ETV Bharat / state

ଆଦିବାସୀଙ୍କ ସ୍ମୃତି ସାଉଁଟି ଥିବା ସଂଗ୍ରହାଳୟର ପୁନରୁଦ୍ଧାର କେବେ ?

author img

By

Published : May 19, 2023, 3:47 PM IST

ଆଦିବାସୀ  ସଂଗ୍ରହାଳୟର ପୁନରୁଦ୍ଧାର କେବେ
tribal museum

କୋରାପୁଟ ଜିଲ୍ଲାରେ ଥିବା ଆଦିବାସୀ ସଂଗ୍ରହାଳୟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଣଦେଖା ହୋଇଥିବା ଅଭିଯୋଗ ହୋଇଛି । ଆଦିବାସୀଙ୍କ ସ୍ମୃତି ସାଉଁଟି ଥିବା ସଂଗ୍ରହାଳୟର ପୁନରୁଦ୍ଧାର କେବେ ବୋଲି ପ୍ରଶ୍ନ ଉଠିଛି । ଅଧିକ ପଢନ୍ତୁ

ସ୍ମୃତି ସାଉଁଟି ଥିବା ସଂଗ୍ରହାଳୟର ପୁନରୁଦ୍ଧାର କେବେ ?

କୋରାପୁଟ: ସଂଗ୍ରହାଳୟ... ସ୍ମୃତିକୁ ସାଉଁଟି ରଖୁଥିବା ଗନ୍ତାଘର । ସଂଗ୍ରହାଳୟ ଅତୀତ ସହ ପରିଚୟ କରାଏ । ତଥ୍ୟ ଉପରେ ଜ୍ଞାନ ଦିଏ । ଅତୀତରୁ ପ୍ରେରଣା ଦେଇ ଭବିଷ୍ୟତ ପାଇଁ କର୍ତ୍ତବ୍ୟର ମୂଲ୍ୟବୋଧକୁ ବୁଝାଏ । ତେଣୁ ପ୍ରତିବର୍ଷ ମେ 18 ତାରିଖକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଏ । କୋରାପୁଟ ଜିଲ୍ଲାରେ ଥିବା ଆଦିବାସୀ ସଂଗ୍ରହାଳୟକୁ ଅଣଦେଣା ହୋଇଥିବା ଅଭିଯୋଗ ହୋଇଛି । ଘୋଷଣା ପରେ ବି ଆଦିବାସୀ ସଂଗ୍ରହାଳୟର ପୁନଃଉଦ୍ଧାର ହୋଇପାରି ନାହିଁ ।

ଏହା ବି ପଢନ୍ତୁ..ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ, ସ୍ମୃତିକୁ ସାଇତି ରଖେ ସଂଗ୍ରହାଳୟ

ସ୍ବତନ୍ତ୍ର ଉନ୍ନୟନ ପରିଷଦ ତତ୍ତ୍ବାବଧାନରେ କୋରାପୁଟ ସ୍ଥିତ ଆଦିବାସୀ ସଂଗ୍ରହାଳୟ ନୂଆ ରୂପ ପାଇବ ବୋଲି ଗତ ଜାନୁଆରୀ ମାସରେ ଆୟୋଜିତ ଏକ ଜିଲ୍ଲା ସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଥିଲା । ମାତ୍ର ବର୍ତମାନ ପର୍ଯ୍ୟନ୍ତ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଜିଲ୍ଲା ପ୍ରଶାସନର ପଦକ୍ଷେପ ନିଆଯାଇ ନଥିବାରୁ ଆଦିବାସୀ ସଂଗ୍ରହାଳୟର ରକ୍ଷଣାବେକ୍ଷଣ କିପରି ହେବ ସେ ନେଇ ଚିନ୍ତା ବଢିଛି । ତେବେ ଜିଲ୍ଲା ପ୍ରଶାସନ ଏ ଦିଗରେ ଉଚିତ ପଦକ୍ଷେପ ନେବ ବୋଲି ଆନ୍ତର୍ଜାତୀୟ ମ୍ୟୁଜିଅମ ଦିବସ ଅବସରରେ ସଂଗ୍ରହାଳୟର ନିର୍ଦ୍ଦେଶକ ଜଗବନ୍ଧୁ ସାମଲ ଆଶା ବ୍ୟକ୍ତ କରିଛନ୍ତି ।

କୋରାପୁଟ ଡଙ୍ଗର ସଂସ୍କୃତିର ସୁରକ୍ଷା ଦିଗରେ ଆଦିବାସୀ ସଂଗ୍ରହାଳୟର ଭୂମିକା ଗୁରୁତ୍ବପୂର୍ଣ୍ଣ । ଅନେକ ଆଦିବାସୀ ଅଞ୍ଚଳ ଏ ପର୍ଯ୍ୟନ୍ତ ଲୋକଦୃଷ୍ଟିର ଅନ୍ତରାଳେ ରହିଥିବା ଯୋଗୁଁ ଏହା ଏପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଛି । ଆମର ପ୍ରାଚୀନ ଜୀବନଧାରାର ସ୍ମୃତିକୁ ୧୯୯୨ ମସିହାରେ ପ୍ରତିଷ୍ଠିତ ହୋଇ ରଜତ ଜୟନ୍ତୀ ପାଳନ କରିସାରିଥିବା କୋରାପୁଟ ଆଦିବାସୀ ସଂଗ୍ରହାଳୟ ସଫଳତାର ସହ ଅନେକାଂଶରେ ସାଇତି ରଖିବା ସହ ପ୍ରଦର୍ଶିତ କରିବାରେ ସମର୍ଥ ହୋଇଛି ବୋଲି ସଂଗ୍ରହାଳୟର ନିର୍ଦ୍ଦେଶକ ଜଗବନ୍ଧୁ ସାମଲ ମତ ଦେଇଛନ୍ତି ।

ଏହା ବି ପଢନ୍ତୁ...ଅତୀତ ସହ ଭେଟ କରାଏ ମ୍ୟୁଜିୟମ: ପ୍ରଧାନମନ୍ତ୍ରୀ

ଏପର୍ଯ୍ୟନ୍ତ ହୋଇଯାଇଥିବା କାର୍ଯ୍ୟର ଗୁଣାତ୍ମକ ମାନବୃଦ୍ଧି କରି ଗବେଷଣା ଓ ସଂସ୍କୃତି ସଂରକ୍ଷଣ ଦିଗରେ ଏହି ଅନୁଷ୍ଠାନ କାର୍ଯ୍ୟ କରିଆସିଛି ବୋଲି ସେ ସୂଚନା ପ୍ରଦାନ କରିଛନ୍ତି ସଂଗ୍ରହାଳୟ ନିର୍ଦ୍ଦେଶକ । ବିନା କୌଣସି ସରକାରୀ ସହାୟତାରେ ଏହି ଅନୁଷ୍ଠାନଟି ଏତେବର୍ଷ ଧରି ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିଥିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ହେଁ ସମଗ୍ର କୋରାପୁଟ ଅଞ୍ଚଳରେ ବସବାସ କରୁଥିବା ବିଭିନ୍ନ ଆଦିବାସୀ ଜନଜାତି ସମ୍ପର୍କରେ ସମ୍ୟକ ଧାରଣା ଦେଉଥିବା ଏହି ସଂଗ୍ରହାଳୟକୁ ଚାଲୁ ରଖିବା ପରିଚାଳକଙ୍କ ପାଇଁ ଏଜ ଗୁରୁ ଦାୟିତ୍ବ ପାଲଟିଛି । ଏହାର ପୁନରୁଦ୍ଧାର ନିହାତି ଆବଶ୍ୟକ । ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.