ETV Bharat / state

ଆତ୍ମସମର୍ପଣ କଲେ ୩ ହାର୍ଡକୋର୍ ମାଓବାଦୀ, ସାମିଲ ଅଛନ୍ତି ମହିଳା କ୍ୟାଡର୍

author img

By

Published : Jan 26, 2023, 3:49 PM IST

ମାଲକାନଗିରି ଜିଲ୍ଲା ପୋଲିସ ଓ BSFକୁ ସଫଳତା । କୁମ୍ବିଂ ଅପରେସନ ବେଳେ ବହୁ ମାଓ ସାମଗ୍ରୀ ଜବତ ସହ ୩ ମାଓବାଦୀ କରିଛନ୍ତି ଆତ୍ମ ସମର୍ପଣ । ଅଧିକ ପଢନ୍ତୁ

Three maoists surrendered
Three maoists surrendered

ଆତ୍ମସମର୍ପଣ କଲେ ୩ ହାର୍ଡକୋର୍ ମାଓବାଦୀ

ମାଲକାନଗିରି: ଜିଲ୍ଲା ପୋଲିସକୁ ମିଳିଲା ସଫଳତା । ମାଥିଲି ଥାନା ତୁଳସୀ ପାହାଡ଼ DVF ଓ SOG କୁମ୍ବିଂ ଅପରେସନ କରୁଥିବା ବେଳେ ଏକ ମାଓ କ୍ୟାମ୍ପର ସୂଚନା ମିଳିଥିଲା । ସେଠାରେ ଚଢାଉ କରାଯାଇ ବହୁ ମାଓ ସାମଗ୍ରୀ ଯବାନମାନେ ଜବତ କରିଛନ୍ତି । ସେପଟେ ୩ ମାଓବାଦୀ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡାଙ୍କ ନିକଟରେ ଆତ୍ମ ସମର୍ପଣ କରିଥିବା ଜଣାପଡ଼ିଛି ।

ଆତ୍ମସମର୍ପଣ କରିଥିବା ୩ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ରହିଛନ୍ତି । ୩ ଜଣ ପାର୍ଟି ମେମ୍ବର ଭାବରେ ମହୁପଦର ଅଞ୍ଚଳରେ କାର୍ଯ୍ୟ କରୁଥିଲେ । ଏମାନଙ୍କ ନାମରେ ୧ ଲକ୍ଷ ପୁରସ୍କାର ରାଶି ରହିଥିଲା । ଏହି ୩ ଜଣ ହେଲେ ମୋନାଜ ଓରଫ ମୋତି ମାଡ଼ି, ପାଣ୍ଡୁ କବସି ଓ ଆଇଟେ କର୍ତାମି । ଏହି ତିନି ଜଣଙ୍କର ସହାୟତାରେ ମହୁପଦର ଅଞ୍ଚଳରୁ ଏସଓଜି ଓ ଡିଭିଏଫ ବାହିନୀ ମାଟିତଳୁ ବହୁ ପରିମାଣର ମାଓ ସାମଗ୍ରୀ ଜବତ କରିଛି । ଏଥିରେ ୭ଟି ଟିଫିନ ବୋମା, ୫ଟି ବନ୍ଧୁକ, ୫୦ରୁ ଊର୍ଦ୍ଧ୍ବ ଜୀବନ୍ତ ଗୁଳି, ବାରେଲ ଗ୍ରାନାଇଟ ଲଞ୍ଚର, ମାଓ ପୁସ୍ତିକା ପରି ୧୧୨ ପ୍ରକାର ମାଓ ସାମଗ୍ରୀ ଜବତ କରିଛି ।

ଏହା ବି ପଢନ୍ତୁ- ଜାତୀୟ ମତଦାତା ଦିବସ: ରାଜ୍ୟସ୍ତରରେ ପୁରସ୍କୃତ ହେଲେ ମାଲକାନଗିରି ଉପଜିଲ୍ଲାପାଳ

ମାଲକାନଗିରି SPଙ୍କ କାର୍ଯ୍ୟାଳୟରେ ଆତ୍ମ ସମର୍ପଣ କରିଛନ୍ତି ଏହି ୩ ମାଓବାଦୀ । ଏମାଙ୍କ ମୁଣ୍ଡରେ ୧ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା । ଏନେଇ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା କହିଛନ୍ତି, "ମାଲକାନଗିରି ଜିଲ୍ଲାରେ ମାଓ କାର୍ଯ୍ୟକଳାପ ବହୁ ପରିମାଣରେ ହ୍ରାସ ପାଇଛି । ଆମ ନିକଟରେ ୩ଜଣ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ବୁଧବାର ଆମେ ସ୍ବାଭିମାନ ଅଞ୍ଚଳର ବହୁ ସ୍ଥାନ ବୁଲିଥିଲୁ । ପୋଲିସ ଓ BSF ପକ୍ଷରୁ ଗଣତନ୍ତ୍ର ଦିବସ ପାଳନ ହୋଇଥିଲା । ଏହା ପୂର୍ବରୁ ମାଓଗଡ଼ ନାମରେ ଜଣାଯାଉଥିଲା । ବର୍ତ୍ତମାନ ଏଠାରେ ସୁରକ୍ଷା ବ୍ୟବସ୍ଥା ଭଲ ରହିଛି ।"

ଜିଲ୍ଲାରେ ଏକ ସୁସ୍ଥ ବାତାବରଣ ସୃଷ୍ଟି ହୋଇଛି । ମାଓ କାର୍ଯ୍ୟକଳାପ ହଟିଥିବାରୁ ଏଠାରେ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭ ହୋଇଛି । ଖୁବଶୀଘ୍ର ଏହି ଅଞ୍ଚଳ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବ । ମାଓବାଦୀମାନଙ୍କୁ ଆମେ ଅନୁରୋଧ କରୁଛୁ, ସେମାନେ ହିଂସା ଛାଡ଼ନ୍ତୁ । ଆତ୍ମସମର୍ପଣ କରି ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ସାମିଲ ହୁଅନ୍ତୁ । ଏହି କୁମ୍ବିଂ ଅପରେସନ ସମୟରେ ଅନେକ ମାଓ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.