ETV Bharat / state

ବୋରିଗୁମ୍ମାରେ ୮ ଶିଶୁଙ୍କ ମୃତ୍ୟୁ ଘଟଣା, ରିପୋର୍ଟ ତଲବ କଲେ NHRC

author img

By

Published : Dec 31, 2022, 12:43 PM IST

Updated : Dec 31, 2022, 1:19 PM IST

national human rights commission
ଜାତୀୟ ମାନବିକ ଅଧିକାର କମିଶନ

କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ 8 ଶିଶୁଙ୍କ ମୃତ୍ୟୁ ନେଇ ଜାତୀୟ ମାନବିକ ଅଧିକାର କମିଶନଙ୍କ ଉଦବେଗ ପ୍ରକାଶ । ମୁଖ୍ୟ ଶାସନ ସଚିବ ଓ ସ୍ବାସ୍ଥ୍ୟ ସଚିବଙ୍କୁ NHRCଙ୍କ ରିପୋର୍ଟ ତଲବ । ଅଧିକ ପଢ଼ନ୍ତୁ

କୋରାପୁଟ: ବୋରିଗୁମ୍ମାରେ ୮ ନବଜାତ ଶିଶୁଙ୍କ ମୃତ୍ୟୁ ମାମଲା । ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ରିପୋର୍ଟ ତଲବ କଲେ NHRC । ୪ ସପ୍ତାହ ମଧ୍ୟରେ କାର୍ଯ୍ୟନୁଷ୍ଠାନ ରିପୋର୍ଟ(ଏଟିଆର୍) ଦାଖଲ କରିବାକୁ ନିର୍ଦ୍ଦେଶ । ଉପଯୁକ୍ତ ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ଅଭାବରୁ ଆଦିବାସୀ ଅଞ୍ଚଳରେ ନବଜାତ ଶିଶୁମାନଙ୍କ ମୃତ୍ୟୁକୁ ନେଇ ଜାତୀୟ ମାନବିକ ଅଧିକାର କମିଶନ(ଏନଏଚଆରସି) ଚିନ୍ତା ପ୍ରକଟ କରିଛନ୍ତି ।

new born baby death case in koraput nhrc seek report
ବୋରିଗୁମ୍ମାରେ ୮ ଶିଶୁଙ୍କ ମୃତ୍ୟୁ ମାମଲା

ଏହା ମଧ୍ୟ ପଢ଼ନ୍ତୁ: ଭାରସାମ୍ୟ ହରାଇ ଗଛରେ ପିଟିହେଲା ତୀର୍ଥଯାତ୍ରୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ବିଭିନ୍ନ ଗ୍ରାମରେ ଡିସେମ୍ବର ମାସର ପ୍ରଥମ ଦୁଇ ସପ୍ତାହ ମଧ୍ୟରେ 8 ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ସମ୍ପର୍କିତ ଏକ ମାମଲାର ଶୁଣାଣି କରି କମିଶନ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି । ଏହି ଘଟଣାରେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେଉଁ ସବୁ ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ଆକ୍ସନ ଟେକେନ୍ ରିପୋର୍ଟ (ATR) ଦାଖଲ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ମାନବିକ ଅଧିକାର କର୍ମୀ ଅଖଣ୍ଡ ଏନଏଚଆରସିଙ୍କ ନିକଟରେ ପିଟିସନ୍ ଦାୟର କରିଥିଲେ । ଅଖଣ୍ଡ ତାଙ୍କ ପିଟିସନ୍‌ରେ ଦର୍ଶାଇଥିଲେ ଯେ, ବୋରିଗୁମ୍ମା ବ୍ଲକର କାଠରଗଡା ପଞ୍ଚାୟତର ନୂଆଗୁଡା ଗାଁରେ ଗତ ୩ ଡିସେମ୍ବରରେ ଦୁଇ ଜଣ ଶିଶୁପୁତ୍ରଙ୍କର ମୃତ୍ୟୁ ଘଟିଥିଲା । ଜଣେ ଦୁଇମାସର ହୋଇଥିବା ବେଳେ ଆଉ ଜଣେ ଶିଶୁ ଜନ୍ମ ହେବାର ଦୁଇ ଦିନ ମଧ୍ୟରେ ହିଁ ପ୍ରାଣ ହରାଇଥିଲା । ଏହାପରେ ସେହି ସପ୍ତାହରେ ଶଶାହାଣ୍ଡି ଗାଁର ଜଣେ ଶିଶୁର ମୃତ୍ୟୁ ହୋଇଥିଲା । ୧୩ ତାରିଖରେ ବାଲିଗୁଡା ଓ ନାରିଗାଁରେ ଦୁଇଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ପୁଣି ସେହି ରାତିରେ ବିବଲିଗୁଡା ଗାଁର ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଲା । ଡାକ୍ତରଖାନାରେ ଚିକିତ୍ସା ସମୟରେ ଅଧିକାଂଶ ଶିଶୁ ପ୍ରାଣ ହରାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: 5 ବର୍ଷର ରେକର୍ଡ ଭାଙ୍ଗିଲା ଭିଜିଲାନ୍ସ, 2022ରେ ସର୍ବାଧିକ ଦୁର୍ନୀତିର ଖୋଳତାଡ଼

ଏହି ଦୁର୍ଗମ ଆଦିବାସୀ ଅଞ୍ଚଳରେ ଠିକ୍ ସ୍ୱାସ୍ଥ୍ୟ ସେବା ନଥିବାରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପିଟିସନକାରୀ ଦର୍ଶାଇଛନ୍ତି । ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ ଜରୁରୀକାଳୀନ ସ୍ଥିତିରେ ଆବଶ୍ୟକ ଚିକିତ୍ସା ସୁବିଧା ନଥିବାରୁ ଅକାଳରେ ଶିଶୁମାନଙ୍କ ମୃତ୍ୟୁ ହେଉଛି । ଏସବୁ ମୃତ୍ୟୁ ଘଟଣାର ତଦନ୍ତ ମଧ୍ୟ କରାଯାଇ ନାହିଁ । ସରକାର ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା କରିବାକୁ ଡିଣ୍ଡିମ ପିଟୁଥିଲେ ହେଁ ଗ୍ରାମାଞ୍ଚଳରେ ମୌଳିକ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି ବୋଲି ଅଖଣ୍ଡ ଅଭିଯୋଗ କରିଛନ୍ତି । କମିଶନ ପିଟିସନ୍‌ରେ ଦର୍ଶାଯାଇଥିବା ଅଭିଯୋଗଗୁଡିକୁ ବିଚାର କରି ଏ ଦିଗରେ କେଉଁ ସବୁ ପଦକ୍ଷେପ ନିଆଯାଇଛି, ତାହା 4 ସପ୍ତାହ ମଧ୍ୟରେ ଜଣାଇବାକୁ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୃତକ ଶିଶୁମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ, ବିଶେଷଜ୍ଞଙ୍କ ଦ୍ୱାରା ଶିଶୁମୃତ୍ୟୁର କାରଣ, ଆଦିବାସୀ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ତଦାରଖ ପାଇଁ କମିଶନଙ୍କ ନିଜ ଟିମ୍ ପ୍ରେରଣ ଆଦି ପାଇଁ ଅଖଣ୍ଡ କମିଶନଙ୍କୁ ନିବେଦନ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

Last Updated :Dec 31, 2022, 1:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.