଜୁ କରି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ସେପଟେ ଗିରଫ ଭୟରେ ଗ୍ରାମ ପୁରୁଷ ଶୁନ୍ୟ ହୋଇଯାଇଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.